ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଟିକେଟ୍ ଚୂଡ଼ାନ୍ତ ପାଇଁ ନବୀନ ନିବାସରେ ଚାଲିଥିବା କସରତ ମଧ୍ୟରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା ଆଜି ଭୁବନେଶ୍ୱରରେ ପହଞ୍ôଚଛନ୍ତି। ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ ଗୀତା ଓଡ଼ିଶା ଆସିବାକୁ ଦଳୀୟ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି। ଏପରିକି ବିଜେଡିର ଉଭୟ ଲୋକସଭା ଓ ବିଧାନସଭା ଆସନରେ କିଏ ପ୍ରାର୍ଥୀ ହେବେ ତାହା ଗୀତାଙ୍କ ମୋହର ବାଜିବା ପରେ ଘୋଷଣା ହେବ ବୋଲି ଜଣାପଡ଼ିଛି।
ନବୀନ ନିବାସ ସୂତ୍ର ଅନୁସାରେ ନବୀନଙ୍କ ଭଉଣୀ ଗୀତା ଓ ତାଙ୍କ ପତି ସନ୍ନି ମେହେଟ୍ଟା ଆଜି ନବୀନ ନିବାସରେ ପହଞ୍ôଚଛନ୍ତି। ସେମାନେ ୨୫ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟ ମଧ୍ୟରେ ଗୀତା ଦଳୀୟ ଟିକେଟ୍ ଚୂଡ଼ାନ୍ତ କରିପାରନ୍ତି ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ବିଜେଡିର ଟିକେଟ୍ ଚୂଡ଼ାନ୍ତ ପ୍ରକ୍ରିୟାରେ ନବୀନଙ୍କ ସମେତ ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଓ ଭଉଣୀ ଗୀତାଙ୍କ ପ୍ରମୁଖ ଭୂମିକା ରହୁଛି।
ବିଭିନ୍ନ ପର୍ଯ୍ୟାୟର ଆଲୋଚନା ଓ ସର୍ଭେ ରିପୋର୍ଟ ଆଧାରରେ ପ୍ରସ୍ତୁତ ହୋଇଥିବା ଦଳୀୟ ପ୍ରାର୍ଥୀ ତାଲିକାକୁ ଗୀତା ଗ୍ରୀନ୍ ସିଗନାଲ ଦେବାପରେ ହିଁ ତାକୁ ନବୀନ ଘୋଷଣା କରିବେ। ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ପୂର୍ବରୁ ଗୀତାଙ୍କୁ ମଧ୍ୟ ରାଜ୍ୟର ସାମ୍ପ୍ରତିକ ରାଜନୀତିକ ପରିସ୍ଥିତି ସମ୍ପର୍କରେ ଅବଗତ କରାଯିବ ବୋଲି ଜଣାପଡ଼ିଛି । ତେବେ ଦଳୀୟ କାର୍ଯ୍ୟକ୍ରମରେ ଗୀତାଙ୍କ ଏଭଳି ହସ୍ତକ୍ଷେପକୁ ପାୱାର କରିଡରର ପ୍ରମୁଖ ବ୍ୟକ୍ତିମାନେ ନାପସନ୍ଦ କରିବାରେ ଲାଗିଲେଣି।
ଉଲ୍ଲେଖଯୋଗ୍ୟ, ଦଳୀୟ ଟିକେଟ୍ ପାଇଁ ନବୀନ ନିବାସରେ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଜେଡି କର୍ମୀ ଓ ନେତାଙ୍କ ଲମ୍ବା ଲାଇନ୍ ତଥା ଗହଳି ଲାଗି ରହୁଥିବା ଜାଣି ମଧ୍ୟ ଗୀତା ନିଜ ପତିଙ୍କ ସହ ନବୀନ ନିବାସ ଆସିବା ଯେ ପାରିବାରିକ ଓ ବ୍ୟକ୍ତିଗତ କାରଣରୁ ନୁହେଁ ତାହା ଏବେ ସ୍ପଷ୍ଟ ହୋଇଯାଇଛି। ନବୀନ ନିବାସରେ ଗୀତା ରହିବା ଅବସରରେ ବରିଷ୍ଠ ନେତା ଦିଲ୍ଲୀପ ରାୟ ବିଜେଡିକୁ ଫେରିବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ଅନ୍ୟ ଏକ ସୂତ୍ର ଅନୁସାରେ ଦିଲ୍ଲୀପ ବିଦେଶ ଗସ୍ତରେ ଯାଇଥିବାବେଳେ ଗୀତାଙ୍କୁ ଆମେରିକାରେ ସାକ୍ଷାତ କରି ବିଜେଡିକୁ ଫେରିବାର ମାର୍ଗକୁ ପ୍ରଶସ୍ତ କରିଥିଲେ। ଯାହାକୁ କେବଳ ଏବେ ଚୂଡ଼ାନ୍ତ ରୂପ ଦିଆଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।