ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ମେ’ ୧ତାରିଖରୁ ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକୁ ଆଉ ରାଜ୍ୟ ସରକାର କୋଭିଡ୍ ଟିକା ଯୋଗାଣ କରିବେ ନାହିଁ। ଏଥିପାଇଁ ଆଜି ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲଟି କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମେ’ ପହିଲାରୁ ୧୮ବର୍ଷରୁ ଅଧିକ ବୟସର ସମସ୍ତ ବ୍ୟକ୍ତିଙ୍କୁ ଟିକା ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିବା ସହ ରାଜ୍ୟ ସରକାର ଏବଂ ଖୋଲା ବଜାର ନିମନ୍ତେ ୫୦ ପ୍ରତିଶତ ଟିକା ଉପଲବ୍ଧ ହେବ ବୋଲି କହିଥିବାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏଭଳି ପଦକ୍ଷେପ ନେଇଛନ୍ତି।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏହି ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, ପୂର୍ବରୁ ଘରୋଇ ହସ୍ପିଟାଲରେ ଥିବା କୋଭିଡ୍ ଟିକା କେନ୍ଦ୍ରକୁ ଭାରତ ସରକାର ୨୫୦ଟଙ୍କା ଦରରେ ଟିକା ଯୋଗାଣ କରୁଥିଲେ । ତେବେ ଏହାକୁ ମେ’ ୧ରୁ ବନ୍ଦ କରିଦିଆଯିବ। ସମସ୍ତ ଘରୋଇ ହସ୍ପିଟାଲ ସିଧାସଳଖ କୋଭିଡ୍ ଟିକାକୁ ଉତ୍ପାଦନକାରୀ କମ୍ପାନୀଠୁ କ୍ରୟ କରିବେ।
ଭାରତ ସରକାର ୫୦ ପ୍ରତିଶତ ଉତ୍ପାଦିତ କୋଭିଡ୍ ଟିକାକୁ ରାଜ୍ୟ ସରକାର ଓ ଖୋଲା ବଜାର ପାଇଁ ଉପଲବ୍ଧ କରିଥିବାରୁ ଘରୋଇ ହସ୍ପିଟାଲଗୁଡ଼ିକ ଏହି ଟିକାକୁ ସିଧାସଳଖ କିଣିପାରିବେ। ତେଣୁ ଏପ୍ରିଲ ୩୦ତାରିଖ ପରଠୁ ଆଉ ଘରୋଇ କୋଭିଡ୍ ଟିକାକରଣ କେନ୍ଦ୍ରକୁ ଟିକା ନଦେବା ପାଇଁ ଅନୁରୋଧ କରାଯାଉଛି ବୋଲି ଶ୍ରୀ ମହାପାତ୍ର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।