କୋଭିଡ୍ ବିରୋଧରେ ଲଢ଼େଇ ଲମ୍ବା, ସମସ୍ତଙ୍କ ସହଯୋଗ ଲୋଡ଼ା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ପ୍ରତ୍ୟେକଙ୍କ ଜୀବନ ରକ୍ଷା ପାଇଁ ରାଜ୍ୟ ସରକାର ସର୍ବୋତ୍ତମ ଚେଷ୍ଟା ଜାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। କୋଭିଡ୍ ବିରୁଦ୍ଧରେ ଲଢ଼େଇ ଏକ ଲମ୍ବା ଲଢ଼େଇ। ଏହାକୁ ଜିତିବାକୁ ହେଲେ ସମସ୍ତଙ୍କୁ ଦାୟିତ୍ୱର ସହ କାମ କରିବାକୁ ପଡ଼ିବ ଓ ସମସ୍ତେ ସହଯୋଗ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ବିପତ୍ତି ସମୟରେ ଫ୍ରଣ୍ଟଲାଇନ୍ କୋଭିଡ୍ ଯୋଦ୍ଧମାନଙ୍କର ଯତ୍ନ ନେବା ଉପରେ ମୁଖ୍ୟମନ୍ତ୍ରୀ […]

Naveen Pattnaik

Naveen Pattnaik

Ordigital Desk
  • Published: Tuesday, 27 April 2021
  • Updated: 27 April 2021, 09:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ପ୍ରତ୍ୟେକଙ୍କ ଜୀବନ ରକ୍ଷା ପାଇଁ ରାଜ୍ୟ ସରକାର ସର୍ବୋତ୍ତମ ଚେଷ୍ଟା ଜାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। କୋଭିଡ୍ ବିରୁଦ୍ଧରେ ଲଢ଼େଇ ଏକ ଲମ୍ବା ଲଢ଼େଇ। ଏହାକୁ ଜିତିବାକୁ ହେଲେ ସମସ୍ତଙ୍କୁ ଦାୟିତ୍ୱର ସହ କାମ କରିବାକୁ ପଡ଼ିବ ଓ ସମସ୍ତେ ସହଯୋଗ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ବିପତ୍ତି ସମୟରେ ଫ୍ରଣ୍ଟଲାଇନ୍ କୋଭିଡ୍ ଯୋଦ୍ଧମାନଙ୍କର ଯତ୍ନ ନେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

ଆଜି ରାଜ୍ୟରେ କରୋନା ମହାମାରୀର ସ୍ଥିତି ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସାରା ଦେଶ ଏବେ ଏକ ଗୁରୁତର ସଙ୍କଟ ମଧ୍ୟ ଦେଇ ଗତି କରୁଛି। ବଡ଼ ବଡ଼ ସହର ଓ ମେଟ୍ରୋମାନଙ୍କରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଚାପଗ୍ରସ୍ତ। ଏହାକୁ ଦୃଷ୍ଟିରେ ରଖି ପରିସ୍ଥିତିର ମୁକାବିଲା ପାଇଁ ସତର୍କ ରହିବାକୁ ପଡ଼ିବ। ସଂକ୍ରମଣ ସଂଖ୍ୟା ବୃଦ୍ଧି ସତ୍ତ୍ୱେ କ୍ରମାଗତ ଭାବେ ଲୋକଙ୍କ ସେବା କରି ଚାଲିଛୁ। କିନ୍ତୁ କେତେକ ଜିଲ୍ଲାରେ ସଂକ୍ରମଣର ସ୍ଥିତି ଆମ ପାଇଁ ଉଦବେଗଜନକ ହୋଇଛି। କରୋନା ଭାଇରସର ଦ୍ୱିତୀୟ ଓ ତୃତୀୟ ମ୍ୟୁଟାଣ୍ଟ ଦ୍ରୁତ ଗତିରେ ବ୍ୟାପୁଛି।

ଏହି ଦ୍ୱିତୀୟ ଲହରୀ ଆମର ଯୁବଗୋଷ୍ଠୀକୁ ବିଶେଷ ଭାବେ ସଂକ୍ରମିତ କରୁଛି। କେତେକ କ୍ଷେତ୍ରରେ ସେମାନଙ୍କର ସ୍ୱାସ୍ଥ୍ୟ ଜଟିଳତା ମଧ୍ୟ ଦେଖାଦେଉଛି। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମୟରେ ଓଡ଼ିଶା ଯେଉଁ ନୀତି ଅବଲମ୍ବନ କରିଆସିଛି, ସେହିପରି କୋଭିଡର ମୁକାବିଲାରେ ସବୁଠୁ ଖରାପ ପରିସ୍ଥିତିର ସାମନା କରିବା ପାଇଁ ପ୍ରସ୍ତୁତ ରହିବା ଦରକାର। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତୃଣମୂଳସ୍ତରରେ ପରିସ୍ଥିତିର ଆକଳନ କରି ତ୍ରୁଟି ଶୂନ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ଓ ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପର୍ଯ୍ୟବେକ୍ଷକମାନେ ମଧ୍ୟ ଏସବୁ ପ୍ରତି ଯତ୍ନବାନ ହେବେ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

