ସାଲେପୁର(ମନୋଜ କୁମାର ଆଚାର୍ଯ୍ୟ): ଅତିରିକ୍ତ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ। ବେଆଇନ ଭାବେ ହୋଇଥିବା ଏକ ଇଟାଭାଟିକୁ ଉଚ୍ଛେଦ ପାଇଁ ଯାଇଥିବା ବେଳେ ଏହି ଆକ୍ରମଣ ହୋଇଛି। କଟକ ଜିଲ୍ଲା ମାହାଙ୍ଗା ତହସିଲର ଅତିରିକ୍ତ ତହସିଲଦାର ଓ ତାଙ୍କ ଟିମ୍ ଉପରେ ଆକ୍ରମଣ ହୋଇଛି।
କଟକ ଜିଲ୍ଲା ମାହାଙ୍ଗା ତହସିଲ ଅଞ୍ଚଳରେ ଦିନକୁ ଦିନ ବେଆଇନ ବାଲି ଚାଲାଣ ଓ ଇଟା ଚୋରା କାରବାର ବୃଦ୍ଧି ପାଉଥିବା ବେଳେ ଏହି ବ୍ୟବସାୟୀ ମାନଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଯାହା ଫଳର ମାହାଙ୍ଗାରେ ଆଇନ ସୃଙ୍ଖଳା ପରିସ୍ଥିତି ଦେଖା ଦେଇଛି। ଗତ ଦୁଇ ସପ୍ତାହ ତଳେ ଏକ ବେଆଇନ୍ ବାଲି ଉଠାଉଥିବା ଏକ ଘାଟାରୁ ଗାଡ଼ି ଜବତ କରିବାକୁ ଯାଇ ଜଣେ ଆରଆଇଙ୍କ ଉପରେ ସଙ୍ଗବଦ୍ଧ ଭାବେ ଆକ୍ରମଣ ହୋଇଥିଲା। ପୁଲିସ
କର୍ମଚାରୀଙ୍କ ଉପସ୍ଥିତିରେ ମରଣାନ୍ତକ ଆକ୍ରମଣ କରାଯାଇ ଥିଲା। ଏହି ଘଟଣାରେ ୬ ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ନାମରେ ମାମଲା ଥିବାବେଳେ ମାତ୍ର ୨ ଜଣ ଙ୍କୁ ଗିରଫ କରାଯାଇଥିଲା। ଅନ୍ୟ ଅଭିଯୁକ୍ତ ମାନଙ୍କୁ ଆଜି ପର୍ଯ୍ୟନ୍ତ ଗିରଫ ହୋଇନାହାନ୍ତି। ଆଜିମାହାଙ୍ଗା ତହସିଲ୍ ପକ୍ଷରୁ ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାୟକଙ୍କ ନେତୃତ୍ୱରେ ଏକ ଟିମ ବେଆଇନ ଇଟଭାଟି ପଡିଥିବା ଅଭିଯୋକ୍ରମେ ଗୌଡ଼ପଡ଼ା ରାଜସ୍ୱ ନିରୀକ୍ଷକ ଅଧୀନ ପର୍ଶୁରାମପୁର ଗ୍ରାମକୁ ଯାଇଥିଲେ।
ସେଠାରେ ପହଞ୍ଚିବା ପରେ ବେଆଇନ ଇଟାଭାଟି ପକାଇଥିବା ବ୍ୟକ୍ତି ଓ ତାଙ୍କ ସମ୍ପର୍କୀୟ ମାନେ ଅଶ୍ଲୀଳ ଭାଷାରେ ଗାଳଗୁଲଜ କରିବା ସହ ଅତିରିକ୍ତ ତହସିଲଦାର , ରାଜସ୍ୱ ନିରୀକ୍ଷକଙ୍କ ସହ ଗାଡିଉପରକୁ ଆକ୍ରମଣ କରି ଭଙ୍ଗାରୁଜା କରିଥିଲେ। ଏନେଇ ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅତିରିକ୍ତ ତହସିଲଦାର ମାହାଙ୍ଗା ଥାନାରେ ଲିଖିତ ଏତଲା ଦେଇଛନ୍ତି। ମାହାଙ୍ଗା ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।