ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜେଇ ଖୋଜୁଖୋଜୁ ମିଳିଲା ପୁଳା ପୁଳା ଟଙ୍କା ଓ ସୁନା ବିସ୍କୁଟ୍ । ଗଞ୍ଜେଇ ଥିବା ସନ୍ଦେହରେ ବ୍ରହ୍ମପୁରରେ ଏକ ଗାଡ଼ି ଯାଞ୍ଚ ବେଳେ ସେଥିରୁ ମିଳିଲା ୧ କୋଟି ୨୨ ଲକ୍ଷର କ୍ୟାସ୍ । ଏହାପରେ ଘଟଣାର ଖୋଳତାଡ଼ କରୁ କରୁ ଏହି ଟଙ୍କା ଦେଇ ବଦଳରେ ଜଣେ ବ୍ୟବସାୟୀ ସୁନା ବିସ୍କୁଟ ନେଇଥିବା ଜଣାପଡ଼ିଲା। ତାଙ୍କ ନିକଟରୁ ମିଳିଲା ୨୩ଟି ସୁନା ବିସ୍କୁଟ । ଏହି ଘଟଣାରେ ୩ ଜଣ ଅଟକ ଥିବା ବେଳେ GST ଫାଙ୍କି ବ୍ୟବସାୟ କରିବାକୁ ସେମାନେ ଏପରି ଯୋଜନା କରିଥିବା କହିଛନ୍ତି।
ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅଞ୍ଚଳ ଦେଇ ଏକ ଗଞ୍ଜେଇ ଭର୍ତ୍ତି କାର୍ ଯିବ ବୋଲି ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଏହି ଆଧାରରେ ଅବକାରୀ ଅଧିକାରୀ ବିଭିନ୍ନ ଛକରେ ଯାଞ୍ଚ କରୁଥିଲେ। ଗତକାଲି ବିଳମ୍ବିତ ରାତିରେ ଲାଞ୍ଜିପଲ୍ଲୀ ନିକଟରେ ମୁମ୍ବାଇ ନମ୍ବର ପ୍ଲେଟ ଥିବା ଏକ କାର୍ ଯାଉଥିବା ବେଳେ ତାହାକୁ ଅଟକାଇଥିଲେ ଅବକାରୀ ଅଧିକାରୀ।
ଏହାପରେ ଉକ୍ତ ଗାଡ଼ି ଯାଞ୍ଚ କରିବାରୁ ତାହାର ଡିକି ମଧ୍ୟରୁ ୧ କୋଟି ୨୨ ଲକ୍ଷର କ୍ୟାସ୍ ମିଳିଥିଲା। ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲ ବୋଲି କାର୍ରେ ଥିବା ୨ ଜଣଙ୍କୁ ପଚାରିବାରୁ ବ୍ରହ୍ମପୁରର ଜଣେ ସୁନା ବ୍ୟବସାୟୀଙ୍କୁ ସୁନା ବିସ୍କୁଟ ବିକି ଏହି ଟଙ୍କା ଆଣିଥିବା କହିଲେ। ଏହାପରେ ଉକ୍ତ ବ୍ୟବସାୟୀଙ୍କୁ ଡାକି ପଚରାଯିବାରୁ ସେ ସୁନା କିଣିଥିବା ମାନିଲେ । ତାଙ୍କ ନିକଟରୁ ସମୁଦାୟ ୨୩ଟି ସୁନା ବିସ୍କୁଟ ଜବତ ହୋଇଛି।
ଏହି ଘଟଣାରେ ପୁଲିସ୍ ୩ ଜଣଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରେ ବଡ଼ବଜାରର ୨ ଜଣ ସୁନା ବ୍ୟବସାୟୀ ଓ ମହାରାଷ୍ଟ୍ରର ଜଣେ ଥିବା ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।