ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୪ ବର୍ଷ ତଳୁ ମା’ ପର କରି ଚାଲି ଯାଇଛି। ଭରସା କହିଲେ ଏକମାତ୍ର ବାପା। ହେଲେ ବାପା ବି ଶେଷରେ ଧୋକା ଦେଲା । ବସ୍ଷ୍ଟାଣ୍ଡରେ ୨ ନିଷ୍ପାପ ଶିଶୁଙ୍କୁ ଛାଡ଼ି ଫେରାର ହୋଇଗଲା ବାପା। ଦୀର୍ଘ ସମୟ ଧରି ବାପାଙ୍କୁ ନ ପାଇ କାନ୍ଦି କାନ୍ଦି ନୟାନ୍ତ ହୋଇଥିବା ୨ ଶିଶୁଙ୍କୁ ଉଦ୍ଧାର କରିଛି ପୁଲିସ୍। ଏପରି ଲଜ୍ଜାଜନକ ଘଟଣା ଆଜି ଖୋଦ ରାଜଧାନୀର ଛାତି ଉପରେ ଘଟିଛି। ୨ ଛୁଆଙ୍କ କରୁଣ ମୁହଁ ଦେଖି ଏପରି ବାପା ଆଉ କାହାକୁ ନ ମିଳୁ ବୋଲି କହିଛନ୍ତି ଦେଖଣାହାରୀ।
ମିଳିଥିବା ସୂଚନା ମୁତାବକ , ଭୁବନେଶ୍ୱର ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ଆଜି ସକାଳେ ଅସହାୟ ଅବସ୍ଥାରେ ୨ ଭାଇଉଭଣୀ ଉଦ୍ଧାର ହୋଇଛନ୍ତି । ଭଉଣୀର ବୟସ ୮ ବର୍ଷ ହୋଇଥିବା ବେଳେ ଭାଇର ବର୍ଷ ୫ । ଉଭୟଙ୍କ ଘର ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳରେ ବୋଲି ସୂଚନା ମିଳିଛି ।
ଭୁବନେଶ୍ୱରରେ ବଡ଼ ମା’ଙ୍କୁ ଦେଖା କରିବା ପାଇଁ ବାପାଙ୍କ ସହ ଆସିଥିଲେ । ମାତ୍ର ବସ୍ଷ୍ଟାଣ୍ଡରେ ବସାଇଦେଇ ବାପା କୁଆଡେ ଚାଲିଗଲେ ଯେ ଆଉ ଫେରିଲେନି। ପାଖରେ ନିଜର ବୋଲି କାହାକୁ ନ ପାଇ ବସି କାନ୍ଦୁଥିଲେ ଭାଇଭଉଣୀ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଉଭୟଙ୍କୁ ଉଦ୍ଧାର କରି ସିଡବ୍ଲ୍ୟୁସିରେ ହାଜର କରିଛି ଭରତପୁର ପୁଲିସ୍ ।