ଅଧିକ ୫ ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ନେଲାଣି କେନ୍ଦ୍ର, ତଥାପି ରାଜନୀତି ଛାଡ଼ୁନି ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟା ମାମଲାରେ ବିଜେପିର ନବୀନ ନିବାସ ଘେରାଉ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ଉଷୁନା ଚାଉଳ ଉଠାଣକୁ ରାଜନୀତିକ ଆୟୁଧ କରିଥିବା ଶାସକ ବିଜେଡିର ଅସଲ ଚେହେରା ପଦାରେ ପଡ଼ିଛି। ରାଜ୍ୟରୁ ଉଷୁନା ଚାଉଳ ଉଠାଣ ପ୍ରସଙ୍ଗରେ ଗତ ଦୁଇଦିନ ତଳେ ଏଫସିଆଇ ଅଫିସ ଆଗରେ ଗଣଧାରଣା ଦେଇ ବିଜେଡି ପରୋକ୍ଷରେ ରାଜ୍ୟ ସରକାରଙ୍କ ବେଆଇନ କାର୍ଯ୍ୟକୁ ଆଇନଗତ ମାନ୍ୟତା ଦେବାକୁ ଉଦ୍ୟମ କରିଛି । ଏପରିକି ରାଜ୍ୟରୁ କେତେ ପରିମାଣର […]

Rice

Ordigital Desk
  • Published: Wednesday, 09 February 2022
  • , Updated: 09 February 2022, 10:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟା ମାମଲାରେ ବିଜେପିର ନବୀନ ନିବାସ ଘେରାଉ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ଉଷୁନା ଚାଉଳ ଉଠାଣକୁ ରାଜନୀତିକ ଆୟୁଧ କରିଥିବା ଶାସକ ବିଜେଡିର ଅସଲ ଚେହେରା ପଦାରେ ପଡ଼ିଛି। ରାଜ୍ୟରୁ ଉଷୁନା ଚାଉଳ ଉଠାଣ ପ୍ରସଙ୍ଗରେ ଗତ ଦୁଇଦିନ ତଳେ ଏଫସିଆଇ ଅଫିସ ଆଗରେ ଗଣଧାରଣା ଦେଇ ବିଜେଡି ପରୋକ୍ଷରେ ରାଜ୍ୟ ସରକାରଙ୍କ ବେଆଇନ କାର୍ଯ୍ୟକୁ ଆଇନଗତ ମାନ୍ୟତା ଦେବାକୁ ଉଦ୍ୟମ କରିଛି ।

