ସୋନପୁର(ରବୀନ୍ଦ୍ର ହୋତା): ମୋ’ ସିନ୍ଥିରେ ସିନ୍ଦୂର ଦିଅ... ମୋତେ ତୁମେ ବାହା ହୁଅ...। ପ୍ରେମିକାଙ୍କଠାରୁ ହଠାତ୍ ଏପରି କଥା ଶୁଣି ଆଶ୍ଚର୍ଯ୍ୟ ଚକିତ ହୋଇପଡ଼ିଲେ ପ୍ରେମିକ। ବାହାହେବେ ନାହିଁ ବୋଲି ରୋକ୍ଠୋକ ଶୁଣାଇ ଦେଇଥିଲେ। ପ୍ରେମିକଙ୍କଠାରୁ ନା ଶବ୍ଦ ଶୁଣିବା ପରେ ବିଚଳିତ ହୋଇପଡ଼ିଥିଲେ ପ୍ରେମିକା। ଆଉ ତା’ପରେ ଏମିତି କିଛି ଘଟିଲା, ଯାହା କେହି ସହଜରେ ବିଶ୍ୱାସ କରିପାରିବ ନାହିଁ।
ପୂରା ଘଟଣାଟି ଏମିତି। ସୁବର୍ଣ୍ଣପୁର ଜିଲ୍ଲା କଣ୍ଟାମାଳ ଥାନା ଖୁଣ୍ଟିଗୋରା ପଞ୍ଚାୟତର ଓଡେର ଗାଁର ବାସୁଦେବ ଭୋଇ। ପେସାରେ ସେ ଜଣେ ଶିକ୍ଷକ। ସେ ନିନି (ଛଦ୍ମନାମ)ଙ୍କୁ ଭଲ ପାଉଥିଲେ। ନିନି ମଧ୍ୟ ତାଙ୍କୁ ପ୍ରେମ କରୁଥିଲେ। ଦୀର୍ଘ ୪ ବର୍ଷର ପ୍ରେମ ସମ୍ପର୍କ ବିବାହର ରୂପ ନେବ ବୋଲି ଉଭୟ କେତେ କ’ଣ ସ୍ୱପ୍ନ ଦେଖିଥିଲେ। ହେଲେ ଦୁଇ ଜଣଙ୍କ ଜାତି ଭିନ୍ନ ହୋଇଥିବାରୁ ପରିବାର ଭିତରେ ତିତ୍କତା ଦେଖାଦେଇଥିଲା। ଯେଉଁଥିପାଇଁ ବାସୁଦେବଙ୍କ ପାଇଁ ଅନ୍ୟସ୍ଥାନରେ ବିବାହ ଠିକ୍ କରିଥିଲେ ପରିବାର ଲୋକେ।
ବାସୁଦେବଙ୍କ ବିବାହ ପାଇଁ ନିର୍ବନ୍ଧ ସରିଥିଲା। ମାର୍ଚ୍ଚ ୯ ତାରିଖରେ ପଡ଼ିଥାଆନ୍ତା ହାତ ଗଣ୍ଠି। ସେଥିପାଇଁ ନିମନ୍ତ୍ରଣ କାର୍ଡ ବଣ୍ଟା ମଧ୍ୟ ସରିଥିଲା। ତେବେ ଗତ ୧୨ ତାରିଖରେ ବାସୁଦେବ ତାଙ୍କ ପିଉସୀ ପୁଅଙ୍କ ସହିତ ବୁଲିବା ପାଇଁ ବାଇକ୍ରେ ଯାଇଥିଲେ। ହଠାତ୍ ଆସିଥିଲା ନିନିଙ୍କ ଫୋନ୍ କଲ୍। ପ୍ରେମିକା ଡାକୁଛନ୍ତି କହି ଗାଡ଼ିରୁ ଓହ୍ଲାଇ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ ବାସୁଦେବ।
ବାସୁଦେବ ପହଞ୍ଚିବା ପୂର୍ବରୁ ନିନି ଓ ତାଙ୍କ ଭିଣୋଇ ଜଙ୍ଗଲ ଭିତରେ ପହଞ୍ଚି ସାରିଥିଲେ। ନିନି ପ୍ରଥମେ ବାସୁଦେବଙ୍କୁ ବିବାହ କରିବାକୁ ଜିଦ୍ ଧରିଥିଲେ। ଏପରିକି ସିନ୍ଥିରେ ସିନ୍ଦୂର ଓ ଗଳାରେ ମଙ୍ଗଳସୂତ୍ର ପକାଇବା ପାଇଁ କହିଥିଲେ ନିନି। ହେଲେ ବାହାହେବେ ନାହିଁ ବୋଲି ରୋକ୍ଠୋକ୍ ଶୁଣାଇ ଦେଇଥିଲେ ବାସୁଦେବ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ନିନି ଓ ତାଙ୍କ ଭିଣୋଇ ସାଥୀରେ ନେଇଥିବା ଶାବଳରେ ବାସୁଦେବଙ୍କୁ ପିଟି ପିଟି ହତ୍ୟା କରିଥିଲେ। ପରେ ମୃତଦେହକୁ କର୍ଲାଖମଣ ନଦୀର ବିରିଘାଟରେ ଫିଙ୍ଗି ଦେଇଥିଲେ। ଏହା ପରେ ସେଠାରୁ ଉଭୟ ଚୁପ୍ଚାପ ଘରକୁ ପଳାଇ ଯାଇଥିଲେ।
ସେପଟେ ବାସୁଦେବ ଘରକୁ ନଫେରିବାରୁ ପରିବାର ଲୋକେ ଚିନ୍ତିତ ହୋଇପଡ଼ି ଥିଲେ। ବନ୍ଧୁ ବାନ୍ଧବ ଓ ବିବାହ ଠିକ୍ ହୋଇଥିବା ଯୁବତୀଙ୍କ ଘରେ ଖୋଜି ଥିଲେ। ମାତ୍ର ବାସୁଦେବଙ୍କ ପତ୍ତା ପାଇନଥିଲେ ପରିବାର ଲୋକ। ଶେଷରେ ଏନେଇ କଣ୍ଟାମାଳ ଥାନାରେ ଅଭିଯୋଗ କରିଥିଲେ। କଣ୍ଟାମାଳ ପୁଲିସ ମାମଲା ରୁଜୁ କରି ବଲାଙ୍ଗିର ଜିଲ୍ଲା ଗୋଡ୍ଭେଲା ଥାନାର ସହଯୋଗ ନେଇଥିଲା।
ଆଜି ବିରିଘାଟରେ ଗୋଟିଏ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ତୁଷୁର ଥାନାକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ଆଖପାଖ ଥାନାକୁ ଖବର ଦେଇଥିଲା। ତେବେ ବାସୁଦେବଙ୍କ ପରିବାର ଲୋକ ଆସି ମୃତଦେହକୁ ଚିହ୍ନି ଥିଲେ। ଏହା ପରେ ପୁଲିସ୍ ତଦନ୍ତ ପ୍ରକ୍ରିୟାକୁ ତତ୍ପର କରିଥିଲା। ସନ୍ଧାନୀ କୁକୁର ମାଧ୍ୟମରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ମୃତଦେହ ପାଖରେ ପଡ଼ିଥିବା ପାଣି ପାଉଚ୍କୁ ସନ୍ଧାନୀ କୁକୁର ଶୁଙ୍ଘି ନିନିଙ୍କ ଘରେ ପହଞ୍ଚିଥିଲା। ଏହା ପରେ ପୁଲିସ୍ ନିନିକୁ ଉଠାଇ ଆଣି ଜେରା କରିଥିଲା। ଜେରା ବେଳେ ପୂରା ଘଟଣା ବଖାଣିଥିଲେ ନିନି। ଭିଣୋଇ ସହ ମିଶି ହତ୍ୟା କରିଥିବା ସ୍ୱୀକାର କରିଥିଲେ। ପୁଲିସ ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଶାବଳକୁ ଜବତ କରିଛି। ପୁଲିସ ନିନିକୁ ଗିରଫ କରିଥିବା ବେଳେ ତାଙ୍କ ଭିଣୋଇ ଫେରାର ଅଛି। ତାକୁ ଗିରଫ କରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।