ପେଟ୍ରୋଲ ପମ୍ପ ନିକଟରେ ଭୟାବହ ଅଗ୍ନିକାଣ୍ଡ

କଟକ(ଓଡ଼ିଶା ରିପୋର୍ଟର): କଟକ ସଦର ଥାନା ଅଧୀନ ବମ୍ଫକୁଦ ପେଟ୍ରୋଲ ପମ୍ପ ନିକଟରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ପେଟ୍ରୋଲ ପମ୍ପ ନିକଟରେ ଥିବା ଫାର୍ମ ହାଉସ ପରିସରରୁ ଏହି ନିଆଁ ବାହାରି ଥିବା ବେଳେ, ତାହା କିପରି ଲାଗିଲା ଜଣାପଡ଼ି ନାହିଁ। ଏହି ଅଗ୍ନିକାଣ୍ଡରେ କିନ୍ତୁ କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ସମୟରେ ଫାର୍ମ ହାଉସ ନିକଟରେ ପ୍ରଥମେ ନିଆଁ ଲାଗିଥିଲା।। ପରେ ଫାର୍ମ ହାଉସ ପାଖରେ ଥିବା ବୁଦୁବୁଦିଆ ଜଙ୍ଗଲକୁ  ନିଆଁ ଖୁବ୍‌ ଶୀଘ୍ର ବ୍ୟାପୀ ଯାଇଥିଲା। ଏହା ପାଖରେ ପେଟ୍ରୋଲ ପମ୍ପ  ଥିବା ବେଳେ ସେଠାକୁ ନିଆଁ ବ୍ୟାପିବା ଆଶଙ୍କାରେ ଅଗ୍ନିଶମ ବିଭାଗକୁ ଫୋନ୍‌ କରାଯାଇଥିଲା। ମାତ୍ର ଦୀର୍ଘ ସମୟ ପରେ ଦମକଳ ଗାଡ଼ି ପହଞ୍ଚିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।

ନିଆଁ ଖୁବ୍‌ ଜୋରରେ ମାଡ଼ିଥିଲା। ପ୍ରାୟ ୩ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି। ଘଟଣାସ୍ଥଳରେ କଟକ ଏସ୍‌ପି ପହଞ୍ଚି ନିଆଁ ଲିଭା କାର୍ଯ୍ୟର ତଦାରଖ କରିଥିଲେ। ଏଥିସହ ସ୍ଥିତି ନିୟନ୍ତ୍ରଣରେ ରହିଛି କାହାର କିଛି କ୍ଷତି ହୋଇନାହିଁ ବୋଲି କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।