ଫେଲ୍ ମାରିଲା କୋଭିଡ୍ ଟିକାର ଗ୍ଲୋବାଲ ଟେଣ୍ଡର, ଏବେ କେନ୍ଦ୍ର ଭରସା!

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟରେ ୧୮ରୁ ୪୪ବର୍ଷ ବୟସର ଲୋକଙ୍କୁ ମାଗଣା ସାମୁହିକ ଟିକାକରଣ ମାଧ୍ୟମରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଟେଣ୍ଡର ଫେଲ୍ ମାରିଛି। ଟେଣ୍ଡର ସର୍ତ୍ତକୁ କୋହଳ କରିବା ସହ ଟେଣ୍ଡର ଦାଖଲ ଅବଧିକୁ ଜୁନ୍ ୪ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ମଧ୍ୟ ତା’ ପୂର୍ବରୁ ରାଜ୍ୟ ସରକାର ହାତ ଟେକି ଦେଇଛନ୍ତି। ଗ୍ଲୋବାଲ ଟେଣ୍ଡରରେ ଟିକା ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଆଗ୍ରହ ଦେଖାଉନଥିବା ଦର୍ଶାଇ ରାଜ୍ୟ ସରକାର ଆଜି […]

vaccine

vaccine

Ordigital Desk
  • Published: Tuesday, 01 June 2021
  • Updated: 01 June 2021, 11:30 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟରେ ୧୮ରୁ ୪୪ବର୍ଷ ବୟସର ଲୋକଙ୍କୁ ମାଗଣା ସାମୁହିକ ଟିକାକରଣ ମାଧ୍ୟମରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଟେଣ୍ଡର ଫେଲ୍ ମାରିଛି। ଟେଣ୍ଡର ସର୍ତ୍ତକୁ କୋହଳ କରିବା ସହ ଟେଣ୍ଡର ଦାଖଲ ଅବଧିକୁ ଜୁନ୍ ୪ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ମଧ୍ୟ ତା’ ପୂର୍ବରୁ ରାଜ୍ୟ ସରକାର ହାତ ଟେକି ଦେଇଛନ୍ତି। ଗ୍ଲୋବାଲ ଟେଣ୍ଡରରେ ଟିକା ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଆଗ୍ରହ ଦେଖାଉନଥିବା ଦର୍ଶାଇ ରାଜ୍ୟ ସରକାର ଆଜି କେନ୍ଦ୍ର ସରକାରଙ୍କୁ ଟିକା କ୍ରୟ କରି ଯୋଗାଇବା ନିମନ୍ତେ ଅନୁରୋଧ କରିଛନ୍ତି। ଅବଶ୍ୟ ଏଥିପାଇଁ ଆର୍ଥିକ ବୋଝ ଯାହା ପଡ଼ିବ ତାହା ରାଜ୍ୟ ସରକାର ବହନ କରିବେ ବୋଲି ପ୍ରସ୍ତାବ ଦେଇଛନ୍ତି। ରାଜ୍ୟରେ ଗ୍ଲୋବାଲ ଟେଣ୍ଡରର ସଫଳତାକୁ ନେଇ ଅନିଶ୍ଚିତତା ରହିଥିବା ସମ୍ପର୍କରେ ‘ଓଡ଼ିଶା ରିପୋର୍ଟର’ ମେ’ ୨୮ତାରିଖରେ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ କରିଥିଲା।

