ବନ୍ୟା ନିୟନ୍ତ୍ରଣ କାହିଁକି କରିପାରୁନି ହୀରାକୁଦ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବନ୍ୟା ଦେଇଯାଉଛି ଅସରନ୍ତି ଦୁଃଖ। ପ୍ରତିବର୍ଷ ଏଥିନିମନ୍ତେ ବହୁ ଲୋକ ଦହଗଞ୍ଜ ହେଉଛନ୍ତି। ନଦୀ ବନ୍ଧ ଭାଙ୍ଗୁଛି। ରାସ୍ତା ଧୋଇଯାଉଛି। ଲୋକେ ଚାଷବାସ ହରାଉଛନ୍ତି। ସରକାର ବନ୍ୟା ନିୟନ୍ତ୍ରଣରେ ଫେଲ୍ ହେଉଛନ୍ତି। କାହିଁକି ବନ୍ୟା ନିୟନ୍ତ୍ରଣରେ ସଂପୂର୍ଣ୍ଣ ସମର୍ଥ ହେଉନି ହୀରାକୁଦ ଡ୍ୟାମ୍। ପଟୁମାଟିରେ ଜଳଭଣ୍ଡାର ପୋତି ହୋଇଯିବାର ଏହାର କାରଣ ନା  ଉପରମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ ନିର୍ମାଣ କରିବା ଏହାର କାରଣ। ହୀରାକୁଦ ଡ୍ୟାମ୍‌ର ଜଳଧାରଣ କ୍ଷମତା ଠିକ୍ ରହୁଛି ନା ନାହିଁ। ରୁଲ୍ କର୍ଭରେ ସଂଶୋଧନ ନହେବା ଯୋଗୁଁ ବନ୍ୟା ପରିଚାଳନାରେ ସମସ୍ୟା ହେଉଛି କି। ନା ହୀରାକୁଦ ତଳମୁଣ୍ଡରେ ବନ୍ୟା ପାଣି ନିୟନ୍ତ୍ରଣ ଲାଗି କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ସ୍ଥିତି ଗୁରୁତର ହେଉଛି। ରାଜ୍ୟ ସରକାର ଏ ବାବଦରେ ଚୁପ୍। ହେଲେ ପ୍ରତିବର୍ଷ କୋଟି କୋଟି ଟଙ୍କା ବନ୍ୟା ନିୟନ୍ତ୍ରଣ ନାମରେ ଖର୍ଚ୍ଚ ହେଉଛି।

ହୀରାକୁଦ ଡ୍ୟାମ୍ କାର୍ଯ୍ୟକ୍ଷମ ହେବାର ୬୪ ବର୍ଷ ପୂରିଥିବାରୁ ଏତେ ପୁରୁଣା ବନ୍ଧର ସୁରକ୍ଷା ଓ ବନ୍ୟା ନିୟନ୍ତ୍ରଣ ନେଇ ଠୋସ୍ ପଦକ୍ଷେପ ନିଆଯିବା ଜରୁରୀ ହୋଇପଡ଼ିଛି। ୧୯୬୨ ମସିହାରେ କାର୍ଯ୍ୟକ୍ଷମ ହୋଇଥିବା ହୀରାକୁଦ ଡ୍ୟାମ୍ ପରେ ତଳମୁଣ୍ଡରେ ଆଉ ବନ୍ୟା ନିୟନ୍ତ୍ରଣ ଲାଗି କୌଣସି ବ୍ୟବସ୍ଥା ନଥିବାରୁ ଜଳଗମ୍ନ ହେଉଛି କି ତଳି ଅଞ୍ଚଳ ? ଡ୍ୟାମ୍ ତଳମୁଣ୍ଡରେ ୭ଟି ବ୍ୟାରେଜ୍ ନିର୍ମାଣ ପାଇଁ ଯୋଜନା କରିଥିଲେ ରାଜ୍ୟ ସରକାର। ହେଲେ ଏପର୍ଯ୍ୟନ୍ତ ଗୋଟିଏ ବି କାର୍ଯ୍ୟକାରୀ ହୋଇନାହିଁ। ଫଳରେ ମହାନଦୀ ଉପରମୁଣ୍ଡରେ ବର୍ଷା ହେଲେ ପ୍ରତିଥର ତଳମୁଣ୍ଡରେ ଥିବା ଜିଲ୍ଲାବାସୀଙ୍କୁ ବନ୍ୟା କଷ୍ଟ ଭୋଗିବାକୁ ପଡୁଛି।

ଛତିଶଗଡ଼ ଓ ଓଡ଼ିଶାରେ ପ୍ରବଳ ବର୍ଷା ହେବା ପରେ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି। ହୀରାକୁଦ ଜଳଭଣ୍ଡାର ପଛୁଆ ପାଣିରେ ବରଗଡ ଜିଲ୍ଲାର ଅନେକ ଗାଁରେ ପାଣି ପଶିଥିବା ବେଳେ ତଳମୁଣ୍ଡରେ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନଗୁଳ, ନୟାଗଡ, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରପଡା, ଯାଜପୁର ଜିଲ୍ଲାର ଅନେକ ଅଞ୍ଚଳ ଜଳଗମ୍ନ ହୋଇଛି।

