ଯୁବତୀଙ୍କୁ ଜାଳିବାକୁ ଆସିଥିଲେ ୪ ଜଣ, କଟକରେ ଚାଞ୍ଚଲ୍ୟ

କଟକ(ଓଡ଼ିଶା ରିପୋର୍ଟର) ଜଳନ୍ତା ଘରୁ ଗୁରୁତର ଅବସ୍ଥାରେ ଯୁବତୀ ଉଦ୍ଧାର।  କଟକ ମାନସିଂପାଟଣାରେ ଜଳୁଥିବା ଏକ ଘର ଭିତରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର କରାଯାଇଛି ଏହି ଯୁବତୀଙ୍କୁ । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ  ସ୍ଥାନାନ୍ତର କରାଯାଇଛି ।

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଯୁବତୀ ଜଣକ ସ୍ଥାନୀୟ ଏକ କଲେଜର ଯୁକ୍ତ ଦୁଇ ଛାତ୍ରୀ ବୋଲି ଜଣାପଡ଼ିଛି।  ସେ ଭଡ଼ାରେ ଏଠାରେ ରହୁଥିଲେ । ଘର ମାଲିକଙ୍କ କହିବା କଥା, ଯୁବତୀଙ୍କ ଘର ଜଗତସିଂହପୁର ତିର୍ତ୍ତୋଲରେ।  ବାପାମାଆଙ୍କ ସହ ଏଠାରେ ରହୁଥିଲେ ସେ । ତେବେ ଘଟଣା ସମୟରେ ଯୁବତୀଙ୍କ ବାପା, ମାଆ ଅନୁପସ୍ଥିତ ଥିଲେ।

ଯୁବତୀଙ୍କ କହିବା କଥା, ଘରକୁ ୪ ଜଣ ଦୁର୍ବୃତ୍ତ ପଶି ଏମିତି କାଣ୍ଡ ଭିଆଇ ଥିଲେ। ତେବେ କିଏ ଓ କାହିଁକି ଏପରି କାଣ୍ଡ ଭିଆଇଲେ, ସେନେଇ କିନ୍ତୁ ସ୍ପଷ୍ଟ ହୋଇପାରିନି ।

ଗୁରୁତର ଯୁବତୀଙ୍କ ସମ୍ପର୍କୀୟଙ୍କ କହିବାନୁଯାୟୀ, ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରାଯାଇଥିଲା।  ସେ ରହୁଥିବା ଘରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଥିଲା। ପୂର୍ବରୁ ମଧ୍ୟ ତାଙ୍କୁ ହତ୍ୟା କରିବାକୁ ଧମକ ଚମକ ଦିଆଯାଇଥିଲା । କିଛି ଦିନ ପୂର୍ବରୁ ଜଣେ ଯୁବକଙ୍କ ସହ ଏହି ଯୁବତୀଙ୍କ ଏକ ଫଟୋ ଭାଇରାଲ ହୋଇଥିଲା । ଏନେଇ ଲାଲବାଗ ଥାନାରେ ଯୁବତୀଙ୍କ ଅଭିଯୋଗ ପରେ ପୁଲିସ ଖୋଳତାଡ଼ କରୁଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।