ସୂଚନା ଅନୁସାରେ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଆଜି କେନ୍ଦ୍ର ସ୍ୱାସ୍ୱ୍ୟ ମନ୍ତ୍ରୀ ଡଃ ହର୍ଷବଦ୍ଧନଙ୍କୁ ଚିଠି ଲେଖି ଓଡ଼ିଶା ସରକାର କୋଭିଡ୍ ଟିକା ପାଇଁ ଡାକିଥିବା ଗ୍ଲୋବାଲ ଟେଣ୍ଡରରେ ଦେଶର ଦୁଇ ପ୍ରମୁଖ ଟିକା ଉତ୍ପାଦନକାରୀ କମ୍ପାନୀ ଶିରମ ଇନଷ୍ଟିଚ୍ୟୁଟ(କୋଭିଶିଲଡ) ଓ ଭାରତ ବାୟୋଟେକ(କୋଭାକ୍ସିନ)ରେ ସାମିଲ ହୋଇନାହାନ୍ତି। ଏପରିକି ଏହି ଦୁଇ କମ୍ପାନୀ ପ୍ରି-ବିଡ୍ ବୈଠକରେ ମଧ୍ୟ ସାମିଲ ହେଲେନି। ତା’ଛଡ଼ା ବିଦେଶୀ ଟିକା କମ୍ପାନୀ ଫାଇଜର ଓ ମଡେର୍ଣ୍ଣା ମଧ୍ୟ ଟିକା ଯୋଗାଇବା ପାଇଁ ରାଜ୍ୟ ନୁହେଁ ବରଂ କେନ୍ଦ୍ର ସରକାରଙ୍କ ସହ ଚୁକ୍ତିବଦ୍ଧ ହେବାକୁ ଚାହୁଁଛନ୍ତି । ତେଣୁ କେନ୍ଦ୍ର ସରକାର ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ କୋଭିଡ୍ ଟିକା କ୍ରୟ କଲେ ତାହା ତ୍ୱରିତ୍ ଓ ଅପେକ୍ଷାକୃତ କମ୍ ଦରରେ ସମ୍ଭବପର ହୋଇପାରିବ।

ଓଡ଼ିଶା ସରକାର ଏହି ଟିକାବାବଦ ଖର୍ଚ୍ଚ ନିଜ ସମ୍ବଳରୁ ଦେବାକୁ ରାଜି ଅଛନ୍ତି । ତେଣୁ ଟିକା ଦାନ ନୀତିରେ ରାଜ୍ୟକୁ ସ୍ଥାନୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜ ଢଙ୍ଗରେ ଟିକାକରଣ କରିବାକୁ ସୁଯୋଗ ଦେବାକୁ ଶ୍ରୀ ଦାସ ଅନୁରୋଧ କରିଛନ୍ତି । ରାଜ୍ୟର ଅଧିକାଂଶ ପାହାଡ଼ିଆ ଅଂଚଳ ହୋଇଥିବାରୁ ସେଠାରେ ଇଣ୍ଟରନେଟ ନଥିବାରୁ ବାଧ୍ୟତାମୂଳକ ଅନଲାଇନ ପଞ୍ଜିକରଣ ନିୟମକୁ କୋହଳ କରିବା ସହ ଯୁକ୍ତ ଦୁଇ ଶ୍ରେଣୀର ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାରକୁ ଟିକାକରଣରେ ପ୍ରାଥମିକତା ଦେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ, ଜୁନ୍ ୪ତାରିଖରେ ଗ୍ଲୋବାଲ ଟେଣ୍ଡର ଦାଖଲ ଅବଧି ସରିବାର ଥିବାବେଳେ ଜୁନ୍ ୧ତାରିଖରେ ରାଜ୍ୟ ସରକାର ଏଭଳି ଚିଠି ଲେଖି କାହିଁକି ଗ୍ଲୋବାଲ ଟେଣ୍ଡର କେନ୍ଦ୍ର ସରକାର ଡାକନ୍ତୁ ବୋଲି ପ୍ରସ୍ତାବ ଦେଲେ ତାକୁ ନେଇ ପ୍ରଶ୍ନ ଉଠିଛି । ଯଦିଓ ଆଜି ଓଡ଼ିଶା ରାଜ୍ୟ ମେଡିକାଲ ନିଗମ ଡାକିଥିବା ଗ୍ଲୋବାଲ ଟେଣ୍ଡରର ଗୋଟିଏ ସର୍ତ୍ତକୁ ଆଜି ସଂଶୋଧନ କରି ଟେଣ୍ଡର ପେପର ଦାଖଲ ସମୟରେ ନୁହେଁ ବରଂ କ୍ରୟ ଅର୍ଡର ଦିଆଯିବାବେଳେ ଡିଜିସିଏ(ଡ୍ରଗ୍ସ କଣ୍ଟ୍ରୋଲର ଅଫ ଇଣ୍ଡିଆ)ଙ୍କ ଅନୁମୋଦନ ପତ୍ର ଦେବାକୁ କୁହାଯାଇଛି ।

ଏବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର ମେ’ ୧୯ରେ ଗ୍ଲୋବାଲ ଟେଣ୍ଡର ପାଇଁ ପ୍ରି-ବିଡ୍ ବୈଠକ ଡାକିଥିବାବେଳେ ସେଠାରେ ଟେଣ୍ଡର ସର୍ତ୍ତାବଳୀକୁ ସଂଶୋଧନ ନିମନ୍ତେ କେଉଁ କମ୍ପାନୀ ପ୍ରସ୍ତାବ ଦେଇଥିଲେ ଓ ସେମାନଙ୍କ ପରାମର୍ଶରେ ଯଦି ଗ୍ଲୋବାଲ ଟେଣ୍ଡରର ସର୍ତ୍ତାବଳୀକୁ ରାଜ୍ୟ କ୍ୟାବିନେଟ କୋହଳ କଲେ ତା’ହେଲେ ଟେଣ୍ଡର ଦାଖଲ ଅବଧି ଜୁନ୍ ୪ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ଅପେକ୍ଷା କଲେନି କାହିଁକି? କ’ଣ ପାଇଁ ଟେଣ୍ଡର ଦାଖଲ ଅବଧି ପୂର୍ବରୁ ହାତ ଟେକି ଦେଇ କେନ୍ଦ୍ର ସରକାରଙ୍କ ଦ୍ୱାରସ୍ଥ ହେଲେ? ଗ୍ଲୋବାଲ ଟେଣ୍ଡର ଡାକିବା ପାଇଁ ତରବରିଆ ନିଷ୍ପତ୍ତି କିଏ ଓ କେଉଁ ସ୍ତରରେ ନେଇଥିଲେ, ଏଭଳି ଟେକନିକାଲ ସମସ୍ୟା ସମ୍ପର୍କରେ କ’ଣ ସରକାର ଅବଗତ ନଥିଲେ କି?

ସୀରମ ଇନଷ୍ଟିଚ୍ୟୁଟ ସିଇଓ ଅଦର ପୁନୱାଲାଙ୍କ ସହ ୨୦୨୦ ଜୁଲାଇ ୨୨ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଥିଲେ ଓ ଶିରମ ଇନଷ୍ଟିଚ୍ୟୁଟ୍ ସହ ରାଜ୍ୟ ସରକାରଙ୍କ ଅଧିକାରୀମାନେ ନିୟମିତ ଯୋଗାଯୋଗରେ ରହିବେ । ଯାହାଫଳରେ କୋଭିଡ୍ ଟିକା ଉତ୍ପାଦନ ହେଲେ ଓଡ଼ିଶାକୁ ପ୍ରାଥମିକତା ଦିଆଯିବ ବୋଲି ସେତେବେଳେ ଗଣମାଧ୍ୟମରେ ବେଶ୍ ପ୍ରଚାର କରାଗଲା । କିନ୍ତୁ ଓଡ଼ିଶା ନିଜସ୍ୱ ପାଣ୍ଠିରେ ଗ୍ଲୋବାଲ ଟେଣ୍ଡର ଡାକିବାବେଳେ ଶିରମ୍ ଇନଷ୍ଟିଚ୍ୟୁଟ୍ ସାମାନ୍ୟତମ ଆଗ୍ରହ ଦେଖାଇଲା ନାହିଁ । ଯଦିଓ ଶିରମ୍‌ର ଟିକା କୋଭିଶିଲଡ୍‌ର ୫.୭୮ଲକ୍ଷ ଡୋଜ୍ ଓଡ଼ିଶାକୁ ମିଳିଥିଲା ଓ ଆସନ୍ତା ସପ୍ତାହକ ମଧ୍ୟରେ ଆଉ ୨.୨୭ଲକ୍ଷ ଡୋଜ୍ ମିଳିବ । କିନ୍ତୁ ଓଡ଼ିଶାର ୨.୨୦କୋଟି ଡୋଜକୁ ନେଇ ଶିରମ୍ ଇନଷ୍ଟିଚ୍ୟୁଟ୍ ଚୁପ୍ ରହିଛି ।

