ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ୨୦୨୦ ମସିହା ଓ ଚଳିତବର୍ଷ ଏପର୍ଯ୍ୟନ୍ତ ଆଇନଶୃଙ୍ଖଳା ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି ବୋଲି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଜି ବିଧାନସଭାରେ କହିଛନ୍ତି।
ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ନାହିଁ, ସାଧାରଣ ଲୋକେ ତ୍ରାହି ତ୍ରାହି ଡାକିଲେଣି ବୋଲି ବିଜେପି ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଉପରେ ଆଜି ବିଧାନସଭାରେ ଆଲୋଚନା ହୋଇଛି। ବିରୋଧୀ ଦଳର ହଟ୍ଟଗୋଳ ଯୋଗୁ ପ୍ରାୟ ୨ଦିନ ଧରି ଏହି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରିନଥିଲା। କିନ୍ତୁ ଆଜି ଗୃହରେ ଏନେଇ ଆଲୋଚନା ହୋଇଥିଲେ ମଧ୍ୟ ସରକାରଙ୍କ ଉତ୍ତରରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଆପତ୍ତି ଉଠାଇ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ।
ଆଜି ବିଜେପି ବିଧାୟକ ଜୟନାରାୟଣ ମିଶ୍ର, ମୋହନ ମାଝୀ, ନାଉରୀ ନାଏକ, ମୁକେଶ ମହାଲିଙ୍ଗ, ପ୍ରକାଶ ସୋରେନ, ସନାତନ ବିଜୁଳି, ଆଦିତ୍ୟ ମାଢ଼ୀ ଓ ସୁକାନ୍ତ ନାଏକଙ୍କ ଦ୍ୱାରା ଆଗତ ଏହି ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଆଲୋଚନା ପରେ ଉତ୍ତର ରଖି ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ ଯେ, ସମୟୋପଯୋଗୀ ଗୁଇନ୍ଦା ତଥ୍ୟ ଓ ପୁଲିସର ଆଗୁଆ କାର୍ଯ୍ୟାନୁଷ୍ଠାନ ଯୋଗୁ କୋଭିଡ୍ ମହାମାରୀବେଳେ କୌଣସି ଗୁରୁତ୍ୱପୂର୍ଣ୍ଣ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇନାହିଁ।
କୋଭିଡ୍ ପରିସ୍ଥିତିର ମୁକାବିଲାବେଳେ ୪୮ଜଣ ପୁଲିସ କର୍ମଚାରୀ ଶହୀଦ ହୋଇଛନ୍ତି। ୧୦୦୨ରୁ ଅଧିକ ପୁଲିସ କର୍ମଚାରୀ କୋଭିଡ ରୋଗୀଙ୍କୁ ପ୍ଲାଜମା ଦାନ କରିଛନ୍ତି। ୫୪,୬୮୪ଜଣ ପୁଲିସ କର୍ମଚାରୀଙ୍କୁ ଟୀକାକରଣ କରାଯାଇଛି। ରାଜ୍ୟରେ ନକ୍ସଲ ପରିସ୍ଥିତିରେ ସୁଧାର ଆସିଛି । କେନ୍ଦ୍ର ସରକାରଙ୍କ ଏସଆରଇ ଅର୍ନ୍ତଭୁକ୍ତ ୧୫ଟି ନକ୍ସଲ ପ୍ରଭାବିତ ଜିଲ୍ଲା ମଧ୍ୟରୁ ୫ଟି ଜିଲ୍ଲା ଅନୁଗୁଳ,ବୌଦ୍ଧ,ଦେବଗଡ଼, ନୟାଗଡ଼ ଓ ସମ୍ବଲପୁର ନକ୍ସଲ କାର୍ଯ୍ୟକଳାପରୁ ମୁକ୍ତ ରହିଛି। ରାଜ୍ୟରେ ୨୦୨୦ ମସିହାରେ ୧୭ଜଣ ମାଓବାଦୀ ନିହତ ହୋଇଛନ୍ତି। ୨୧ଜଣ ମାଓବାଦୀ ଆତ୍ମସମର୍ପଣ ଓ ୩୪ଜଣ ଗିରଫ ହୋଇଛନ୍ତି। ସ୍ୱାଭିମାନ ଅଂଚଳ ମାଲକାନଗିରିର ଯୋଡ଼ାମ୍ବାରେ ଗୋଟିଏ ଥାନା କାର୍ଯ୍ୟକ୍ଷମ ହୋଇଛି।
