କ୍ୱାରେଣ୍ଟିନ ପିରିୟଡ: ମୁଣ୍ଡ ପିଛା ଖାଇବା ଖର୍ଚ୍ଚ ଦିନକୁ ୧୨୦

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ପରେ ଓଡ଼ିଶାକୁ ଫେରିବାକୁ ଥିବା ପ୍ରବାସୀଙ୍କ ଚିକିତ୍ସା ଓ କ୍ୱାରେଣ୍ଟିନରେ ରହିବା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମେ ୩ରେ ଲକ୍‌ଡାଉନ୍‌ ଅବଧି ସରିବା ପରେ ବାହାରୁ ଫେରିବାକୁ ଥିବା ଲୋକଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟିନରେ ରଖାଯିବ। କ୍ୱାରେଣ୍ଟିନରେ ରହିବା ବେଳେ ଜଣ ପିଛା ଖାଦ୍ୟ ବାବଦକୁ ୧୨୦ ଟଙ୍କା ଓ ଶିଶୁଙ୍କ ମୁଣ୍ଡ ପିଛା ୧୦୦ ଟଙ୍କା […]

corona-1--1

Niharika Rout
  • Published: Tuesday, 28 April 2020
  • , Updated: 28 April 2020, 01:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ପରେ ଓଡ଼ିଶାକୁ ଫେରିବାକୁ ଥିବା ପ୍ରବାସୀଙ୍କ ଚିକିତ୍ସା ଓ କ୍ୱାରେଣ୍ଟିନରେ ରହିବା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମେ ୩ରେ ଲକ୍‌ଡାଉନ୍‌ ଅବଧି ସରିବା ପରେ ବାହାରୁ ଫେରିବାକୁ ଥିବା ଲୋକଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟିନରେ ରଖାଯିବ।

କ୍ୱାରେଣ୍ଟିନରେ ରହିବା ବେଳେ ଜଣ ପିଛା ଖାଦ୍ୟ ବାବଦକୁ ୧୨୦ ଟଙ୍କା ଓ ଶିଶୁଙ୍କ ମୁଣ୍ଡ ପିଛା ୧୦୦ ଟଙ୍କା ଖର୍ଚ୍ଚ କରାଯିବ । ସେହିପରି ପର୍ସନାଲ ହାଇଜେନିକ କିଟ୍ ବାବଦରେ ୧୪ ଦିନକୁ ୩୦୦ ଟଙ୍କା ଦିଆଯିବ । ଏହି ଟଙ୍କାରେ ଟୁଥ ବ୍ରଶ, ପେଷ୍ଟ, ସାବୁନ, ତେଲ, ରେଜର ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିପାରିବେ। ଯେଉଁ କ୍ୱାରେଣ୍ଟିନ ସେଣ୍ଟରରେ ବେଡସିଟ୍‌ ନଥିବ, ସେଠାରେ ଗୋଟିଏ ବେଡ୍ ପାଇଁ ୨ଟି ବେଡସିଟ୍ ଓ ୨ଟି ତକିଆ ଖୋଳ କିଣାଯିବ।

ସେହିଭଳି କ୍ୱାରେଣ୍ଟିନ ସେଣ୍ଟରର ସାନିଟାଇଜେସନ ବାବଦରେ ଦିନକୁ ସର୍ବାଧିକ ୨ ହଜାର ଟଙ୍କା ଦିଆଯିବ। ଏହାଛଡ଼ା କ୍ୱାରେଣ୍ଟିନ ସେଣ୍ଟରରେ ପଡ଼ିବାକୁ ଥିବା ବେଡ କିଣାଯିବ ନ ହେଲେ ଭଡ଼ା ଅଣାଯିବ। ଏ ଖର୍ଚ୍ଚ ରାଜ୍ୟ ବିପର୍ଯ୍ୟୟ ରିଲିଫ ଫଣ୍ଡରୁ ଭରଣା କରାଯିବ । ତେବେ କ୍ୱାରେଣ୍ଟିନ ସେଣ୍ଟରର ପରିଚାଳନା ଓ ଖର୍ଚ୍ଚ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ନିୟମାବଳୀ ଅନୁଯାୟୀ ଏହି ଟଙ୍କା ଖର୍ଚ୍ଚ କରାଯିବ। ଗ୍ରାମ ପଞ୍ଚାୟତ ବା ପୌରପରିଷଦ ଦ୍ୱାରା କ୍ୱାରେଣ୍ଟିନ ସେଣ୍ଟର ପରିଚାଳନା କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

Related story