ସେହିପରି ଭାରତ ବାୟୋଟେକ୍ (କୋଭାକ୍ସିନ) ମଧ୍ୟ ଟେଣ୍ଡରରେ ସାମିଲ ହେଲାନି। ଯଦିଓ କମ୍ପାନୀ ୧.୬୫ଲକ୍ଷ ଡୋଜ୍ ଓଡ଼ିଶାକୁ ଦେଇଛି ଓ ସପ୍ତାହକ ସୁଦ୍ଧା ଆଉ ୨୬ହଜାର ଡୋଜ୍ ଦେବ ବୋଲି କହିଛି । କିନ୍ତୁ ୧୦.୩୪ଲକ୍ଷ ଡୋଜ୍ ଦେବା ସମ୍ଭବପର ହୋଇନି । ଯଦିଓ ଭାରତ ବାୟୋଟେକକୁ ଟିକା ଉତ୍ପାଦନ ନିମନ୍ତେ ଓଡ଼ିଶା ସରକାର ଭୁବନେଶ୍ୱରର ଉପକଣ୍ଠ ଅନ୍ଧାରୁଆରେ ଜମି ଓ କୋଠା ନିର୍ମାଣ କରାଇବା ସହ ସମସ୍ତ ପ୍ରକାରର ଆଇନଗତ ଆନୁସଙ୍ଗିକ ସୁବିଧା ଯୋଗାଇ ଦେଇଛନ୍ତି। ଏପରିକି ୧୫କୋଟି ଟଙ୍କାର ପ୍ରୋତ୍ସାହନ ରାଶି ବି ଦେଇଛନ୍ତି । କିନ୍ତୁ ଏହି ସଂସ୍ଥା ଓଡ଼ିଶାର ବିପତ୍ତି(କୋଭିଡ୍ ଟିକା) ସମୟରେ ସହଯୋଗର ହାତ ବଢ଼ାଇବାକୁ ଆଗେଇ ଆସିନି । ତେଣୁ ଦେଶର ଏହି ଦୁଇଟି ଟିକା ଉତ୍ପାଦନକାରୀ କମ୍ପାନୀ ଯେତେବେଳେ ଓଡ଼ିଶା ସରକାରଙ୍କଠୁ ସହଯୋଗ ନେଇ ମଧ୍ୟ ସହଯୋଗର ହାତ ବଢ଼ାଉନାହାନ୍ତି ସେତେବେଳେ ବିଦେଶୀ କମ୍ପାନୀଗୁଡ଼ିକ ଟେକନିକାଲ ସମସ୍ୟା କାରଣରୁ ରାଜ୍ୟ ସରକାରଙ୍କ ସହ ଚୁକ୍ତିବଦ୍ଧ ନହେବା ସ୍ୱାଭାବିକ କଥା ।

ଅନ୍ୟ ଏକ ରୋଚକକଥା ହେଲା, ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଆଜି ଯେଉଁ ଚିଠି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି ସେଥିରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକା ଦେବାରେ ପ୍ରାଥମିକତା ଦେବାକୁ ଓଡ଼ିଶା ସରକାର ଯୋଜନା କରିଥିବା କହିଛନ୍ତି । ମାତ୍ର ଓଡ଼ିଶାରେ ଯୁକ୍ତ ଦୁଇ ଶେଷ ବର୍ଷରେ ପଢ଼ୁଥିବା ଛାତ୍ରର ଆଇନସମ୍ମତ ବୟସ ହେଉଛି ସର୍ବାଧିକ ୧୭ବର୍ଷ । ଜଣେ ୧୮ବର୍ଷ ବୟସର ନହେଲେ ଟିକା ନେବା ସମ୍ଭବପର ନୁହେଁ । ତେବେ ମନ୍ତ୍ରୀ ଶ୍ରୀ ଦାସ କିଭଳି ଏହି ଯୁକ୍ତି ଉପସ୍ଥାପନ କଲେ ତାହା ଆଶ୍ଚର୍ଯ୍ୟ ଲାଗୁଛି ।

କେବଳ ଏତିକି ନୁହେଁ, ଗ୍ଲୋବାଲ ଟେଣ୍ଡର ପାଇଁ ପ୍ରାଇସ୍ ନିର୍ଦ୍ଧାରଣ କରିବା ମଧ୍ୟ ରାଜ୍ୟ ସରକାରଙ୍କ ପାଇଁ ଏକ ନୂଆ ଚ୍ୟାଲେଞ୍ଜ ହେବ । ତେଣୁ ଏସବୁ କଥାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ରାଜସ୍ଥାନ ଓ କେରଳ ଭଳି କେନ୍ଦ୍ର ସରକାରଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos