ରାଜ୍ୟରେ ବନ୍ୟା ପରିସ୍ଥିତରେ ସୁଧାର ଆସୁଛି : ମୁଖ୍ୟ ସଚିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀରେ ଯେଉଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ସେଥିରେ ଧୀରେଧୀରେ ସୁଧାର ଆସିବାରେ ଲାଗିଛି ବୋଲି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଆଜି ରାଜ୍ୟର ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପରେ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ମହାନଦୀରେ ଜଳଭଣ୍ଡାରର ଜଳସ୍ତର ୬୨୫.୨୯ମିଟର ଅଛି। ଏବେ ଜଳଭଣ୍ଡାର ମଧ୍ୟକୁ ୬ଲକ୍ଷ […]

FLOOD-2-1

FLOOD-2-1

Tapas Behera
  • Published: Friday, 28 August 2020
  • Updated: 28 August 2020, 10:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀରେ ଯେଉଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ସେଥିରେ ଧୀରେଧୀରେ ସୁଧାର ଆସିବାରେ ଲାଗିଛି ବୋଲି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଆଜି ରାଜ୍ୟର ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପରେ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ମହାନଦୀରେ ଜଳଭଣ୍ଡାରର ଜଳସ୍ତର ୬୨୫.୨୯ମିଟର ଅଛି। ଏବେ ଜଳଭଣ୍ଡାର ମଧ୍ୟକୁ ୬ଲକ୍ଷ ୯୦ହଜାର ୧୧୮କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୪ଲକ୍ଷ ୧୧ହଜାର ୯୮୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଆଜି ଦିନ ୨ଟା ସୁଦ୍ଧା ୩୬ଟି ଗେଟ୍ ଖୋଲା ଅଛି। ଜଳଭଣ୍ଡାର ମଧ୍ୟକୁ ସର୍ବାଧିକ ୮ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରିବାର ସମ୍ଭାବନା ରହିଛି। ଫଳରେ ସର୍ବାଧିକ ୪୨ଟି ଗେଟ୍ ଖୋଲାଯାଇପାରେ। ଏବେ ନିଷ୍କାସିତ ଜଳ ଖଇରମାଳଠାରେ ୯.୯୩ଲକ୍ଷ କ୍ୟୁସେକ, ବାରମୂଳାଠାରେ ୭ଲକ୍ଷ ୩୪ହଜାର ୨୫୦କ୍ୟୁସେକ୍ ଓ ମୁଣ୍ଡୁଳିଠାରେ ୭ଲକ୍ଷ ୧୧ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ମୁଣ୍ଡୁଳିଠାରେ ସର୍ବାଧିକ ୧୦ଲକ୍ଷ କ୍ୟୁସେକରୁ ୧୧.୫୦ଲକ୍ଷ କ୍ୟୁସେକ କଳ ନିଷ୍କାସିତ ହେବାର ଆକଳନ କରାଯାଉଛି।
ସେହିପରି ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ବିପଦସଙ୍କେତ ୧୦.୩୬ମିଟର ଥିବାବେଳେ ଆଜି ଜଳସ୍ତର ସର୍ବୋଚ୍ଚ ୧୦.୯୬ମିଟରକୁ ଉଠିଥିଲା। ମାତ୍ର ଦିନ ୨ଟା ସୁଦ୍ଧା ଏହା ହ୍ରାସ ପାଇ ୧୦.୮୮ମିଟରରେ ପ୍ରବାହିତ ହେଉଛି। ଗାଲୁଡ଼ିହି ବ୍ୟାରେଜରୁ ଗତକାଲି ୭୫୦୦ କ୍ୟୁସେକ ଜଳ ନିଷ୍କାସିତ ହେଉଥିବାବେଳେ ଆଜି ଏହା ୫୭୫୭ କ୍ୟୁସେକକୁ ହ୍ରାସ ପାଇଛି। ଆଜି ଏହି ଅଂଚଳରେ ବର୍ଷା ହୋଇନାହିଁ। ଜଳସ୍ତର ଆହୁରି କମିବ ଓ ବନ୍ୟା ପରିସ୍ଥିତିରେ ସୁଧାର ବୋଲି ଆଶା କରାଯାଉଛି।
