ଭୁବନେଶ୍ୱରକୁ ଫେରିଲା କରୋନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭୮ରେ ପହଞ୍ଚିଥିବା ବେଳେ ୧୦୨ ନୂଆ ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି ସରକାର। ସେମାନଙ୍କ ମଧ୍ୟରେ ଭୁବନେଶ୍ୱରର ୨ ଜଣ ଅଛନ୍ତି। ଏହା ସହିତ ରାଜଧାନୀକୁ ପୁଣି ଫେରିଛି କରୋନା। ଗତକାଲି ଭୁବନେଶ୍ୱରକୁ କରୋନା ମୁକ୍ତ ବୋଲି ଘୋଷଣା କରାଯାଇଥିବା ବେଳେ ଏଠାରେ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୁଇ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳର। ୧୦୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣ କେନ୍ଦ୍ରାପଡ଼ାରେ ଚିହ୍ନଟ […]

odisha

Jitendra Garnayak
  • Published: Tuesday, 19 May 2020
  • , Updated: 19 May 2020, 01:43 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭୮ରେ ପହଞ୍ଚିଥିବା ବେଳେ ୧୦୨ ନୂଆ ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି ସରକାର। ସେମାନଙ୍କ ମଧ୍ୟରେ ଭୁବନେଶ୍ୱରର ୨ ଜଣ ଅଛନ୍ତି। ଏହା ସହିତ ରାଜଧାନୀକୁ ପୁଣି ଫେରିଛି କରୋନା। ଗତକାଲି ଭୁବନେଶ୍ୱରକୁ କରୋନା ମୁକ୍ତ ବୋଲି ଘୋଷଣା କରାଯାଇଥିବା ବେଳେ ଏଠାରେ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୁଇ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳର।

୧୦୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣ କେନ୍ଦ୍ରାପଡ଼ାରେ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ପଶ୍ଚିମବଙ୍ଗରୁ, ୩ ଜଣ ତାମିଲନାଡଉରୁ, ଜଣେ କର୍ଣ୍ଣାଟକାରୁ ଓ ୨ ଜଣ ମହାରାଷ୍ଟ୍ରରୁ ଫେରିଥିଲେ। ସମସ୍ତେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ।

ଏହି ତାଲିକାରେ ଦୁଇ ଜଣ ସମ୍ବଲପୁରର ଥିବା ବେଳେ ସେମାନେ ପଶ୍ଚିମବଙ୍ଗରୁ ଫେରିଥିଲେ ଓ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ।
କଟକରେ ୪ ଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ରରୁ, ଜଣେ ତେଲେଙ୍ଗାନାରୁ ଓ ଜଣେ ତାମିଲନାଡୁରୁ ଫେରିଥିଲେ ଏବଂ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ। ଅନ୍ୟ ଜଣେ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳର।

ନୟାଗଡ଼ରେ ଜଣେ ଚିହ୍ନଟ ହୋଇଥିବା ବେଳେ ସେ ସୁରତରୁ ଫେରି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ। ଯାଜପୁରରେ ସର୍ବାଧିକ ୩୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୦ ଜଣ ପଶ୍ଚମବଙ୍ଗରୁ ଓ ଜଣେ ତେଲେଙ୍ଗାନାରୁ ଫେରିଥିଲେ ଏବଂ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ।

ଅନୁଗୋଳରେ ୨ ଜଣ ଚିହ୍ନଟ ହୋଇଥିବା ବେଳେ ସେମାନେ ସୁରତରୁ ଫେରିଥିଲେ ଓ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ଭଦ୍ରକରେ ୨୧ ଜଣଙ୍କ ମଧ୍ୟରୁ ୧୨ ଜଣ ପଶ୍ଚମବଙ୍ଗରୁ, ଜଣେ ଆନ୍ଧ୍ର ପ୍ରଦେଶରୁ, ୨ ଜଣ ତାମିଲନାଡୁରୁ ଓ ୬ ଜଣ ଗୁଜରାଟରୁ ଫେରିଥିଲେ ଏବଂ ସମସ୍ତେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ।

ପୁରୀର ୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସମସ୍ତେ ସୁରତରୁ ଫେରିଥିଲେ ଓ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ। ଭୁବନେଶ୍ୱରର ୨ ଜଣଙ୍କୁ ବାଦ୍‌ ଦେଇ ଖୋର୍ଦ୍ଧା ଜିଲ୍ଲାରେ ଆଉ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନେ ସୁରତରୁ ଫେରିଥିଲେ ଓ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ।

ଜଗତସିଂହପୁରର ୨୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ବାକି ୩ ଜଣ ଗୁଜରାଟରୁ ଆସିଥିଲେ। ସମସ୍ତେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ। ବାଲେଶ୍ୱରେ ଚିହ୍ନଟ ୨ ଜଣ ସ୍ଥାନୀୟ ଅଞ୍ଚଳର।

ସୂଚନାଯୋଗ୍ୟ, ରାଜ୍ୟରେ ୯୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭୭ ଜଣ ସୁସ୍ଥ ହୋଇସାରିଛନ୍ତି ଓ ୫ ଜଣଙ୍କ ମୃତ୍ୟୁ ଘଟିଛି। ୬୯୬ ଜଣଙ୍କର ଚିକିତ୍ସା ଚାଲିଛି।

Related story