ଚାଲିଛି ଫସଲ-ପାଣି ଲଢ଼େଇ: ଗରିବଙ୍କ ଦୁଃଖ ବୁଝିବାକୁ ନେତାଙ୍କ ପାଖରେ ସମୟ ନାହିଁ

Ordigital Desk
• Published: Tuesday, 12 December 2017
• , Updated: 12 December 2017, 09:23 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବହୁ ସମସ୍ୟା ରହିଛି। ବିଭିନ୍ନ ସ୍ଥାନରେ ଗରିବ ଉପେକ୍ଷିତ ହେଉଥିବାର ବହୁ ଅଭିଯୋଗ ଆସୁଛି। ସରକାରୀ ଯୋଜନା ବାଟମାରଣ ହେଉଥିବା ବେଳେ ଯୋଗ୍ୟ ହିତାଧିକାରୀ ନାହିଁ ନଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ହେଲେ ରାଜ୍ୟର ନେତାଙ୍କୁ ଏହା ଦେଖାଯାଉନାହିଁ। ବିଧାନସଭା ଚାଲିଛି। ଉଭୟ ସରକାର ଓ ବିରୋଧୀ ଚାଷୀ ସମସ୍ୟା ଓ ମହାନଦୀ ବିବାଦକୁ ନେଇ ପରସ୍ପରକୁ କାଦୁଅ ଫିଙ୍ଗିବାରେ ଲାଗିଛନ୍ତି। ହୋ-ହାଲ୍ଲା କରୁଛନ୍ତି, ପୋଷ୍ଟର, ବ୍ୟାନର ଦେଖାଉଛନ୍ତି। ଦାବି ଉଠାଇବାରେ କୌଣସି ଅସଙ୍ଗତି ନାହିଁ। ହେଲେ ଏପରି ଢଙ୍ଗରେ ଦାବି ଉପସ୍ଥାପନ କରୁଛନ୍ତି ଯେ, ଏହି ପ୍ରସଙ୍ଗ ଆଲୋଚନା ହୋଇ ପାରୁନି କି ଅନ୍ୟ ପ୍ରସଙ୍ଗ ଉଠି ପାରୁନାହିଁ। ଲୋକଙ୍କୁ ଭୂଆଁ ବୁଲାଇ ଏହି ଦୁଇ ପ୍ରସଙ୍ଗ ଉପରେ ତୁତୁ ମେଁମେଁ ହୋଇ ସମୟ ସାରିଦେବାକୁ ଆମ ନେତାମାନେ ଯେମିତି ମନ ସ୍ଥିର କରିସାରିଛନ୍ତି।

ବିଧାନସଭାରେ ଚାଷୀ ପ୍ରସଙ୍ଗକୁ ବିରୋଧୀ ଜାବୁଡି ଧରିଛନ୍ତି। ସେପଟେ ଶାସକ ଦଳ ମହାନଦୀକୁ ଅସ୍ତ୍ର କରିଛି। ଏହି ଟଣାଓଟରା ଭିତରେ ଆଜି ମଧ୍ୟ ଧୋଇ ଯାଇଛି ପ୍ରଶ୍ନକାଳ ଓ ଶୂନ୍ୟକାଳ।

ପ୍ରଶ୍ନକାଳରେ ଉଭୟ କଂଗ୍ରେସ ଓ ବିଜେପି ବିଧାୟକଙ୍କ ନାରାବାଜିରେ କମ୍ପିଥିଲା ବିଧାନସଭା। ବାଚସ୍ପତିଙ୍କ ଟେବୁଲ ବାଡେଇ ଚାଷୀଙ୍କ କଥା ଶୁଣିବାକୁ ଦାବି କରିଥିଲେ ବିଜେପି ବିଧାୟକ ରବି ନାୟକ। ପାଟିତୁଣ୍ଡ ଯୋଗୁ ଚାଲିପାରି ନଥିଲା ପ୍ରଶ୍ନକାଳ। ଦିନ ୧୨ ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଥିଲେ ବାଚସ୍ପତି। ଗୃହ ବାହାରେ କଂଗ୍ରେସ ଅଭିଯୋଗ କରିଥିଲା, ମଣ୍ଡିରେ ଧାନ ବିକ୍ରି କରିପାରୁନାହାଁନ୍ତି ଚାଷୀ। ଧାନ କିଣାରେ ବ୍ୟାପକ ଦୁର୍ନିତି ଅଭିଯୋଗ ଆଣିଥିଲା ଦଳ। ସବୁ ସ୍ଥାନରେ କୁଇଣ୍ଟାଲ ପିଛା ୮ରୁ ୧୦ କେଜି ପର୍ଯ୍ୟନ୍ତ ଧାନ କାଟି ରଖାଯାଉଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟ୍ରା ସାଜିଛି ବୋଲି ଦଳ ଅଭିଯୋଗ କରିଥିଲା। ବିଜେପି ବିଧାୟକ ଅଭାବି ବିକ୍ରି କଥା କହିବା ସହ ଫସଲ ବୀମାରେ ପ୍ରଶାସନ ଅବହେଳ ଯୋଗୁ ଚାଷୀ କିପରି ପ୍ରତାରିତ ହୋଇଛନ୍ତି ସେ କଥା ଉଠାଇଥିଲେ। ଚାଷୀଙ୍କ ସମସ୍ୟା ସମାଧାନ ଦିଗରେ ସରକାର ବିଫଳ ହୋଇଥିବା ଅଭିଯୋଗ ନେଇ ରାଜ୍ୟପାଳଙ୍କ ପାଖରେ ଫେରାଦ ହୋଇଥିଲେ ବିଜେପି ବିଧାୟକ।

ଏପଟେ ପ୍ରଶ୍ନକାଳରେ ଚୁପ ଥିବା ଶାସକ ଦଳ ଶୁନ୍ୟକାଳରେ ମହାନଦୀ ମହାଧୋକା କଥା ଉଠାଇ କେନ୍ଦ୍ର ଉପରେ ବର୍ଷିଥିଲା। ବିରୋଧୀଙ୍କ ହୋହାଲ୍ଲା ଭିତରେ ବିଜେଡି ବିଧାୟକ ଛତିଶଗଡର ମନମୁଖୀ କାମ କଥା କହି କେନ୍ଦ୍ରର ଆଭିମୁଖ୍ୟକୁ ନିନ୍ଦା କରିଥିଲେ। ତେବେ ବିରୋଧୀ ବିଧାୟକ ବାଚସ୍ପତିଙ୍କ ଟେବୁଲ ଉପରକୁ ଚଢିବାକୁ ଉଦ୍ୟମ କରିବା ପରେ ୩ଟା ଯାଏଁ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି।

ଅପରାହ୍ନରେ ଗୃହ ସ୍ୱାଭାବିକ ହୋଇଥିଲା। ଅତିରିକ୍ତ ବ୍ୟୟ ମଂଜରୁୀ ବିଲ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ। ଗୃହରେ ଆଲୋନା ପରେ ଅତିରିକ୍ତ ବଜେଟରେ ହୋଇଥିବା ୯୮୨୮ କୋଟି ୫୭ ଲକ୍ଷ ଟଙ୍କାର ବ୍ୟୟ ମଂଜୁରୀ ବିଲ ପାରିତ ହୋଇଥିଲା।

Related story