ବୌଦ୍ଧ(ଦୀପକ ଅଦାର ): ସାଇରନ ବଜାଇ ଦ୍ରୁତ ଗତିରେ ରାସ୍ତାରେ ମାଡ଼ି ଚାଲିଥିଲା ଘରୋଇ ଆମ୍ବୁଲାନ୍ସ । କୌଣସି ଗୁରୁତର ରୋଗୀ ହସ୍ପିଟାଲ ଯାଉଥିବ ଭାବି ଲୋକେ ରାସ୍ତା ଛାଡ଼ି ଦେଉଥିଲେ। ହେଲେ ହଠାତ୍ ମଝି ରାସ୍ତାରେ ବାଟ ଓଗାଳିଲା ପୁଲିସ୍। ଆଉ ଯାହା ଜବତ କଲା ତାହା ଦେଖି ସମସ୍ତେ ତାଜୁବ । ଆମ୍ବୁଲାନ୍ସରେ କୌଣସି ରୋଗୀ ନୁହେଁ, ରୋଗୀ ପରିବର୍ତ୍ତେ ଯାଉଥିଲା ବସ୍ତା ବସ୍ତା ଗଞ୍ଜେଇ । ଆମ୍ବୁଲାନ୍ସରୁ ୯୪ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ତାହାର ଅନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି।
ଏପରି ଘଟଣା ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ହୋଇଥିବା ବେଳେ ପୁଲିସ୍ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ଅଙ୍କୁନ ଗ୍ରାମର ପ୍ରଶାନ୍ତ ଗୁରୁ ଏବଂ ବରଗଡ଼ ସହରର କୈଳାସ ସିଂ ।
କନ୍ଧମାଳ ଜିଲ୍ଲା ଗୋଛପଡା ଅଞ୍ଚଳରୁ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ବିପୁଳ ଗଞ୍ଜେଇ ଆସୁଥିବା କୌଣସି ସୂତ୍ରରୁ ଶଗଡ଼ ଫାଣ୍ଡି ଅଧିକାରୀ ସୂଚନା ପାଇଥିଲେ । ସୂଚନା ପାଇ ଏକ ଟିମ୍ ଗଠନ କରି ଗୁନ୍ଦୁଲିଆ ଅଞ୍ଚଳରେ ଆମ୍ବୁଲାନ୍ସକୁ ଅଟକାଇ ଚଢ଼ାଉ କରିଥିଲେ। ଏହାପରେ ଆମ୍ବୁଲାନ୍ସରୁ ୯୪ କେଜି ଗଞ୍ଜେଇ ଜବତ ହୋଇଥିବା ସୂଚନା ଦେଇଛି ପୁଲିସ୍ । ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି SDPO ଆନନ୍ଦ ବର୍ଦ୍ଧନ ଗୁରୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।