ଡାକ୍ତରଖାନାରୁ ଫେରୁଥିବା ବେଳେ ଚାଲିଗଲା ବାପପୁଅଙ୍କ ଜୀବନ

ସୋନପୁର (ରବୀନ୍ଦ୍ର ହୋତା): ବାପାଙ୍କ ଦେହ ଆସୁସ୍ଥ ଥିଲା। ଏଣୁ ଅନ୍ୟ ଜଣଙ୍କ ସହାୟତାରେ ବାପାଙ୍କୁ ବାଇକରେ ବସାଇ ଡାକ୍ତରଖାନା ନେଇଥିଲା ପୁଅ। କିନ୍ତୁ ଡାକ୍ତରଙ୍କୁ ଦେଖାଇ ଫେରିଲା ବେଳେ ଘଟିଲା ଦୁର୍ଘଟଣା। ଆଉ ଘଟଣାସ୍ଥଳରେ ହିଁ ଚାଲିଗଲା ବାପପୁଅଙ୍କ ଜୀବନ। ଏହି ଦୁଃଖଦ ଘଟଣା ଘଟିଛି ବୀରମହାରାଜପୁର-ସୋନପୁର ରାସ୍ତାର ମହଦା ନିକଟରେ।

ମୃତକ ଦ୍ୱୟ ହେଲେ ସୁବଳୟା ଥାନା ଟିକିରାପଡ଼ା ଗାଁର ଶେଷଦେବ ବେହେରା ଓ ତାଙ୍କ ପୁଅ ଉତ୍ତମ ବେହେରା।

ଶେଷଦେବ ଅସୁସ୍ଥ ଥିବାରୁ ଗାଁର ଅନ୍ୟ ଜଣେ ଯୁବକଙ୍କ ସହ ବାଇକରେ ତାଙ୍କୁ ସୋନପୁର ହସପିଟାଲକୁ ନେଇଥିଲେ ଉତ୍ତମ। ଡାକ୍ତରଙ୍କୁ ଦେଖାଇ ଫେରୁଥିବା ସମୟରେ ମହଦା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ମାର୍ବଲ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍ ସେମାନଙ୍କୁ ଧକ୍କା ଦେଇଥିଲା।

ଘଟଣାସ୍ଥଳରେ ଶେଷଦେବ ବେହେରାଙ୍କ ମୃତ୍ୟୁ ହୋଇଥିଲା। ଉତ୍ତମଙ୍କୁ ସୋନପୁର ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ବାଇକରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇବା ପରେ ପିକ୍‌ଅପ୍‌ ଭ୍ୟାନ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବୀରମହାରାଜପୁର ପୁଲିସ ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।