୨୦୨୦ ମସିହାରେ ଡକାୟତି, ଲୁଣ୍ଠନ, ଚୋରି ଓ ଠକେଇ ମାମଲା ଯଥାକ୍ରମେ ସାଢ଼େ ୧୨ ପ୍ରତିଶତ, ୧୩ ପ୍ରତିଶତ, ୩ ପ୍ରତିଶତ ଓ ୬.୪ ପ୍ରତିଶତ ପୂର୍ବବର୍ଷ ତୁଳନାରେ କମିଛି। ସେହିପରି ଧର୍ଷଣରେ ଦଣ୍ଡହାର ୧୮ ପ୍ରତିଶତ ଓ ନରହତ୍ୟାରେ ୩୦ ପ୍ରତିଶତ ଓ ପୋକସୋ ମାମଲାରେ ୧୨ ପ୍ରତିଶତ ଦଣ୍ଡହାର ରହିଛି। ମହିଳାଙ୍କ ବିରୁଦ୍ଧରେ ଅପରାଧୀ ୨୭୬ଟି ମାମଲାକୁ ରେଡ୍ ପ୍ଲାଗ ଭାବେ ଗ୍ରହଣ କରାଯାଇ ତା’ର ତଦନ୍ତ କରାଯାଉଛି। ସଂଗଠିତ ଅପରାଧ, ଚୋରାଚାଲାଣ ବିରୁଦ୍ଧରେ ଅକ୍ଟୋବର ୧୫ରୁ ନଭେମ୍ବର ୧୫ମଧ୍ୟରେ ୩୧୧ଟି ମକଦ୍ଦମା ରୁଜୁ ହୋଇ ୪୦୨ଜଣଙ୍କୁ ଗିରଫ କରାଯାଇଥିଲା।
ସେହିପରି ୨୦୨୦ ମସିହାରେ ୧୯୩୧ଟି ସାଇବର ଅପରାଧ ମାମଲାରେ ୩୬୬ଜଣଙ୍କୁ ଗିରଫ କରାଯାଇଥିବାବେଳେ ୨୦୧୯ରେ ୧୪୭୫ଟି ସାଇବର ଅପରାଧ ମାମଲା ରୁଜୁ ହୋଇଥିଲା। ନିକଟରେ ୧୮୫ଜଣ ପୁଲିସ କର୍ମଚାରୀଙ୍କୁ ସାଇବର ଅପରାଧ ତଦନ୍ତ ନିମନ୍ତେ ନିଯୁକ୍ତି ଦିଆଯାଇଛି। ସେହିପରି ଡ୍ରଗ୍ସ କାରବାର ବିରୁଦ୍ଧରେ ମଧ୍ୟ ଆଖିଦୃଶିଆ ପଦକ୍ଷେପ ନିଆଯାଇଛି ଓ ପୁଲିସକୁ ବିପୁଳ ସଫଳତା ମିଳିଛି ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ।
ଏହି ଆଲୋଚନାରେ ସାମିଲ ହୋଇ ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ କହିଥିଲେ ଯେ, ରାଜନୀତିକ ଚିନ୍ତାଧାରାରେ ଏଭଳି ମୁଲତବୀ ପ୍ରସ୍ତାବ ଅଣାଯାଇଛି। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଖରାପ ରହୁଥିଲେ ଓଡ଼ିଶାବାସୀ ଆମକୁ ଭୋଟ୍ ଦିଅନ୍ତେ ନାହିଁ।
ସୂଚନାଯୋଗ୍ୟ, ରାଜ୍ୟରେ ପରୀ ହତ୍ୟା, ମାହାଙ୍ଗା ଡବଲ ମର୍ଡର, ଜଲେସପେଟା ଆଶ୍ରମର ମୁଖ୍ୟଙ୍କୁ ହତ୍ୟା ଧମକ, ଗୁଣିଗାରେଡି ଜନିତ ହତ୍ୟା ଆଦି ଅନେକ ପ୍ରସଙ୍ଗରେ ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ବିଜେପି ପକ୍ଷରୁ ଏଭଳି ମୁଲତବୀ ପ୍ରସ୍ତାବ ଅଣାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।