ମହାନଦୀ ଗର୍ଭବତୀ: ଶନିବାର ରାତିରେ ବନ୍ୟା !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ପରେ ହୀରାକୁଦ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇଛି। ଜଳ ନିଷ୍କାସନ ନେଇ ୨୮ଟି ଗେଟ୍‌ ଖୋଲାଯାଇଥିବାରୁ ଜଳର ପ୍ରବାହ ଅଧିକ ରହିଛି। ତେଣୁ ମହାନଦୀ ସଂଲଗ୍ନ ତଳିଆ ଅଞ୍ଚଳ ଗୁଡ଼ିକରେ ଛୋଟ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ପାରେ ବୋଲି  ଆକଳନ କରାଯାଉଛି। ତେବେ ଏହି ସମ୍ଭାବ୍ୟ ବନୃ୍ୟା ସମ୍ପର୍କରେ ସୂଚନା ଦେଇଛନ୍ତି  SRC ପ୍ରଦୀପ ଜେନା। ସେ କହିଛନ୍ତି ଯେ, ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର […]

Mahanadi

Tapas Behera
  • Published: Thursday, 16 September 2021
  • , Updated: 17 September 2021, 01:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ପରେ ହୀରାକୁଦ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇଛି। ଜଳ ନିଷ୍କାସନ ନେଇ ୨୮ଟି ଗେଟ୍‌ ଖୋଲାଯାଇଥିବାରୁ ଜଳର ପ୍ରବାହ ଅଧିକ ରହିଛି। ତେଣୁ ମହାନଦୀ ସଂଲଗ୍ନ ତଳିଆ ଅଞ୍ଚଳ ଗୁଡ଼ିକରେ ଛୋଟ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ପାରେ ବୋଲି  ଆକଳନ କରାଯାଉଛି। ତେବେ ଏହି ସମ୍ଭାବ୍ୟ ବନୃ୍ୟା ସମ୍ପର୍କରେ ସୂଚନା ଦେଇଛନ୍ତି  SRC ପ୍ରଦୀପ ଜେନା। ସେ କହିଛନ୍ତି ଯେ,

ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବୃଦ୍ଧି ପାଉଛି। ହୀରାକୁଦକୁ ୫.୨୦ ଲକ୍ଷ କୁସେକ୍ ଜଳ ପଶୁଛି। ୪.୮୦ ଲକ୍ଷ କୁସେକ୍ ଜଳ  ନିଷ୍କାସନ ହେଉଛି।  ହୀରାକୁଦରୁ ଆସୁଥିବା ଜଳ ଶନିବାର ସକାଳ ସୁଦ୍ଧା ମୁଣ୍ଡୁଳିରେ ବଢ଼ିବ। ଶନିବାର ସକାଳରୁ ମଧ୍ୟାହ୍ନ ଭିତରେ ୮ ଲକ୍ଷ କ୍ୟୁସେକ୍ ପାସ୍ କରିବ।  ମୁଣ୍ଡୁଳିରେ ମଧ୍ୟାହ୍ନରେ ଗଲେ ରାତି ସୁଦ୍ଧା ତଳିଆ ଅଞ୍ଚଳରେ ପହଞ୍ଚିବ। କେନ୍ଦ୍ରାପଡ଼ା, ପୁରୀ ଆଦି ଜିଲ୍ଲାରେ ଶନିବାର ରାତିରେ ପାସ୍ କରିବ। ଶନିବାର ରାତିରେ ଏକ ଛୋଟ/ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ଉପୁଜିବ। ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି।  ୬ଟି ଜିଲ୍ଲାରେ ୩୦ ଟିମ୍ ଓଡ୍ରାଫ୍, ୧୨ ଟିମ୍ NDRF ମୁତୟନ କରାଯାଇଛି। ତେବେ ଏଯାଏଁ ସେମିତି ଉଦବେଗଜନକ ସ୍ଥିତି ନାହିଁ ବୋଲି କହିଛନ୍ତି SRC।  ଗତକାଲି ସୁଦ୍ଧା ହୀରାକୁଦ ଡ୍ୟାମ୍‌ର ୨୪ଟି ଗେଟ୍‌ ଖୋଲା ଯାଇଥିବା ବେଳେ ଆଜି ଆଉ ୪ଟି ଗେଟ୍ ଖୋଲିଛି । ଏଥିସହ ଏ ଯାବତ ହୀରାକୁଦ ଡ୍ୟାମର ସମୁଦାୟ ୨୮ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ । ଆଜି ସକାଳ ୭ଟାରେ ହୀରାକୁଦ ଜଳସ୍ତର ୬୨୮.୪୧ ଫୁଟ ଥିଲା । ଏହାପରେ  ଜଳସ୍ତର ବଢ଼ି ୮ଟାରେ ତାହା ୬୨୮.୪୫ ଫୁଟ  ଓ ୯ଟାରେ ୬୨୮.୫୦ ଫୁଟରେ ପହଞ୍ଚିଥିଲା। ଏହାପରେ ୧୦ଟାରେ ଜଳସ୍ତର ୬୨୮.୫୬ ଫୁଟ୍ ଥିବା ବେଳେ ୧୧ଟାରେ ୬୨୮.୬୨ ଫୁଟରେ ପହଞ୍ଚିଛି ।

ହୀରାକୁଦରେ ୨୮ଟି ଗେଟ୍‌ ଖୋଲା ଯାଇଥିଲେ ବି  ମୁଣ୍ଡଳିରେ ସ୍ଥିତି ନିରାପଦ ରହିଛି । ଏଠାରେ  ବିପଦ ସଂକେତ ୯୭.୨୫ ଫୁଟ୍ ଥିବାବେଳେ ବର୍ତ୍ତମାନ ଜଳ ପତ୍ତନ ଏହାର ବହୁ ତଳେ ରହିଛି । ବ୍ୟାରେଜର ସମସ୍ତ ଗେଟ୍ ଖୋଲାଯାଇଛି । ଫଳରେ ମୁଣ୍ଡଳୀ ଦେଇ ଏବେ ସାଢ଼େ ୫ ଲକ୍ଷରୁ ୬ ଲକ୍ଷ କ୍ୟୁସେକ୍ ପାଣି ପ୍ରବାହିତ ହେଉଛି।

କଟକ ଜିଲ୍ଲା ମୁଣ୍ଡଳିରେ ଆଜି ସକାଳେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ଜଳ ସଂପଦ ବିଭାଗ ସଚିବ ଅନୁ ଗର୍ଗ ।  ଏହି ସମୟରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ଓ ମୁଣ୍ଡଳି ବ୍ୟାରେଜର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।

ଆଜି ହୀରାକୁଦରେ ଅଧିକ ଗେଟ୍ ଖୋଲାଯାଇଥିଲେ ବି ସେ ପାଣି ଆସି ଏଠାରେ ପହଞ୍ଚୁ ପହଞ୍ଚୁ ୧୮ ତାରିଖ ସକାଳ ହୋଇଯିବ । ସେତେବେଳକୁ ଏଠାରୁ ଜଳ ନିଷ୍କାସନ ହୋଇ ସାରିଥିବ । ଏଣୁ ୧୮ ତାରିଖ ସକାଳ ବେଳକୁ ମୁଣ୍ଡଳୀ ବ୍ୟାରେଜ ଦେଇ ୭ ଲକ୍ଷରୁ ସାଢ଼େ ୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି ।

ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦେଖି ମୁତୟନ କରାଯାଇଛି ୪ଟି  ଏନଡିଆରଏଫ୍‌ ଟିମ୍ । ରାଜ୍ୟ ସରକାରଙ୍କ ଅନୁରୋଧ ପରେ ମୁଣ୍ଡଳୀ ସେଣ୍ଟରରୁ ଏହି ଟିମ୍‌ ପଠାଯାଇଛି । ଯବାନମାନେ ରିଲିଫ୍, ଉଦ୍ଧାର ଓ ଥଇଥାନ କାମରେ ନିୟୋଜିତ ହେବେ ।

ଗତ ୧୪ ତାରିଖରେ ଗୋଟିଏ ଟିମ୍ ଭଦ୍ରକ ଯାଇଥିବା ବେଳେ ଆଜି ସକାଳୁ ତିନିଟି ଟିମ୍ କେନ୍ଦ୍ରାପଡ଼ା, କଟକ ଓ ପୁରୀ ଯାଉଛନ୍ତି । ପ୍ରତି ଟିମରେ ୨୫ ଜଣ ଲେଖାଏଁ ଯବାନ ଅଛନ୍ତି ଏହା ସହିତ ବାଲେଶ୍ୱର ଜିଲ୍ଲାରେ ଥିବା ଏନଡିଆରଏଫ୍‌ ରାପିଡ ରେସ୍ପନ୍ସ ସେଣ୍ଟରରେ ଥିବା ଗୋଟିଏ ଟିମ୍ ବାଲେଶ୍ୱରରେ ମୁତୟନ କରାଯାଇଛି । ମୁଣ୍ଡଳୀରେ ଆହୁରି ଅଧିକ ଟିମ୍ ମଧ୍ୟ ପ୍ରସ୍ତୁତ ହୋଇ ଅଛନ୍ତି । ଦରକାର ହେଲେ ସେମାନଙ୍କୁ ମଧ୍ୟ ମୁତୟନ କରାଯିବ ବୋଲି ଏନଡିଆରଏଫ୍‌ ପକ୍ଷରୁ କୁହାଯାଇଛି ।

Related story