‘ପ୍ରବେଶ ପୂର୍ବରୁ ପ୍ରବାସୀ ଓଡ଼ିଆଙ୍କ ଡାହାଣ ହାତରେ ବାଜିବ ଅଲିଭା ଷ୍ଟାମ୍ପ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ରେଜିଷ୍ଟ୍ରେସନ କରିବା ନିହାତି ଜରୁରୀ। ସେମାନେ ଯେକୌଣସି ଯାନବାହନ କିମ୍ବା ଚାଲି ଚାଲି ଆସୁଥିଲେ ମଧ୍ୟ ତା’ ପୂର୍ବରୁ କିନ୍ତୁ ୱେବ୍‌ସାଇଟରେ ପଞ୍ଜିକରଣ କରିବାକୁ ବାଧ୍ୟତାମୂଳକ। ଏହାଛଡ଼ା ଓଡ଼ିଶା ସୀମା ଅତିକ୍ରମ କରିବା ପୂର୍ବରୁ ସେମାନଙ୍କ ଡାହାଣ ହାତରେ ଲାଗିବ ଅଲିଭା କାଳି ଷ୍ଟାମ୍ପ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ତା’ସହ ସେ ଆହୁରି କହିଛନ୍ତି ଯେ, ଓଡ଼ିଶାରେ ପ୍ରବେଶ […]

migrate-return

Manoranjan Sial
  • Published: Friday, 01 May 2020
  • , Updated: 01 May 2020, 06:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ରେଜିଷ୍ଟ୍ରେସନ କରିବା ନିହାତି ଜରୁରୀ। ସେମାନେ ଯେକୌଣସି ଯାନବାହନ କିମ୍ବା ଚାଲି ଚାଲି ଆସୁଥିଲେ ମଧ୍ୟ ତା’ ପୂର୍ବରୁ କିନ୍ତୁ ୱେବ୍‌ସାଇଟରେ ପଞ୍ଜିକରଣ କରିବାକୁ ବାଧ୍ୟତାମୂଳକ। ଏହାଛଡ଼ା ଓଡ଼ିଶା ସୀମା ଅତିକ୍ରମ କରିବା ପୂର୍ବରୁ ସେମାନଙ୍କ ଡାହାଣ ହାତରେ ଲାଗିବ ଅଲିଭା କାଳି ଷ୍ଟାମ୍ପ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

