ଉମରକୋଟ(କାର୍ତ୍ତିକ ମଲ୍ଲିକ): ଗ୍ରାହକ ସାଜି ବାଘ ଛାଲ କିଣିବାକୁ ମୁଲଚାଲ କଲେ। ଡିଲ୍ ଫାଇନାଲ୍ ହେଲା ବେଳକୁ ମାଡ଼ି ବସିଲେ ବନ କର୍ମଚାରୀ। ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ରେ ଘଟିଛି। ଉମରକୋଟ ବ୍ଲକ୍ ଅନ୍ତର୍ଗତ ସେମଳା ଛକ ନିକଟରୁ ଏକ ବାଘ ଛାଲ ଜବତ ସହ ଜଣକୁ ଗିରଫ କରିବାରେ ସଫଳ ହୋଇଛି ଉମରକୋଟ ବନ ବିଭାଗ । ଗିରଫଜଣକ ହେଉଛନ୍ତି ଝରିଗାଁ ଥାନା ବେଲଗାଁ ଗ୍ରାମର ଅନନ୍ତ ପନକା।
ଗତକାଲି ଅନନ୍ତ ପନକା ରାଇଘର ବ୍ଲକ୍ କେରିପଦର ଅଞ୍ଚଳରୁ ଏକ କଲରାପତିଆ ବାଘ ଛାଲ ବିକ୍ରି କରିବାକୁ ସେମଳା ଛକ ନିକଟକୁ ଆସିଥିଲେ। ଏନେଇ ଉମରକୋଟ ବନ ବିଭାଗ କର୍ମଚାରୀ ବିଶେଷ ସୂତ୍ରରୁ ଖବର ପାଇଥିଲେ। ଏହାପରେ ଉମରକୋଟ ବନାଞ୍ଚଳ କର୍ମଚାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବାଘ ଛାଲ ରାକେଟକୁ ଧରିବା ପାଇଁ ବ୍ଲୁ ପ୍ରିଣ୍ଟ ତିଆରି ହୋଇଥିଲା ।
ପ୍ରଥମେ କିଛି ବନ କର୍ମଚାରୀ ଗ୍ରାହକ ସାଜି ବନ କର୍ମଚାରୀ ବାଘ ଛାଲ କିଣିବାକୁ ଅନନ୍ତଙ୍କ ନିକଟକୁ ଯାଇଥିଲେ। ଆଉ କିଛି ଚାରିପଟେ ଲୁଚି ରହିଥିଲେ । ସେଠାରେ ଉଭୟ ପକ୍ଷ ମଧ୍ୟରେ ମୁଲଚାଲ ହେବା ପରେ ଡିଲ୍ ଫାଇନାଲ ହୋଇଥିଲା। ଏହାପରେ ଅନନ୍ତ ବାଘ ଛାଲକୁ ବନ କର୍ମଚାରୀଙ୍କୁ ଦେବା ବେଳକୁ ତାଙ୍କୁ ମାଡ଼ି ବସିଲେ ବନ କର୍ମଚାରୀ। ଏହି ଘଟଣାରେ ଅନନ୍ତଙ୍କୁ ଗିରଫ ସହ ବାଘ ଛାଲ ଜବତ କରାଯାଇଛି। ଏହି ବାଘ ଛାଲକୁ ଅନନ୍ତ ଛତିଶଗଡ଼ରୁ ଓଡିଶା ବିକ୍ରି ପାଇଁ ଆଣିଥିବା କହିଛନ୍ତି ଉମରକୋଟ ରେଞ୍ଜର ପୂର୍ଣ୍ଣ ଚନ୍ଦ୍ର ନାୟକ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।