ସେହିପରି ବୁଢ଼ାବଳଙ୍ଗ ନଦୀରେ ଏନଏଚ-୫ ଗୋବିନ୍ଦପୁରଠାରେ ବିପଦ ସଙ୍କେତ ୮.୧୩ ମିଟର ଥିବାବେଳେ ଦିନ ୨ଟାସୁଦ୍ଧା ଜଳସ୍ତର ୭.୭୬ ମିଟରରେ ପ୍ରବାହିତ ହେଉଥିଲା । ଗତକାଲି ଏହାର ଜଳସ୍ତର ବିପଦ ସଙ୍କେତ ଟପି ୮.୪୦ ମିଟର ପ୍ରବାହିତ ହେଉଥିଲା। ଆଜି ଜଳସ୍ତର ଅନେକ ହ୍ରାସ ପାଇଛି ଓ ଏବେ ସ୍ଥିର ରହିଛି। ଆଜି ବର୍ଷା ହୋଇନଥିବାରୁ ଜଳସ୍ତର ଆହୁରି କମିବ ବୋଲି ଆଶା କରାଯାଉଛି।
ସେହିପରି ବୈତରଣୀ ନଦୀରେ ଆନନ୍ଦପୁରଠାରେ ବିପଦ ସଙ୍କେତ ୩୮.୩୬ ମିଟର ଥିବାବେଳେ ଆଜି ଦିନ ୨ଟାସୁଦ୍ଧା ଏଠାରେ ଜଳସ୍ତର ୩୭.୪୬ ମିଟରରେ ପ୍ରବାହିତ ହେଉଥିଲା। ସେହିପରି ଆଖୁଆପଦାଠାରେ ଜଳସ୍ତର ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ ଆଜି ଦିନ ୨ଟା ସୁଦ୍ଧା ଏଠାରେ ପ୍ରବାହିତ ଜଳସ୍ତର ୧୯.୨୯ ମିଟର ଥିଲା। ମାତ୍ର ଗତକାଲି ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ୪୦.୮୩ ମିଟରକୁ ଉଠିଥିବାବେଳେ ଆଖୁଆପଦାଠାରେ ଏହାର ଜଳସ୍ତର ୨୦.୦୪ ମିଟରକୁ ବୃଦ୍ଧି ପାଇଥିଲା। ଏବେ ଏହି ନଦୀର ଜଳସ୍ତର କମିବାରେ ଲାଗିଛି । ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। କେନ୍ଦୁ୍‌ଝର, ଯାଜପୁର,ମୟୂରଭଞ୍ଜରେ ଆଜି ବର୍ଷା ହୋଇନଥିବାରୁ ବୈତରଣୀର ଜଳସ୍ତର ଆହୁରି କମିବ ବୋଲି ଆଶା କରାଯାଉଛି।
ସେହିପରି ବ୍ରାହ୍ମଣୀ ନଦୀରେ ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ ୧୨୩.୮୫ ମିଟର ଥିବାବେଳେ ଜଳଭଣ୍ଡାର ଭିତରକୁ ୬୫୪୦.୨୦ କ୍ୟୁସେକ ଜଳ ପ୍ରବେଶ କରୁଛି। ଏଠାରୁ ୪ଟି ଗେଟ୍ ମାଧ୍ୟମରେ ୭୫୪୦.୨୮ କ୍ୟୁସେକ ଜଳ ନିଷ୍କାସନ ହେଉଛି। ମନ୍ଦିରା ଡ୍ୟାମରୁ ୧୭୦୦ କ୍ୟୁସେକ ହାରରେ ଜଳ ନିଷ୍କାସନ ଜାରି ରହିଛି। ବ୍ରାହ୍ମଣୀ ନଦୀ ଅବବାହିକାରେ ପଙ୍କପାଳଠାରେ ଜଳସ୍ତର ବିପଦସଙ୍କେତ ୨୩ମିଟର ଥିବାବେଳେ ଏବେ ସେଠାରେ ୨୩.୪୫ମିଟର ଉପରେ ଜଳ ପ୍ରବାହିତ ହେଉଛି। ଆଜି ପଙ୍କପାଳଠାରେ ଏହାର ଜଳସ୍ତର ସର୍ବୋଚ୍ଚ ୨୩.୪୬ମିଟରକୁ ଛୁଇଁଥିଲା। କେନ୍ଦ୍ରୀୟ ଜଳ ଆୟୋଗଙ୍କ ସୂଚନା ଅନୁସାରେ ପଙ୍କପାଳଠାରେ ୧୦,୩୩୮.୪୧ କ୍ୟୁସେକ ଜଳ ନିଷ୍କାସନ ହେଉଛି। ବ୍ରାହ୍ମଣୀ ନଦୀର ଜଳସ୍ତର କ୍ରମଶଃ ହ୍ରାସ ପାଇବାରେ ଲାଗିଛି ବୋଲି ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos