ଭୁବନେଶ୍ୱର ଆଇଆଇଟିକୁ ୬୧୮ ଏକର ଜମି, ନୂଆ ଅନୁଦାନ ନୀତିକୁ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଭୁବନେଶ୍ୱରସ୍ଥିତ ଆଇଆଇଟିକୁ ୬୧୮.୬୬୫ଏକର ସରକାରୀ ଜମି ବିନା ପ୍ରିମିୟମରେ ଦେବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହି ଜମି ପାଇଁ ବାର୍ଷିକ ଏକର ପିଛା ମାତ୍ର ୧୦୦ଟଙ୍କା ଗ୍ରାଉଣ୍ଡ ଭଡ଼ା ଓ ସେସ୍ ବାବଦକୁ ଗ୍ରାଉଣ୍ଡ ଭଡ଼ାର ୭୫ ପ୍ରତିଶତ ଦେବାକୁ ହେବ । ଜଟଣୀ ତହସିଲର ଅରୁଗୁଳ ମୌଜାରେ ୭୦ଏକର ସମେତ ଖୋଲାଦ୍ୱାର, କଂସପଦା ଓ ପୋଡ଼ପଡ଼ା […]

IIT-BBSR

Ordigital Desk
  • Published: Monday, 10 January 2022
  • , Updated: 10 January 2022, 10:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଭୁବନେଶ୍ୱରସ୍ଥିତ ଆଇଆଇଟିକୁ ୬୧୮.୬୬୫ଏକର ସରକାରୀ ଜମି ବିନା ପ୍ରିମିୟମରେ ଦେବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହି ଜମି ପାଇଁ ବାର୍ଷିକ ଏକର ପିଛା ମାତ୍ର ୧୦୦ଟଙ୍କା ଗ୍ରାଉଣ୍ଡ ଭଡ଼ା ଓ ସେସ୍ ବାବଦକୁ ଗ୍ରାଉଣ୍ଡ ଭଡ଼ାର ୭୫ ପ୍ରତିଶତ ଦେବାକୁ ହେବ । ଜଟଣୀ ତହସିଲର ଅରୁଗୁଳ ମୌଜାରେ ୭୦ଏକର ସମେତ ଖୋଲାଦ୍ୱାର, କଂସପଦା ଓ ପୋଡ଼ପଡ଼ା ମୌଜା ଏବଂ ଡେଲାଙ୍ଗ ତହସିଲର ଗୋଡ଼ିପୁଟ ଓ ମାଟିଆପଡ଼ା ମୌଜାରେ ଏହି ଜମି ଯୋଗାଇ ଦିଆଯିବ ।

ସେହିପରି ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଫ୍ୟାସନ ଟେକ୍ନୋଲୋଜି(ଏନଆଇଏଫଟି)କୁ ଅଧିକ ୨ଏକର ଜମି ଯୋଗାଇବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁର କରିଛନ୍ତି । ପୂର୍ବରୁ ରାଜ୍ୟ ସରକାର ଏହି ସଂସ୍ଥାକୁ ଭିତ୍ତିଭୂମି ନିର୍ମାଣ ପାଇଁ ୧୦ଏକର ଜମି ଓ ୫୮.୬୫କୋଟି ଟଙ୍କାର ଅନୁଦାନ ଦେଇଥିଲେ । ଏବେ ଏହି ପରିସର ସଂଲଗ୍ନ ୨ଏକର ଜମିକୁ ବିନା ମୂଲ୍ୟରେ ସରକାର ଯୋଗାଇ ଦେବେ । ଏହି ଜମି ବାବଦରେ ଇଡକୋକୁ ୪.୫୮କୋଟି ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବେ । ଏହି ଜମିର ମୂଲ୍ୟ, ବାର୍ଷିକ ଜମି ଉପକର, ଭିତ୍ତିଭୂମି ରକ୍ଷଣାବେକ୍ଷଣ ଭାର ଓ ଜିଏସଟି ଆଦି ବାବଦରେ ସରକାର ଏହି ଅର୍ଥ ଦେବେ । ରାଜ୍ୟ କ୍ୟାବିନେଟ ଏହି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି ।

ସେହିପରି ରାଜ୍ୟ କ୍ୟାବିନେଟ ଆଜି ୫ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ଶ୍ୟାମାଖୁଣ୍ଟା, କପ୍ତିପଦା ଓ ବାରିପଦା ବ୍ଲକ, କଟକ ଜିଲ୍ଲାର ବାଙ୍କି, ଡ଼ମପଡ଼ା ଓ ବାରଙ୍ଗ ବ୍ଳକ, ସମ୍ବଲପୁର ଜିଲ୍ଲାର ରେଢାଖୋଲ, ନାକଟିଦେଉଳ, ମାନେଶ୍ୱର, ଯୁଯୁମୁରା ବ୍ଲକ, ମୟୂରମଞ୍ଜ ଜିଲ୍ଲାର ବାଙ୍ଗିରିପୋଷି, କୁଳିଆଣା, ସାରସକଣା ବ୍ଲକରେ ଏହି ମେଗା ପାନୀୟ ଜଳ ପ୍ରକଳ୍ପ ହେବ । ଏହି ସବୁ ପାଇପ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସର୍ବାଧିକ ୨ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବ ।

ସେହିପରି ୨୦୦୪ ଗ୍ରାଣ୍ଟ ଇନ୍ ଏଡ୍ ନୀତିରୁ ବାଦ ପଡ଼ିଥିବା ବେସରକାରୀ କଲେଜ, ଜୁନିୟର କଲେଜ ଓ ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକ ନିମନ୍ତେ ରାଜ୍ୟ କ୍ୟାବିନେଟ ଆଜି ନୂଆ ଗ୍ରାଣ୍ଟ ଇନ ଏଡ୍ ଅର୍ଡର ୨୦୨୨କୁ ମଞ୍ଜୁର ପ୍ରଦାନ କରିଛନ୍ତି । ୨୦୦୪ ଗ୍ରାଣ୍ଟ ଇନ୍ ଏଡ୍ ରୁ ବାଦ ପଡ଼ିଥିବା ଶିକ୍ଷକ ଓ ଅଣଶିକ୍ଷକମାନଙ୍କୁ ଏହି ନୂଆ ଅର୍ଡର ଯୋଗୁ ଉପକୃତ ହେବେ । ସେହିପରି ଓଡ଼ିଶା ବେସରକାରୀ ଉପଶାସ୍ତ୍ରୀ ଓ ଶାସ୍ତ୍ରୀ କଲେଜ ଗ୍ରାଣ୍ଟ ଇନ୍ ଏଡ୍ -୨୦୦୯ର ସଂଶୋଧନ ପାଇଁ ପ୍ରସ୍ତାବକୁ ମଧ୍ୟ ରାଜ୍ୟ କ୍ୟାବିନେଟ ମଞ୍ଜୁର କରିଛନ୍ତି ।

ଏଭଳି ମୋଟ ୧୨ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଆଜି ଅନୁମୋଦନ କରିଛନ୍ତି ।

Related story