ପୂର୍ବରୁ ୧୯୮୨, ୨୦୦୧, ୨୦୦୬, ୨୦୦୮, ୨୦୧୧, ୨୦୨୦ରେ ମହାନଦୀ ଅବବାହିକାରେରେ ବି ବଡ ବନ୍ୟା ଆସିଥିଲା। ଏଥର କମ୍ ପାଣି ଆସିଥିଲେ ବି ସ୍ଥିତି ଅଧିକ ଜଟିଳ ହୋଇଛି। ତେବେ ଏନେଇ ରାଜ୍ୟ ସରକାର କିମ୍ବା ଜଳସଂପଦ ବିଭାଗ ନିକଟରେ କୌଣସି  ନିର୍ଦ୍ଦିଷ୍ଟ ଉତ୍ତର ନାହିଁ।

ତେଣେ ହୀରାକୁଦ ମାଟିବନ୍ଧକୁ ୬୪ ବର୍ଷ ପୂରିଲାଣି। ଏହାସତ୍ତ୍ୱେ ତଳି ଅଞ୍ଚଳକୁ ବଢିରୁ ବଞ୍ଚାଇବାକୁ ଯାଇ ଅନେକ ସମୟରେ ଜଳଭଣ୍ଡାରରେ ଅଧିକ ଜଳ ରଖିବାକୁ ପଡୁଛି। ଯେମିତିକି ଏଥର ୬୨୭ ଫୁଟ ଜଳ ରଖିବାକୁ ପଡିଛି। ଯାହାକି ସାଂଘାତିକ ସ୍ଥିତି ସୃଷ୍ଟି କରିବା ଆଶଙ୍କା ବି ରହିଛି। ତେଣୁ ବର୍ଷା ଦିନେ ବନ୍ୟା ଜଳର ସ୍ଥିତି ସଂପର୍କରେ ଜାଣିବା ପାଇଁ  ଡ୍ୟାମର ଉପର ମୁଣ୍ଡରେ ଗେଜ୍ ଷ୍ଟେସନ୍ ପ୍ରତିଷ୍ଠାର ଆବଶ୍ୟକତା ଥିବା କୁହାଯାଉଛି।

ମହାନଦୀ ବନ୍ୟା ପରିଚାଳନାରେ ଅନେକ ସମୟରେ ମାନବୀୟ ତ୍ରୁଟି ବି ନଜରକୁ ଆସୁଛି। ରୁଲ୍ କର୍ଭରେ ସଂଶୋଧନ ହୋଇନଥିବାରୁ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟି ହେଉଛି। କେଉଁ ସମୟରେ ଡ୍ୟାମରେ କେତେ ପାଣି ରହିବ ତାହା ରୁଲ୍ କର୍ଭ ଅନୁସାରେ ହିଁ ହୋଇଥାଏ। ତେବେ ଭୌଗଳିକ ସ୍ଥିତି ଓ ବର୍ଷା ପାଟର୍ଣ୍ଣରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ୧୯୮୮ରୁ ରୁଲ୍ କର୍ଭରେ ସଂଶୋଧନ କରାଯାଇନି। ଫଳରେ ବନ୍ୟା ପରିଚାଳନାରେ ଅସୁବିଧା ହେଉଥିବା କୁହାଯାଉଛି।

ଜଳସଂପଦ ବିଭାଗ ଅବସରପ୍ରାପ୍ତ ମୁଖ୍ୟମନ୍ତ୍ରୀ ଯଶୋବନ୍ତ ପରିଡ଼ା କହିଛନ୍ତି, ହୀରାକୁଦ ଡ୍ୟାମ୍‌ରେ ପଟୁ ମାଟି ଜମିବା ବନ୍ୟାର ଏକ କାରଣ ହୋଇଛି। ଏହାର ପ୍ରତିକାର କରିବା ଜରୁରୀ।

ଏନେଇ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି, ହୀରାକୁଦ ଡ୍ୟାମ୍ ପୋତିହେବା ନେଇ ସର୍ଭେ ଚାଲିଛି। ରିପୋର୍ଟ ମିଳିବା ପରେ ପଦକ୍ଷେପ ନିଆଯିବ। ତେବେ ଏହା ବନ୍ୟା ଜଳ ନିୟନ୍ତ୍ରଣରେ କୌଣସି ପ୍ରଭାବ ପକାଇବନି।

ହୀରାକୁଦ ଡ୍ୟାମ୍ ସର୍ବୋଚ୍ଚ ଯନ୍ତ୍ରୀ ଆନନ୍ଦ ସାହୁ କହିଛନ୍ତି, ୩୫ ବର୍ଷ ତଳେ ହୀରାକୁଦର ଯାହା ସ୍ଥିତି ଥିଲା, ତାହା ଏବେ ନାହିଁ। ତେଣୁ ରୁଲ୍ କର୍ଭରେ ସଂଶୋଧନ ଆବଶ୍ୟକ ରହିଛି। ଏନେଇ ସେ ମଧ୍ୟ ସରକାରଙ୍କୁ ଜଣାଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।