ଏପରିକି ରାଜ୍ୟରୁ କେତେ ପରିମାଣର କେଉଁ ଚାଉଳ କେନ୍ଦ୍ରୀୟ ପୁଲ୍ ପାଇଁ ଏଫସିଆଇ ଉଠାଣ କରିବ ତାହା ସମ୍ପୂର୍ଣ୍ଣ ଭାବେ ଏଫସିଆଇ ଉପରେ ନିର୍ଭର କରେ ବୋଲି କେନ୍ଦ୍ର ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଥିବା ଓଡ଼ିଶା ସରକାର ଆଇନକାନୁନ୍ ସବୁ ଜାଣିଥିଲେ ମଧ୍ୟ ପଂଚାୟତ ନିର୍ବାଚନବେଳେ ଶାସକ ବିଜେଡି ଏହି ପ୍ରସଙ୍ଗରେ ରାଜନୀତି ଆରମ୍ଭ କରିଛି । ଯଦିଓ ଓଡ଼ିଶାରୁ ଗତ ୫ବର୍ଷ ମଧ୍ୟରେ ୨୦୨୦-୨୧ ଖରିଫ ବର୍ଷରେ ସର୍ବାଧିକ ପରିମାଣର ଉଷୁନା ଚାଉଳ ଏଫସିଆଇ ଉଠାଣ କରିଛି ଓ ଗତ ଖରିଫ ବର୍ଷ ତୁଳନାରେ ଅଧିକ ୫ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ ହୋଇଛି ତଥାପି ବିଜେଡି ତା’ର ରାଜନୀତି ପାଇଁ ଉଷୁନା ଚାଉଳକୁ ପ୍ରସଙ୍ଗ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ୨୦୨୦-୨୧ ଖରିଫ ବର୍ଷରେ ୨୦୨୨ ଫେବୃୟାରୀ ୬ତାରିଖ ପର୍ଯ୍ୟନ୍ତ ମୋଟ ୪୩.୨୪ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ସଂଗ୍ରହ ହୋଇଛି । ସେଥିରେ ଏଫସିଆଇ ୧୭.୭୪ଲକ୍ଷ ମେଟ୍ରିକ ଟନ୍ ଓ ରାଜ୍ୟ ସରକାର ୨୫.୫୦ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ସଂଗ୍ରହ କରିଛନ୍ତି । ସେହିପରି ୨୦୧୯-୨୦ରେ ମୋଟ ୩୯.୮୭ଲକ୍ଷ ମେଟ୍ରିକ ଟନ୍ ଅର୍ଥାତ୍ ଏଫସିଆଇ ୧୬.୦୫ଲକ୍ଷ ମେଟ୍ରିକ ଟନ୍ ଓ ରାଜ୍ୟ ସରକାର ୨୩.୮୨ ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ, ୨୦୧୮-୧୯ ଖରିଫ ଋତୁରେ ମୋଟ ୩୬.୩୭ଲକ୍ଷ ମେଟ୍ରିକ ଟନ୍ (ଏଫସିଆଇ-୧୬.୦୪ଲକ୍ଷ ମେଟ୍ରିକ ଟନ୍‌), ୨୦୧୭-୧୮ରେ ମୋଟ ୨୬.୮୯ଲକ୍ଷ ମେଟ୍ରିକ ଟନ( ୧୧.୧୫ଲକ୍ଷ ମେଟ୍ରିକ ଟନ୍ ଏଫସିଆଇ) ଉଠାଣ କରିଛି ।

ତେବେ ଶାସକ ବିଜେଡିର ଅଭିଯୋଗ ଅନୁସାରେ ୨୦୨୦-୨୧ ଖରିଫ ବର୍ଷରେ ଓଡ଼ିଶାରେ ମୋଟ ୫୨ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉତ୍ପାଦିତ ହୋଇଛି । ଏଥିରୁ ରାଜ୍ୟ ୩୦ଲକ୍ଷ ମେଟ୍ରିକ ଟନ୍ ନିଜସ୍ୱ ବ୍ୟବହାର ପାଇଁ ରଖିଥିବାବେଳେ ବାକି ୨୨ଲକ୍ଷ ମେଟ୍ରିକ ଟନ୍ ଚାଉଳ ଏଫସିଆଇ ମାଧ୍ୟମରେ କେନ୍ଦ୍ରୀୟ ପୁଲକୁ ଦେବାକୁ ଦାବି କରି ଆସୁଛି । ଏଫସିଆଇ ମାତ୍ର ୨ଲକ୍ଷ ଟନ୍ ଅରୁଆ ଚାଉଳ ନେଇଥିବାବେଳେ ୫ଲକ୍ଷ ମେଟ୍ରିକ ଟନ୍ ଭିଟାମିନଯୁକ୍ତ ଉଷୁନା ଚାଉଳ ଉଠାଣ କରିବ ବୋଲି ଲକ୍ଷ୍ୟଧାର୍ଯ୍ୟ କରିଛି । ବାକି ୧୫ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଣ ଦାବିରେ ବିଜେଡି ଗତ କିଛିଦିନ ଧରି ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ରାଜନୀତି କରୁଛି ।

ଅନ୍ୟପକ୍ଷରେ କେନ୍ଦ୍ର ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ପ୍ରତ୍ୟେକ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଥାଏ । ସେଥିରେ ପ୍ରାବଧାନ ରହିଛି ଯେ, ଯଦି ରାଜ୍ୟ ସରକାରଙ୍କ ଦ୍ୱାରା ସଂଗ୍ରହ କରାଯାଇଥିବା ଚାଉଳର ପରିମାଣ ଟିପିଡିଏସ୍ (ସାଧାରଣ ବଣ୍ଟନ ବ୍ୟବସ୍ଥା) ଓ ଅନ୍ୟାନ୍ୟ ଜନକଲ୍ୟାଣ ଯୋଜନାରେ ଆବଣ୍ଟିତ ପରିମାଣଠୁ ଅଧିକ ହୁଏ ତା’ହେଲେ ଉକ୍ତ ବଳକା ଚାଉଳକୁ ଏଫସିଆଇକୁ ରାଜ୍ୟ ସରକାର ହସ୍ତାନ୍ତର କରିବେ । ତେବେ କେନ୍ଦ୍ରୀୟ ପୁଲକୁ ଏଫସିଆଇ ମାଧ୍ୟମରେ ରାଜ୍ୟ ସରକାର ଯେଉଁ ଚାଉଳ ଦେବେ ତାହା ଅରୁଆ ଚାଉଳ କି ଉଷୁନା ଚାଉଳ ହେବ ସେ ସମ୍ପର୍କରେ ଏଫସିଆଇ ନିଷ୍ପତ୍ତି ନେବ । ତା’ପୁଣି ଦେଶର ସାମଗ୍ରିକ ଚାଉଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବୋଲି ସ୍ପଷ୍ଟ ପ୍ରାବଧାନ ରହିଛି ।

ଏହି ପ୍ରାବଧାନକୁ ଉଲ୍ଲେଖ କରି କେନ୍ଦ୍ର ଖାଉଟି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଆଜି ଲୋକସଭାରେ ସ୍ପଷ୍ଟ କରିଛନ୍ତି ଯେ, କେନ୍ଦ୍ରୀୟ ପୁଲରେ ଉଷୁନା ଚାଉଳ ଗଚ୍ଛିତ ପରିମାଣ ବୃଦ୍ଧି ପାଇଥିବାରୁ ୨୦୨୧-୨୨ ଖରିଫ ଋତୁରେ ଆଉ ଉଷୁନା ଚାଉଳ ଉଠାଣ କରିବା ସ୍ଥିତିରେ ଏଫସିଆଇ ନାହିଁ । ତଥାପି ରାଜ୍ୟଗୁଡ଼ିକ ନିଜସ୍ୱ ଆବଶ୍ୟକତା ପାଇଁ ଉଷୁନା ଚାଉଳ ସଂଗ୍ରହ କରିପାରିବେ ।

ତେବେ ରାଜ୍ୟରୁ ବିଗତ ୫ବର୍ଷ ମଧ୍ୟରେ ସର୍ବାଧିକ ଉଷୁନା ଚାଉଳ ଏଫସିଆଇ ଉଠାଣ କରିଥିବା ସତ୍ତ୍ୱେ ରାଜ୍ୟ ସରକାର ଏଭଳି ଏମଓୟୁ ସ୍ୱାକ୍ଷର କରି ମଧ୍ୟ କିଭଳି ସବୁ ଉଷୁନା ଚାଉଳକୁ ଉଠାଣ ପାଇଁ ଦାବି କରୁଛନ୍ତି ତାହା ଆଶ୍ଚର୍ଯ୍ୟର କଥା । ଯଦିଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ ପରେ ୨୦୨୧ ନଭେମ୍ବର ୩ତାରିଖରେ କେନ୍ଦ୍ର ସରକାର ଅତିରିକ୍ତ ୫ଲକ୍ଷ ମେଟ୍ରିକ ଟନ୍ ଭିଟାମିନଯୁକ୍ତ ଉଷୁନା ଚାଉଳ ଉଠାଣ ଏଫସିଆଇ କରିବ ବୋଲି ସୂଚନା ଦେଇଥିଲେ ଓ ଏଫସିଆଇ ଅଧିକ ଭାବେ ଏହି ଚାଉଳ ଉଠାଣ କରିସାରିଛି ।
ତେଣୁ ରାଜ୍ୟରେ ପଂଚାୟତ ନିର୍ବାଚନ ଚାଲିଥିବାବେଳେ କେନ୍ଦ୍ର ବିରୁଦ୍ଧରେ କୌଣସି ପ୍ରସଙ୍ଗ ନଥିବାରୁ ଉଷୁନା ଚାଉଳ ଉଠାଣକୁ ଏକ ପ୍ରସଙ୍ଗ କରି ବିଜେଡି ଚର୍ଚ୍ଚାରେ ରହିବାକୁ ଚାହୁଁଥିବା ସ୍ପଷ୍ଟ ହୋଇଛି ।

Related story