ସ୍ୱାମୀକୁ ଛାଡ଼ି ପ୍ରେମିକ ସହିତ ପଳାଇ ଯାଇଥିଲେ, ଆଜି ମିଳିଲା ମୃତଦେହ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ସ୍ୱାମୀଙ୍କ ସହିତ ଘର ସଂସାର କରି ପ୍ରେମିକ ସହିତ ଫେରାର ହୋଇଥିଲେ। ଏବେ ମିଳିଲା ମୃତଦେହ। ଆଜି ପ୍ରେମିକ ଓ ପ୍ରେମିକାଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି। ଏପରି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଚନ୍ଦାହାଣ୍ଡି ଥାନା ଶରଧାପୁର ଗାଁର ଜନୈକ ଯୁବତୀ ବର୍ଷେ ତଳେ ନୂଆପଡା ଜିଲ୍ଲା ସିନାପାଲି ଗ୍ରାମରେ ବିବାହ କରିଥିଲେ। ବିବାହ ପରେ ସେ ତାଙ୍କ ଶାଶୂ ଘରେ ରହୁଥିଲେ। ପରେ ସେ ବାପ ଘର ଶରଧାପୁରକୁ ଚାଲି ଆସିଥିଲେ। ଏଠାରେ ସେ ତାଙ୍କ ବାପ ଘର ଲୋକଙ୍କ ସହ ରହୁଥିଲେ। ହେଲେ ୧୫ ଦିନ ତଳେ ସେ ନିଜ ଗାଁର ପ୍ରେମିକଙ୍କ ସହିତ ପଳାଇ ଯାଇଥିଲେ। ଘରୁ ଝିଅ ନିଖୋଜ ହେବା ପରେ ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ। ମାତ୍ର ଝିଅର ପତ୍ତା ପାଇନଥିଲେ।

ଗତକାଲି ରାତିରେ ଦୁହେଁ ଘରକୁ ଫେରିଥିଲେ। ରାତିରେ କଣ ହେଲା କେଜାଣି, ଆଜି ସକାଳେ ଦୁଇ ଜଣଙ୍କ(ପ୍ରେମିକ ଓ ପ୍ରେମିକା) ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ଦୁହିଁଙ୍କ ମୃତଦେହ ଚନ୍ଦାହାଣ୍ଡି ଥାନାଠାରୁ ଅଳ୍ପ ଦୂର ଶରଧାପୁର ଗାଁ ନିକଟରେ ଥିବା ବବୁଲ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ ଗାଁ ଲୋକ। ଏନେଇ ସ୍ଥାନୀୟ ଲୋକେ ଥାନାକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।