ଆରପାରିରେ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ, ଶୁକ୍ରବାର ଶେଷକୃତ୍ୟ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଆଜି ୯୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଆସନ୍ତାକାଲି ତାଙ୍କ ନିମାପଡ଼ା ପୈତୃକ ଗାଁରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସନ୍ଧ୍ୟାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
୧୯୨୨ ମସିହା ମାର୍ଚ୍ଚ ୧୧ ତାରିଖରେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅଣ୍ଢିଆ ଗାଁରେ ଜନ୍ମ ହୋଇଥିବା ପଦ୍ମଶ୍ରୀ ପଟ୍ଟନାୟକ ତିନି ତିନି ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସ୍ୱାଧୀନତା ସଂଗ୍ରାମରେ ବିଶେଷ ଅବଦାନ ପାଇଁ କେନ୍ଦ୍ର ସରକାର ୨୦୧୮ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।
୧୯୬୧, ୧୯୬୬ ଓ ୧୯୭୮ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ପଦ୍ମଶ୍ରୀ ଭବାନୀ ପଟ୍ଟନାୟକ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟର ସାମାଜିକ ଜନଜୀବନ ସହ ଓତଃପ୍ରୋତ ଭାବେ ଜଡିତ ଥିଲେ। ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ କଳିଙ୍ଗ ଟ୍ରଷ୍ଟର ସଭାପତି ଭାବେ ଦାୟିତ୍ୱ ତୁଲାଇଥିବା ପଦ୍ମଶ୍ରୀ ପଟ୍ଟନାୟକ ରାଜ୍ୟର ବହୁ ସାଂସ୍କୃତିକ, ସାମାଜିକ ଓ ସ୍ୱଚ୍ଛାସେବୀ ସଙ୍ଗଠନ ସହ ଜଡ଼ିତ ଥିଲେ।
ବିଜୁବାବୁଙ୍କର ଜଣେ ଘନିଷ୍ଠ ସହଯୋଗୀ ଭାବେ ଗଣାଯାଉଥିବା ଭାବନୀବାବୁ ବହୁ ସଙ୍କଟଜନକ ପରିସ୍ଥିତିରେ କ୍ରାଇସିସ୍ ମ୍ୟାନଜର ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିଭାଇଥିଲେ। ଦଳମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟ ଥିବା ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ବିୟୋଗରେ ରାଜ୍ୟରେ ଏକ ଯୁଗର ଅବସାନ ହେଲା ବୋଲି କୁହାଯାଉଛି।
ଭାବନୀବାବୁଙ୍କ ବିୟୋଗରେ ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ନେତା ଶୋକ ପ୍ରକାଶ କରିଛନ୍ତି।
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜଣେ ମହାନ ଗାନ୍ଧିବାଦୀ ଭାବେ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) May 14, 2020
ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି ‘ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜଣେ ମହାନ ଗାନ୍ଧିବାଦୀ ଭାବେ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।”
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ୍ କରି ଭବାନୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିବା ସହିତ ଓଡ଼ିଶାରୁ ଦେଶର ମୁକ୍ତି ସଂଗ୍ରାମର ସୂର୍ଯ୍ୟଙ୍କର ଅସ୍ତ ଘଟିଲା ବୋଲି ଲେଖିଛନ୍ତି।
ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ସ୍ୱର୍ଗବାସ ଖବର ଶୁଣି ମୁଁ ମର୍ମାହତ । ଖୁବ କମ ବୟସରୁ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇ ଭାରତ ଛାଡ ଆନ୍ଦୋଳନରେ ଝାସ ଦେଇଥିଲେ ଭାବନୀ ବାବୁ ।
— Dharmendra Pradhan (@dpradhanbjp) May 14, 2020
ସେହିଭଳି ବୈଜୟନ୍ତ ମଧ୍ୟ ଭବାନୀ ଚରଣ ପଟ୍ଟନାୟକଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହିତ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେ ଟ୍ୱିଟ୍ ଯୋଗେ କହିଛନ୍ତି, ବିଶିଷ୍ଟ ଗାନ୍ଧିବାଦୀ, ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ସାଂସଦ ଭବାନୀ ଚରଣ ପଟ୍ଟନାୟକଙ୍କ ଦେହାନ୍ତ ଖବର ମୋତେ ମର୍ମାହତ କରିଛି। ମୁଁ ତାଙ୍କୁ ପିଲା ବେଳୁ ଜାଣେ। ମୋ’ ବାପା-ମାଆଙ୍କ ସହିତ ସେ ଘନିଷ୍ଠ ଥିଲେ। ଆମ ଘରକୁ ସେ ପ୍ରାୟ ଆସନ୍ତି।”
Very saddened to learn of the demise of Gandhian, veteran freedom fighter, former Member of Parliament, Padma Shri Bhabani Charan Patnaik
I remember him fondly from my childhood, he was acquainted w/my parents & frequented our home.
Condolences to the bereaved family
Om Shanti🙏 pic.twitter.com/lFhD0pfXVX— Baijayant Jay Panda (@PandaJay) May 14, 2020
ଦେଶ ସେବା ପାଇଁ ସବୁବେଳେ ଜୀବନକୁ ଉତ୍ସର୍ଗ କରିଥିବା ଭବାନୀ ମୃତ୍ୟୁ ପରେ ତାଙ୍କ ଶରୀରକୁ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟକୁ ଦାନ କରିବେ ବୋଲି ଇଚ୍ଛା ପ୍ରକାଶ କରିଥିଲେ। ନିକଟରେ ଯାଇଥିବା ତାଙ୍କ ଜନ୍ମଦିନରେ ଏପରି ଇଚ୍ଛା ପୋଷଣ କରିଥିଲେ ଏହି ମହାନ ପୁରୁଷ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।