ଲକ୍‌ଡାଉନ୍‌କୁ ସଫଳ କରିବା ପାଇଁ ଗଠନ ହେଲା ୫ଟି ଟିମ୍‌

ରାଉରକେଲା (ପୱନ ତିୱାରୀ): ‘କରୋନ’ ନିୟନ୍ତ୍ରଣ କରିବା ପାଇଁ ରାଉରକେଲାକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର। ହେଲେ ଏହାକୁ ସହରବାସୀ ଠିକ୍‌ ଭାବେ ପାଳନ କରୁନଥିବା ଅଭିଯୋଗ ହେଉଛି। ଯାହାକୁ ନେଇ ରାଉରକେଲା ମହାନଗର ଚିନ୍ତାରେ ପଡ଼ିଛି। ତେବେ ଆସନ୍ତାକାଲିଠାରୁ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଗଠନ କରାଯାଇଛି ୫ଟି ଟିମ୍‌। ଓଡ଼ିଶାରେ ଦ୍ୱିତୀୟ ‘କରୋନା’ ରୋଗୀ ଚିହ୍ନଟ ହେବାରେ ରାଉରକେଲା ମହାନଗର ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ଲକ୍‌ଡାଉନ୍‌ର […]

rkl

Manoranjan Sial
  • Published: Monday, 23 March 2020
  • , Updated: 23 March 2020, 10:35 PM IST

ରାଉରକେଲା (ପୱନ ତିୱାରୀ): ‘କରୋନ’ ନିୟନ୍ତ୍ରଣ କରିବା ପାଇଁ ରାଉରକେଲାକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର। ହେଲେ ଏହାକୁ ସହରବାସୀ ଠିକ୍‌ ଭାବେ ପାଳନ କରୁନଥିବା ଅଭିଯୋଗ ହେଉଛି। ଯାହାକୁ ନେଇ ରାଉରକେଲା ମହାନଗର ଚିନ୍ତାରେ ପଡ଼ିଛି। ତେବେ ଆସନ୍ତାକାଲିଠାରୁ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଗଠନ କରାଯାଇଛି ୫ଟି ଟିମ୍‌।

ଓଡ଼ିଶାରେ ଦ୍ୱିତୀୟ ‘କରୋନା’ ରୋଗୀ ଚିହ୍ନଟ ହେବାରେ ରାଉରକେଲା ମହାନଗର ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ଲକ୍‌ଡାଉନ୍‌ର ପ୍ରଥମ ଦିନ ଥିବାରୁ ନିଗମ କର୍ମଚାରୀମାନେ ବିଭିନ୍ନ ଅଞ୍ଚଳ ବୁଲି ସାଧାରଣ ଲୋକ ତଥା ବ୍ୟବସାୟୀଙ୍କୁ ସଚେତନ କରାଉଛନ୍ତି। ରାସ୍ତାରେ ବୁଲୁଥିବା ଲୋକଙ୍କୁ ଘରେ ରହିବା ପାଇଁ ଅନୁରୋଧ କରୁଛନ୍ତି। ତେବେ ଆସନ୍ତାକାଲିଠାରୁ ନିୟମକୁ କଡାକଡି କରାଯିବ। ଏଥିପାଇଁ ନିଗମ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି। ଏଥିଲାଗି ୫ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି। ଏହି ଟିମ୍‌ ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରିବା ସହ ଆବଶ୍ୟକ ସ୍ଥଳେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେବ। ଆଜି ନିଗମର ସାନିଟେସନ ଟିମ୍‌ ପକ୍ଷରୁ ସହରର ବିଭିନ୍ନ ବସ୍‌ ଷ୍ଟାଣ୍ଡରେ ଲିକୁଇଡ୍‌ ବିଶୋଧକ ସିଞ୍ଚନ କରାଯାଇଛି। ଆସନ୍ତାକାଲି ମଧ୍ୟ ଏହି କାର୍ଯ୍ୟ ଅନ୍ୟ ସ୍ଥାନମାନଙ୍କରେ ଜାରି ରହିବ। ଆଜି ମହାନଗର ନିଗମର କମିଶନର ଶ୍ରୀଯୁକ୍ତ ଦିବ୍ୟ ଜ୍ୟୋତି ପରିଡ଼ା ଓ ଯୋଗାଣ ବିଭାଗ ଅଧିକାରୀମାନେ ବିଭିନ୍ନ ବ୍ୟବସାୟୀଙ୍କ ସହ ଆଲୋଚନା କରିଛନ୍ତି। ଚଢାଦର ଓ କଳା ବଜାରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେଵାଲାଗି ଚେତାଇ ଦେଇଛନ୍ତି କମିଶନର।

ସେହିପରି ରାଉରକେଲା ଏଡିଏମ୍‌ ଶ୍ରୀମତୀ ଆବୋଲି ସୁନୀଲ ନରୱଣେ ଓ ନିଗମର ଉପାୟୁକ୍ତ ସୁଧାଂଶୁ ଭୋଇଙ୍କ ନେତୃତ୍ୱରେ ପୁଲିସ, ଆରଜିଏଚ୍‌ ଓ ଆଇଜିଏଚ୍‌ କର୍ତ୍ତୃପକ୍ଷ, ପରିବହନ ଅଧିକାରୀ, ଡ୍ରଗ୍ସ କଂଟ୍ରୋଲର ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ବୈଠକ ହୋଇଛି। ଏଥିରେ ବିଭିନ୍ନ ବିଷୟରେ ଆଲୋଚନା ହେବା ସହ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯାଇଛି। ସେପଟେ ଗତକାଲି ଓ ଆଜି ରାଜ୍ୟ ବାହାରୁ ଟ୍ରେନ୍‌ ଯୋଗେ ଆସିଥିବା ଲୋକଙ୍କ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ସେମାନଙ୍କ ନିକଟରେ  କୌଣସି ‘କରୋନା’ ସଂକ୍ରମଣର ଲକ୍ଷଣ ଦେଖାଯାଇନଥିବା ଜଣାପଡିଛି। ତଥାପି ସେମାନଙ୍କୁ ୧୪ ଦିନର ହୋମ୍‌ ଆଇସୋଲେସନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। ଏହା ସୁନିଶ୍ଚିତ କରିବା ଲାଗି ADPHOଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟରେ ମହାନଗର ନିଗମର କର୍ମଚାରୀମାନେ ମଧ୍ୟ ସହଯୋଗ କରିବେ। ରାଜ୍ୟ ବାହାରୁ ଅନ୍ୟ ମାଧ୍ୟମ ଯଥା ବସ, ନିଜସ୍ୱ ଗାଡ଼ି କିମ୍ୱା ଫ୍ଲାଇଟ୍‌ ଯୋଗେ ଆସିଥିବା ଲୋକେ ମହାନଗର ନିଗମର ୱେବସାଇଟରେ ଦିଆଯାଇଥିବା ‘କରୋନା’ ଲିଙ୍କକୁ ଯାଇ ନିଜର ପଞ୍ଜିକରଣ କରିପାରିବେ। ନିଗମ ପକ୍ଷରୁ  ପ୍ରଚାର ଗାଡି ଯୋଗେ ଲୋକଙ୍କୁ ଅଧିକ ସଚେତନ କରାଯାଉଛି।

Related story