ତା’ସହ ସେ ଆହୁରି କହିଛନ୍ତି ଯେ, ଓଡ଼ିଶାରେ ପ୍ରବେଶ ପାଇଁ ରାସ୍ତାରେ ୧୧ଟି ଚେକ ପଏଣ୍ଟ। ସେଗୁଡ଼ିକ ହେଲେ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର, କେନ୍ଦୁଝର ଜିଲ୍ଲାର ଚମ୍ପୁଆ, କୋରାପୁଟ ଜିଲ୍ଲାର ଚାନ୍ଦିଲି, ଗଞ୍ଜାମ ଜିଲ୍ଲାର ଗିରିସୁଲା, ମୟୂରଭଞ୍ଜ ଜିଲ୍ଲାର ଜାମ୍‌ସୁଲା, ରାୟଗଡ଼ା ଜିଲ୍ଲାର କେରଡ଼ା, ନୂଆପଡ଼ା ଜିଲ୍ଲାର ଖରିଆର୍‌, ବାଲେଶ୍ୱର ଜିଲ୍ଲାର ଲକ୍ଷ୍ମଣନାଥ, ବରଗଡ଼ ଜିଲ୍ଲାର ଲୁହାରଚଟି, ମାଲକାନଗିରି ଜିଲ୍ଲାର ମୋଟୁ ଓ କୋରାପୁଟ ଜିଲ୍ଲାର ସୁଙ୍କିରେ ଚେକ୍‌ଗେଟ ଦେଇ ପ୍ରବାସୀ ଓଡ଼ିଆମାନେ ଓଡ଼ିଶାକୁ ଆସିପାରିବେ। ସବୁ ଚେକ ପଏଣ୍ଟରେ ଓଡ଼ିଶାର ଅଧିକାରୀ ଉପସ୍ଥିତ ଅଛନ୍ତି। ଫେରୁଥିବା ଲୋକ ଯଦି ରେଜିଷ୍ଟ୍ରେସନ୍ କରିନଥିବେ, ତେବେ ସେଠାରେ ଡାଟା ଚେକ ପରେ ରେଜିଷ୍ଟ୍ରେସନ କରିପାରିବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ଶ୍ରୀ ତ୍ରିପାଠୀ ଆହୁରି କହିଛନ୍ତି-“ଏହାପରେ ପ୍ରତି ଯାତ୍ରୀଙ୍କ ଡାହାଣ ହାତରେ ଅଲିଭା କାଳିରେ ଷ୍ଟାମ୍ପ ଲାଗିବ। ତା’ସହ ଗାଡ଼ିର ୱିଣ୍ଡ ସିଲ୍‌ରେ ତଥ୍ୟ ସମ୍ବଳିତ ଷ୍ଟିକର ଲାଗିବ। ଯାହା ପାସ୍ ଭଳି କାମ ଦେବ। ଜିଲ୍ଲା ପ୍ରଶାସନର କାର୍ଯ୍ୟରତ କର୍ମଚାରୀମାନେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ନେଇଯିବେ। କେରଳରୁ ଆଜି ଓ ଗୁଜରାଟରୁ କିଛି ଦିନ ପରେ ଗୋଟିଏ ଟ୍ରେନ ଆସିବ। ହେଲେ ରାଜ୍ୟ ସରକାରଙ୍କ କ୍ଲିୟରାନ୍ସ ବିନା କୌଣସି ଟ୍ରେନ ଆସିପାରିବ ନାହିଁ। ରାଜ୍ୟର କିଛି ନିର୍ଦ୍ଦିଷ୍ଟ ଷ୍ଟେସନରେ ଆସୁଥିବା ଯାତ୍ରୀଙ୍କୁ ସେଠାରୁ ଅନ୍ୟତ୍ର ନିଆଯିବ। ଏହାପରେ ସରକାରୀ ଖର୍ଚ୍ଚରେ ସେମାନଙ୍କୁ ନିଜ ଗାଁ କ୍ୱାରେଣ୍ଟାଇନରେ ପହଞ୍ଚାଯିବ। ସହରାଞ୍ଚଳରେ କ୍ୱାରେଣ୍ଟାଇନ ଅଧିକାରୀ ହୋମ୍ କ୍ୱାରେଣ୍ଟାଇନ କରିପାରିବେ। ସ୍ୱାସ୍ଥ୍ୟ ଅଧିକାରୀ ତଥ୍ୟ ଯାଞ୍ଚ କରି ସେମାନଙ୍କୁ କ୍ୱାରେଣ୍ଟିନ କରାଇବେ। ଯଦି ସ୍ୱାସ୍ଥ୍ୟାବସ୍ଥା ଭଲ ଥିବ, ସେମାନେ ହୋମ୍ କ୍ୱାରେଣ୍ଟାଇନରେ ରହିପାରିବେ। ସହରାଞ୍ଚଳରେ ପେଡ୍ କ୍ୱାରେଣ୍ଟାଇନରେ ମଧ୍ୟ ଲୋକ ରହିପାରିବେ। ଏନେଇ କିଛି ନିର୍ଦ୍ଦିଷ୍ଟ ଲଜ୍ ଓ ହୋଟେଲରେ ପେଡ୍ କ୍ୱାରେଣ୍ଟାଇନ ବ୍ୟବସ୍ଥା ହୋଇଛି। ଗ୍ରାମାଞ୍ଚଳରେ ଆଗନ୍ତୁକମାନଙ୍କୁ ସରକାରୀ କ୍ୱାରେଣ୍ଟାଇନରେ ରଖାଯିବ ଗ୍ରାମାଞ୍ଚଳର ପ୍ରସୂତି, ଶିଶୁ, ଦିବ୍ୟାଙ୍ଗଙ୍କୁ ହୋମ୍ କ୍ୱାରେଣ୍ଟାଇନ ଅନୁମତି ମିଳିବ।”

Related story