ଡାକ୍ତର କହିଲେ ବଞ୍ଚିନି, ଗୁଣିଆ କହିଲା ମୁଁ ପାରିବି, ଚାଲିଲା ପୂଜାର୍ଚ୍ଚନା

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଦୁଇ ଦିନ ତଳେ ଦଣ୍ଡରେ ମିଶିଥିବା ଜଣେ ବ୍ୟକ୍ତି ହଠାତ୍‌ ଅସୁସ୍ଥ ହୋଇ ମେଡିକାଲ ଯିବାରୁ ଡାକ୍ତର ଶୁଣାଇଦେଲେ ନିରାଶବାଣୀ। ରୋଗୀର ମୃତ୍ୟୁ ହୋଇସାରିଥିବା କହି ଡାକ୍ତର ପୋଷ୍ଟମର୍ଟମ ବି କରିଦେଲେ । ମାତ୍ର ଏହାକୁ ବିଶ୍ୱାସ ନ କରି ରୋଗୀକୁ ବଞ୍ଚାଇବାକୁ ପ୍ରଥମେ ଆଗଭର ହେଲେ ଦଣ୍ଡୁଆ। ଦୀର୍ଘ ଘଣ୍ଟା ପୂଜାର୍ଚ୍ଚନା ପରେ ଦଣ୍ଡୁଆ ନ ପାରିବାରୁ ଆସିଲା ଗୁଣିଆ । ଗୁଣିଆର ମନ୍ତ୍ରପାଠ ବି ଫେଲ୍‌ ମାରିଲା। ଶେଷରେ ଗତ […]

puja

puja

Niharika Rout
  • Published: Monday, 05 April 2021
  • Updated: 05 April 2021, 05:32 PM IST

Sports

Latest News

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଦୁଇ ଦିନ ତଳେ ଦଣ୍ଡରେ ମିଶିଥିବା ଜଣେ ବ୍ୟକ୍ତି ହଠାତ୍‌ ଅସୁସ୍ଥ ହୋଇ ମେଡିକାଲ ଯିବାରୁ ଡାକ୍ତର ଶୁଣାଇଦେଲେ ନିରାଶବାଣୀ। ରୋଗୀର ମୃତ୍ୟୁ ହୋଇସାରିଥିବା କହି ଡାକ୍ତର ପୋଷ୍ଟମର୍ଟମ ବି କରିଦେଲେ । ମାତ୍ର ଏହାକୁ ବିଶ୍ୱାସ ନ କରି ରୋଗୀକୁ ବଞ୍ଚାଇବାକୁ ପ୍ରଥମେ ଆଗଭର ହେଲେ ଦଣ୍ଡୁଆ।

ଦୀର୍ଘ ଘଣ୍ଟା ପୂଜାର୍ଚ୍ଚନା ପରେ ଦଣ୍ଡୁଆ ନ ପାରିବାରୁ ଆସିଲା ଗୁଣିଆ । ଗୁଣିଆର ମନ୍ତ୍ରପାଠ ବି ଫେଲ୍‌ ମାରିଲା। ଶେଷରେ ଗତ ରାତିରୁ ଚାଲିଥିବା ପୂଜାର୍ଚ୍ଚନାରେ ପଡ଼ିଲା ଯବନିକା। ମୃତଦେହରେ ଆଉ ଜୀବନ ଫେରିପାରିବନି ବୋଲି ପୁଲିସ୍‌ ପହଞ୍ଚି ବୁଝାସୁଝା କରିବା ପରେ ଆଜି ସକାଳୁ ମୃତଦେହ ସତ୍କାର କରାଯାଇଥିବା ଜଣାଯାଇଛି। ଏପରି ଅନ୍ଧବିଶ୍ୱାସ ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ସିଙ୍ଗରପୁର ଗାଁରେ ଦେଖିବାକୁ ମିଳିଛି ।

ଗାଁର ରବି ନାହାକ ୨ ଦିନ ତଳେ ଦଣ୍ଡରେ ମିଶିଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା । ପୋଷ୍ଟମର୍ଟମ ପରେ ମଧ୍ୟ ମୃତଦେହ ବଞ୍ଚିବ ଭାବି ଦଣ୍ଡୁଆମାନେ ରାତି ତମାମ ପୂଜାର୍ଚ୍ଚନା କରିଥିଲେ। ମୃତକଙ୍କ ଦେହରେ ଭଗବାନ ଥିବା କହି ରାତି ତମାମ ପୂଜାର୍ଚ୍ଚନା କରିଥିଲେ  ।  ତା’ଉପରେ ଗରା ଗରା ପାଣି ଢାଳିଥିଲେ । ମୃତଦେହ ଚାରିପଟେ ନାମ ସଂକୀର୍ତ୍ତନ ବି କରାଯାଇଥିଲା। ଏହାପରେ କାଳିସୀ ଉଭା ହୋଇ ଲୋକଟି ବଞ୍ଚିଯିବ ବୋଲି କୁହାଯାଇଥିଲା। ମାତ୍ର କୌଣସି ସୁଫଳ ନ ମିଳିବାରୁ ଖୋଜା ପଡ଼ିଲା ତାନ୍ତ୍ରିକ ।

ଦୀର୍ଘ ସମୟ ଧରି ଦଣ୍ଡୁଆ କରିପାରି ନ ଥିବା କାମ କରିପାରିବ କହି ତାନ୍ତ୍ରିକ ଆରମ୍ଭ କଲା ପୂଜାର୍ଚ୍ଚନା। ଦୀର୍ଘ ୪ ଘଣ୍ଟା ଚାଲିଲା ବିଭିନ୍ନ ମନ୍ତ୍ରପାଠ। ମାତ୍ର କିଛି ହେଲାନି।

ଖବର ପାଇ ପୁଲିସ୍‌ ପହଞ୍ଚି ମୃତ ଲୋକ ବଞ୍ଚିବା ସମ୍ଭବ ନୁହେଁ ବୋଲି ଗାଁ ଲୋକଙ୍କୁ ବୁଝାଇବା ପରେ ସେମାନେ ସତ୍କାର କରିବାକୁ ରାଜି ହୋଇଥିଲେ। ଏହାପରେ ଆଜି ସକାଳେ ମୃତଦେହକୁ ସତ୍କାର କରାଯାଇଥିବା ଜଣାଯାଇଛି। ଏକବିଂଶ ଶତାବ୍ଦିରେ ବି ଲୋକ ଏପରି ଅନ୍ଧବିଶ୍ୱାସକୁ ନେଇ ବଞ୍ଚୁଛନ୍ତି, ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos