‘କରୋନା’ ପାଇଁ ସବୁ ଡରିଲେ, ବିଦେଶୀଙ୍କୁ ନିଜ ବାଇକ୍‌ରେ ନେଲେ ରେଳ ସୁପରିଣ୍ଟେଣ୍ଡେଣ୍ଟ୍‌

କୋରାପୁଟ(ସୂର୍ଯ୍ୟ ପଣ୍ଡା): ‘କରୋନା’ ଭୟରେ ବିଦେଶୀ ନାଗରିକଙ୍କୁ ନେବା ପାଇଁ ଡରିଲେ ଗାଡ଼ି ଚାଳକ। ମେଡିକାଲ୍‌ ନେବା ପାଇଁ କୌଣସି ଗାଡ଼ି ମଙ୍ଗିଲେ ନାହିଁ। ଶେଷରେ କିଛି ଉପାୟ ନପାଇ ଷ୍ଟେସନ୍‌ରୁ ନିଜ ବାଇକ୍‌ରେ ବସାଇ ବିଦେଶୀ ପର୍ଯ୍ୟଟକଙ୍କୁ ମେଡିକାଲ୍‌ ନେଲେ ରେଳ ସୁପରିଣ୍ଟେଣ୍ଡେଣ୍ଟ୍‌। ଏପରି ଘଟଣା ଆଦିବାସୀ ଅଧ୍ୟୁଷିତ କୋରାପୁଟ୍‌ରେ ଘଟିଛି। ତେବେ ମେଡିକାଲ୍‌ରେ ଟେଷ୍ଟ ପରେ ସମ୍ପୃକ୍ତ ବିଦେଶୀ ନାଗରିକଙ୍କୁ ‘କରୋନା’ ହୋଇନଥିବା ଜଣାପଡ଼ିଛି। ପୂରା ଘଟଣା ଏମିତି। ଫ୍ରାନ୍ସ ନାଗରିକ ଜଣକ ଦିଲ୍ଲୀରେ […]

corona

Manoranjan Sial
  • Published: Wednesday, 18 March 2020
  • , Updated: 18 March 2020, 07:57 PM IST

କୋରାପୁଟ(ସୂର୍ଯ୍ୟ ପଣ୍ଡା): ‘କରୋନା’ ଭୟରେ ବିଦେଶୀ ନାଗରିକଙ୍କୁ ନେବା ପାଇଁ ଡରିଲେ ଗାଡ଼ି ଚାଳକ। ମେଡିକାଲ୍‌ ନେବା ପାଇଁ କୌଣସି ଗାଡ଼ି ମଙ୍ଗିଲେ ନାହିଁ। ଶେଷରେ କିଛି ଉପାୟ ନପାଇ ଷ୍ଟେସନ୍‌ରୁ ନିଜ ବାଇକ୍‌ରେ ବସାଇ ବିଦେଶୀ ପର୍ଯ୍ୟଟକଙ୍କୁ ମେଡିକାଲ୍‌ ନେଲେ ରେଳ ସୁପରିଣ୍ଟେଣ୍ଡେଣ୍ଟ୍‌। ଏପରି ଘଟଣା ଆଦିବାସୀ ଅଧ୍ୟୁଷିତ କୋରାପୁଟ୍‌ରେ ଘଟିଛି। ତେବେ ମେଡିକାଲ୍‌ରେ ଟେଷ୍ଟ ପରେ ସମ୍ପୃକ୍ତ ବିଦେଶୀ ନାଗରିକଙ୍କୁ ‘କରୋନା’ ହୋଇନଥିବା ଜଣାପଡ଼ିଛି।

ପୂରା ଘଟଣା ଏମିତି। ଫ୍ରାନ୍ସ ନାଗରିକ ଜଣକ ଦିଲ୍ଲୀରେ ‘କରୋନା’ ଟେଷ୍ଟ ପରେ ଓଡ଼ିଶା ଅଭିମୁଖେ ଟ୍ରେନ୍‌ରେ ଯାତ୍ରା କରିଥିଲେ। ଗତ ୫ ତାରିଖରେ ସେ ଭୁବନେଶ୍ୱରରେ ପହଞ୍ଚିଥିଲେ। ଏଠାରେ ପହଞ୍ଚିବା ପରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ତାଙ୍କର ‘କରୋନା’ ଟେଷ୍ଟ ହୋଇଥିଲା। ତେବେ ତାଙ୍କ ଶରୀରରେ ‘କରୋନା’ ଭୂତାଣୁ ଥିବାର କୌଣସି ଲକ୍ଷଣ ନଥିବାରୁ ଛାଡ଼ି ଦିଆଯାଥିଲା। ତା’ପରେ ସେ ଶ୍ରୀକ୍ଷେତ୍ର ପୁରୀ ଚାଲି ଯାଇଥିଲେ।

ଗତକାଲି ରାତିରେ ସେ ଟ୍ରେନ୍‌ରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବାର ଥିଲା। ମାତ୍ର କୌଣସି କାରଣବଶତଃ ସେ ପୁରୀ ରେଳ ଷ୍ଟେସନ୍‌ରୁ ଟ୍ରେନ୍‌ ଚଢ଼ି ପାରିନଥିଲେ। ତେବେ ରାତିରେ ସେ ନୀରାକାରପୁର ରେଳ ଷ୍ଟେସନ୍‌ରୁ ଟ୍ରେନ୍‌ ଚଢ଼ି ଥିଲେ। ଜଣେ ବିଦେଶୀ ନାଗରିକଙ୍କୁ ଏସି ବଗିରେ ଦେଖି ଅନ୍ୟ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ସମ୍ପୃକ୍ତ ଫ୍ରାନ୍ସ ନାଗରିକ ଜଣକ ‘କରୋନା’ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ଟୋଲ୍‌ ଫ୍ରି’ ନମ୍ୱରରେ ବାରମ୍ୱାର ଫୋନ୍‌ କରିଥିଲେ ରେଳ ଯାତ୍ରୀମାନେ।

ଫୋନ୍‌ ପାଇ କୋରାପୁଟ ରେଳ ଷ୍ଟେସନ୍‌ରେ ପହଞ୍ଚିଥିଲେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌, ପୁଲିସ, ପୌର କର୍ତ୍ତୃପକ୍ଷ, ଶ୍ରମ ବିଭାଗ, ରେଳ କର୍ତ୍ତୃପକ୍ଷ। ଟ୍ରେନ୍‌ ପହଞ୍ଚିବା ପରେ ଅଧିକାରୀମାନେ ଏସି ବଗିରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ତାଙ୍କର କାଗଜପତ୍ର ଯାଞ୍ଚ କରିଥିଲେ। ତାଥାପି ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ କୋରାପୁଟ ମେଡିକାଲ କଲେଜ ହସ୍ପିଟାଲକୁ ନେବାକୁ ସ୍ଥିର କରିଥିଲେ। ହେଲେ ଦୁର୍ଭାଗ୍ୟର ବିଷୟ ‘କରୋନା’ ଶୁଣି କୌଣସି ଗାଡ଼ି ଆସିନଥିଲେ।  ଶେଷରେ ରେଳ ଷ୍ଟେସନ୍ ସୁପରିଣ୍ଟେଣ୍ଡେଣ୍ଟ୍ ନିଜ ମୋଟରସାଇକେଲରେ ବସାଇ ପର୍ଯ୍ୟଟକଙ୍କୁ ମେଡିକାଲ ନେଇଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ସେ ‘କରୋନା’ ସଂକ୍ରମିତ ନଥିବା ଜଣାପଡିଛି।

Related story