ନୂଆପଡା(ମାୟାଧର ସରାଫ):ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଚଲାନପଡା ଟିଏମସି(ଅସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର)ରେ ଜଣେ ୭ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ଚିକିତ୍ସା ଅଭାବରୁ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
ଖଡିଆଳ ବ୍ଲକ ଝୋଲପଥର ଗାଁର ଡାକ୍ତର କଲସାଏଙ୍କ ପରିବାରର ୫ ସଦସ୍ୟ ଗତକାଲି ଆନ୍ଧ୍ରରୁ ଫେରି ଏହି ଟିଏମ୍ସିରେ ରହିଥିଲେ । ସେମାନଙ୍କ ମଧ୍ୟରେ କଲସାଏ, ତାଙ୍କ ସ୍ତ୍ରୀ ଓ ୩ ଶିଶୁ ଥିଲେ। ଗତକାଲି ସନ୍ଧ୍ୟାରେ ସେମାନେ ଟିଏମ୍ସିରେ ପହଞ୍ଚିଥିଲେ। ଏହାପରେ ନିଜ ୭ ବର୍ଷର ଝିଅ ବର୍ଷାକୁ ଜ୍ୱର ହେଉଥିବାରୁ ଚିକିତ୍ସା ନିମନ୍ତେ ଟିଏମସି ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ କଲସାଏ ଜଣାଇଥିଲେ । କିନ୍ତୁ ତାଙ୍କ ଚିକିତ୍ସା ନିମନ୍ତେ କୌଣସି ବ୍ୟବସ୍ଥା କରାଯାଇ ନ ଥିଲା।
ଫଳରେ ଆଜି ସକାଳେ ବର୍ଷାଙ୍କର ଟିଏମସିରେ ମୃତ୍ୟୁ ହୋଇଥିବା ଜଣାଯାଇଛି। । ଡାକ୍ତରୀ ଦଳ ପହଞ୍ଚି ମୃତ ଶିଶୁର ସ୍ୱାବ ସଂଗ୍ରହ କରିଥିବା ବେଳେ ଖଡିଆଳ ବିଡିଓ, ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।