କୋଭିଡ୍ ନିୟନ୍ତ୍ରଣରେ ବିଭିନ୍ନ ଜିଲ୍ଲାର ବ୍ୟବସାୟିକ ସଂଗଠନମାନେ ସ୍ୱେଚ୍ଛାକୃତ ଭାବେ ଆଗେଇ ଆସି ବ୍ୟବସାୟ ସମୟକୁ ସୀମିତ ରଖିଛନ୍ତି ତ କେଉଁଠି ଦୋକାନ ବନ୍ଦ କରିଛନ୍ତି। ଏହା ସ୍ୱାଗତଯୋଗ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ସମସ୍ତ ଆବାସିକ ସଂଘ, ବଣିକ ସଂଘ, ଅନ୍ୟାନ୍ୟ ଗୋଷ୍ଠୀଭିତ୍ତିକ ସଂଗଠନଗୁଡ଼ିକ ସହ ସହଭାଗିତା ଭିତ୍ତିରେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କୋଭିଡ୍ ଗାଇଡଲାଇନ୍ ପାଳନ କରି ନିଜକୁ ସୁସ୍ଥ ରଖିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ସେହିପରି ମୁଖ୍ୟ ସଚିବ ସୁରେଶ ମହାପାତ୍ର କହିଛନ୍ତି ଯେ, କୋଭିଡ୍ ପରିସ୍ଥିତି ଉପରେ ବରିଷ୍ଠ ଅଧିକାରୀମାନେ ତୀକ୍ଷ୍ଣ ନଜର ରଖିଛନ୍ତି। କୋଭିଡ୍ କେୟାର ସେଣ୍ଟରଗୁଡ଼ିକୁ କ୍ରିୟାଶୀଳ କରାଯିବା ସହ ସମସ୍ତ କୋଭିଡ୍ ହସ୍ପିଟାଲଗୁଡ଼ିକୁ କାର୍ଯ୍ୟକ୍ଷମ କରାଯାଇଛି। ମେଡିକାଲ କଲେଜଗୁଡ଼ିକରେ ବେଡ୍ ସଂଖ୍ୟା ବୃଦ୍ଧି ସହ ବେସରକାରୀ ହସ୍ପିଟାଲଗୁଡ଼ିକୁ କୋଭିଡ୍ ହସ୍ପିଟାଲରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଉଛି। ୩୦ ପ୍ରତିଶତ ବେଡରେ ଅକ୍ସିଜେନ୍ ସୁବିଧା ଏବେ ଥିବାବେଳେ ଆଉ ଅଧିକ ୫ ପ୍ରତିଶତ ବେଡରେ ଅକ୍ସିଜେନ୍ ଯୋଗାଣ ପାଇଁ କାର୍ଯ୍ୟ କରାଯାଉଛି।

କୋଭିଡ୍ ହସ୍ପିଟାଲ ବେଡ ଗୁଡ଼ିକର ଉପଲବ୍ଧତାକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ଏକ ଅନଲାଇନ୍ ରିଏଲ ଟାଇମ୍ ବେଡ୍ ମ୍ୟାନେଜମେଣ୍ଟ ସିଷ୍ଟମ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସେହିପରି ଆଜିସୁଦ୍ଧା ୮ଟି ରାଜ୍ୟକୁ ୯୦ଟି ଟ୍ୟାଙ୍କର ମାଧ୍ୟମରେ ୧୬୭୫.୮୧ ଟନ୍ ଅକ୍ସିଜେନ ପଠାଯାଇଛି ବୋଲି ପୁଲିସ ଡିଜି ଅଭୟ ସୂଚନା ଦେଇଥିଲେ।

ଏହି ସମୀକ୍ଷା ବୈଠକରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବାଲେଶ୍ୱର, ଖୋର୍ଦ୍ଧା ଜିଲ୍ଲାପାଳମାନଙ୍କ ସହ ବରିଷ୍ଠ ଅଧିକାରୀମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos