ଅର୍ଥ ଚିନ୍ତା ଚମତ୍କାର!

ଦେବେନ୍ଦ୍ର ପୃଷ୍ଟି

ଭାରତୀୟ ଲୋକମାନଙ୍କର ଏକ ବହୁ ପ୍ରାଚୀନ ଅଭ୍ୟାସ ହେଲା ସଂଚୟ। ସେମାନେ ଖାଆନ୍ତୁ ନଖାଆନ୍ତୁ ଭବିଷ୍ୟତ ପାଇଁ କିଛି ସଂଚୟ କରିଥାନ୍ତି। ବାରମ୍ବାର ପ୍ରାକୃତିକ ଦୁର୍ବିପାକ, ବିଦେଶୀଙ୍କ ଲୁଣ୍ଠନ ଓ ଦେଶୀ ଶୋଷଣର ସମ୍ମୁଖୀନ ହୋଇ ଲୋକମାନେ ନିଜର ତଥା ନିଜ ଉତ୍ତର ପିଢ଼ିର ଆର୍ଥିକ ଅନିଶ୍ଚିତତା ଦୂର କରିବାକୁ ସଂଚୟ କରିଥାନ୍ତି। ସେହିପରି ଭାରତୀୟ ଲୋକମାନଙ୍କର ଅନ୍ୟ ଏକ ପ୍ରାଚୀନ ଆର୍ଥନୀତିକ ପରମ୍ପରା ହେଲା ଜମି ଓ ସୁନା ଖର୍ଦ୍ଦି।

ଭାରତର ଲୋକମାନଙ୍କର ଗୋଟିଏ ଲକ୍ଷ୍ୟ ହେଲା ଜୀବନରେ ସ୍ଥାୟୀ ହେବା। ସ୍ଥାୟୀ ହେବା ଅର୍ଥ ଗୋଟିଏ ଜାଗାରେ ବସତି ସ୍ଥାପନ କରିବା ଓ ଗୋଟିଏ ବୃତ୍ତି ବା ଧନ୍ଦାରେ ରହିବା। ଏଥିପାଇଁ ସେମାନେ ଜମି କିଣିଥାନ୍ତି। ଜମି ହେଉଛି ଏକ ସ୍ଥାୟୀ ସଂପତ୍ତି। ଏହାକୁ କେହି କୁଆଡ଼େ ଉଠେଇ ନେଇଯାଆନ୍ତି ନାହିଁ। ଜମିରେ ଚାଷ ହେଉ କି ନହେଉ, ଯଦି କିଛି ଗଛ ଲାଗିଥାଏ ସେଥିରୁ ବି କିଛି କିଛି ଅମଳ ଓ ଆୟ ହୁଏ, ଜମି ମାଲିକ ଗଛଗୁଡ଼ିକର ଯତ୍ନ ନନେଲେ ବି। ଆଗରୁ ସେଥିପାଇଁ ଲୋକେ ଚାଷଜମି ସହିତ କିଛି କିଛି ତୋଟା ବା ବଗାୟତ କିସମର ଜମି କିଣୁଥିଲେ ଓ ତହିଁରେ ଆମ୍ବ, ପଣସ, ନଡ଼ିଆ ଆଦି ଫଳଗଛ ଲଗାଇ ନିଜ ପିଲାମାନଙ୍କର ଖାଦ୍ୟ ନିରାପତ୍ତା ନିଶ୍ଚିତ କରୁଥିଲେ। ଏହା ଦ୍ୱାରା ଆୟ ନିରାପତ୍ତା ମଧ୍ୟ ନିଶ୍ଚିତ ହେଉଥିଲା। ଯଦି କୌଣସି ବର୍ଷ ଧାନାଦି ଫସଲରୁ ଅମଳ କମିଯାଏ ତେବେ ଫଳ, ଡାଲି ଓ ପରିବା ଆଦି ଅମଳ ତହିଁର କ୍ଷତି ଭରଣା କରିଥାଏ।

ସେହିପରି ଭାରତୀୟ ଲୋକମାନଙ୍କର ଅନ୍ୟ ଏକ ଆକର୍ଷଣ ହେଉଛି ସୁନା। ସେମାନେ ପେଟରୁ କାଟି କିଛି କିଛି ସୁନା କିଣନ୍ତି। ଏହି ସୁନା ଗହଣା ଆକାରରେ ଥାଏ। ଧନୀ ଲୋକମାନେ ହୁଏତ ଦେଖେଇ ହେବା ପାଇଁ ସୁନା ଗହଣା କିଣି ପାରନ୍ତି, ମାତ୍ର ଗରୀବ ଲୋକମାନେ ଏହାକୁ ଅଭାବ ସମୟର ନଗଦ ଟଙ୍କା ଭାବେ ଗ୍ରହଣ କରିଥାନ୍ତି। ଆଗରୁ ବ୍ୟାଙ୍କ ଇତ୍ୟାଦି ବ୍ୟବସ୍ଥା ନଥିବାରୁ ଲୋକମାନେ ଜମି ଓ ସୁନାରେ ଅଧିକ ପୁଂଜି ଖଟାଉଥିଲେ। ଲୋକମାନଙ୍କର ସେହି ଅଭ୍ୟାସ ଏଯାଏଁ ରହିଛି। ବ୍ୟବସାୟୀ ଗୋଷ୍ଠୀର ଲୋକମାନେ ବଳକା ଆୟକୁ ଅନ୍ୟ ବ୍ୟବସାୟରେ ଖଟେଇ ଆୟ ସୁବିଧାର ସଂପ୍ରସାରଣ କରିଥାନ୍ତି। ଅନେକ ସମୟରେ କୌଣସି ଏକ ବ୍ୟବସାୟରେ କ୍ଷତି ହେଲେ ସେମାନେ ଗୋଟିଏ ବ୍ୟବସାୟ ବିକ୍ରି କରି ସେହି ପରିସ୍ଥିତିର ମୁକାବିଲା କରିଥାନ୍ତି।

ଭାରତ ସରକାର ଏବେ ଠିକ ଏହିପରି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ସରକାରଙ୍କ ମନ୍ତ୍ରୀମାନେ ଯେତେ ଯାହା କହିଲେ ବି ଭାରତର ଆର୍ଥିକ ସ୍ଥିତି ଯେ ଏବେ କିଛିଟା ଦୁର୍ବଳ ହୋଇଛି ତାହା ସ୍ୱୀକାର କରିବାକୁ ପଡ଼ିବ। ସରକାର ନିଜେ ଏକାଧିକ ଥର ଜିଡିପି ଅଭିବୃଦ୍ଧି ହାର ଆକଳନରେ ସଂଶୋଧନ କରିଛନ୍ତି। ଚଳିତ ଆର୍ଥିକ ବର୍ଷ ଏହି ଅଭିବୃଦ୍ଧି ହାର ୭ ପ୍ରତିଶତ ରହିବ ବୋଲି ପୂର୍ବରୁ କୁହାଯାଇଥିବାବେଳେ ପରେ ତାହାକୁ ୬ ପ୍ରତିଶତକୁ ହ୍ରାସ କରାଯାଇଛି। ବଜେଟରେ ୧.୭ ଲକ୍ଷ କୋଟି ଟଙ୍କାର ଆୟସୂତ୍ର ନଥିବାରୁ ତାହାକୁ ନେଇ ଅର୍ଥନୀତିଜ୍ଞ ଓ ବିପକ୍ଷ ଦଳର ନେତାମାନେ ଯେଉଁ ଆଶଙ୍କା ପ୍ରକାଶ କରୁଥିଲେ ତାହାକୁ ସରକାର ଭାଷଣବାଜିରେ ଉଡ଼େଇ ଦେଇଥିଲେ ବି ପରେ ଜଣାପଡ଼ିଛି ଯେ ବଜେଟରେ ରହିଥିବା ଏହି ବ୍ୟବଧାନ ଦୂର କରିବାକୁ ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କରୁ ୧.୭୬ ଲକ୍ଷ କୋଟି ଟଙ୍କାର ଡିଭିଡେଣ୍ଡ ବଳକା ପାଣ୍ଠି ଆଣୁଛନ୍ତି। ପୂର୍ବରୁ ବିତ୍ତୀୟ ନିଅଣ୍ଟ ବଢ଼ୁଥିବା ଜାଣି ସରକାର ରିଜର୍ଭ ବ୍ୟାଙ୍କର ଏହି ବଳକା ପାଣ୍ଠି ଉପରେ ନଜର ପକାଇଥିଲେ। କିନ୍ତୁ ରଘୁରାମ ରାଜନ ଓ ଉର୍ଜିତ ପଟେଲଙ୍କ ପରି ପୂର୍ବ ଗଭର୍ଣ୍ଣରମାନେ ଏହା ଦେବାକୁ ସହମତ ନହେବାରୁ ସରକାରଙ୍କ ଚାପରେ ସେମାନେ ଇସ୍ତଫା ଦେଇଥିଲେ ଓ ପରେ ନୂଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସରକାରଙ୍କ ଇଚ୍ଛା ପୂରଣ କରିଛନ୍ତି।

ତେବେ, ଏତିକିରେ ସରକାରଙ୍କର ବଜେଟୀୟ ବିତ୍ତୀୟ ନିଅଣ୍ଟ ଦୂର ହେଉନି। ଚଳିତ ବଜେଟରେ ବିତ୍ତୀୟ ନିଅଣ୍ଟ ୩.୩ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଥିଲା। ମାତ୍ର, ନୂଆ ଆକଳନ ଅନୁସାରେ ଏହା ୩.୭ ପ୍ରତିଶତକୁ ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି। କାରଣ ହେଉଛି ସରକାରଙ୍କ ଆକଳନ ଅନୁସାରେ ଜିଏସଟି ଆଦାୟ ହେଉ ନାହିଁ। ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଜିଏସଟି ଆୟ ୧ ଲକ୍ଷ କୋଟି ଟଙ୍କା ପୂରଣ କରିନାହିଁ। ଘରୋଇ ଶିଳ୍ପ ଓ ବ୍ୟବସାୟ କ୍ଷେତ୍ରରେ ମାନ୍ଦାବସ୍ଥା ଲାଗି ରହିଛି। ଉପଭୋକ୍ତା ବଜାରରେ କାରବାର ମାନ୍ଦା ରହିଥିବାରୁ ଶିଳ୍ପ ଉତ୍ପାଦନ କମିଛି। ଉତ୍ପାଦନ ଓ ଉପଭୋଗ କମିଥିବାରୁ ବଜାରରେ ବିକ୍ରିବଟା କମୁଛି, ବିକ୍ରିବଟା କମିବାରୁ ଟିକସ ଆଦାୟ କମୁଛି। ଏ ନେଇ ବିଭିନ୍ନ ମହଲରେ ଆଲୋଚନା ହେବାରୁ ସରକାର କର୍ପୋରେଟ ଟିକସ ହାର କମେଇ ପୁଂଜିନିବେଶକୁ ପ୍ରୋତ୍ସାହିତ କରିବାର ପ୍ରୟାସ କରିଛନ୍ତି। ମାତ୍ର, ଏହା ଦ୍ୱାରା ଟିକସ ଆୟ ମଧ୍ୟ ଆଉ କିଛି କମିବା ନିଶ୍ଚିତ ହୋଇଯାଇଛି। ସରକାରଙ୍କ ବଜେଟୀୟ ଆକଳନ ଅନୁସାରେ ଚଳିତ ଆର୍ଥିକ ବର୍ଷରେ ରାଜସ୍ୱ ଆଦାୟ ୧୩.୨ ପ୍ରତିଶତ ବୃଦ୍ଧି ପାଇବା କଥା। କିନ୍ତୁ ସେ ଆଶା ଆଉ ନାହିଁ। ଏବେ ହେଉଥିବା ନୂଆ ଆକଳନ ଅନୁସାରେ ଏହି ହାର ୮.୩ ପ୍ରତିଶତ ହୋଇପାରେ। ଏହାର ଅର୍ଥ ସରକାରଙ୍କ ଆୟ କମିବ ଓ ବିତ୍ତୀୟ ନିଅଣ୍ଟ ବୃଦ୍ଧି ପାଇବ।

ଏଥକୁ ଲୋକମାନଙ୍କର ମୁଣ୍ଡପିଛା ଆୟ ବାର୍ଷିକ ପ୍ରାୟ ୭୯୦୦ ଡଲାରରେ ସ୍ଥିର ରହିଛି। ଏହା ପୁଣି କେବଳ ହାରାହାରି ହିସାବ, ମାନେ ଭାରତର ସବୁ ଲୋକଙ୍କର ମୁଣ୍ଡି ପିଛା ଆୟ ୭୯୦୦ ଡଲାର ନୁହେଁ। ଦେଶର ୯୦ ପ୍ରତିଶତ ଲୋକ ଏହି ରକମର ଆୟ କରନ୍ତି ନାହିଁ। ଯେଉଁମାନେ ଉଚ୍ଚ ବେତନଭୋଗୀ ଓ ବ୍ୟବସାୟୀ ସେମାନେ ଏହାଠାରୁ ଯଥେଷ୍ଟ ଅଧିକ ଆୟ କରୁଥିବାରୁ ସେମାନଙ୍କର ଆୟ ସାର୍ବଜନୀନ ଆୟରେ ମିଶି ଏପରି ମୁଣ୍ଡପିଛା ଆୟର ଭ୍ରମ ସୃଷ୍ଟି କରୁଛି। ଦେଶର ୧୪୦ କୋଟି ଲୋକଙ୍କର ଆୟ ବଢ଼ିଲେ ବଜାରରେ ବିଭିନ୍ନ ଜିନିଷ ଓ ସେବାର ଚାହିଦା ବଢ଼ନ୍ତା। ଏବେ ତାହା ହେଉନାହିଁ। ଚାହିଦା କେବଳ ଧନୀ ଓ ଉଚ୍ଚ ମଧ୍ୟବିତ୍ତଙ୍କ ମଧ୍ୟରେ ବଢ଼ୁଛି ବା ସ୍ଥିର ରହିଛି, ନିମ୍ନ ମଧ୍ୟବିତ୍ତ ଓ ଗରୀବ ଲୋକମାନେ ନିଜନିଜ ପାରିବାରିକ ଅର୍ଥନୀତି ଦେଖି ଚାହିଦା ଉପରେ ନିୟନ୍ତ୍ରଣ ଜାରି କରିଛନ୍ତି। ଏପରି ସ୍ଥଳେ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକର ମୋଟ ଋଣ ମୋଟ ଜିଡିପିର ୬୭ ପ୍ରତିଶତ ଛୁଇଁଛି। ଏହା ସୁସ୍ଥ ଅର୍ଥନୀତିର ଲକ୍ଷଣ ନୁହେଁ। ମୁଡି’ସ ରେଟିଂ ସଂସ୍ଥାର ଆକଳନ ଅନୁସାରେ ଭାରତରେ ଏହି ହାର ୫୨ ପ୍ରତିଶତ ଭିତରେ ରହିବା କଥା। ଋଣ ଭାର ବଢ଼ୁଥିବାରୁ ସରକାରଙ୍କ ବାର୍ଷିକ ବଜେଟର ୨୩ ପ୍ରତିଶତ ଅର୍ଥ କେବଳ ସୁଧ ପରିଶୋଧରେ ଖର୍ଚ୍ଚ ହେଉଛି।

ଏସବୁ ସଂକଟର ମୁକିବିଲା ପାଇଁ ସରକାର ସାଧାରଣ ଲୋକଙ୍କ ଭଳି ପ୍ରୟାସ ପ୍ରକଟ କରିଛନ୍ତି। ରିଜର୍ଭ ବ୍ୟାଙ୍କରୁ ୧.୭୬ ଲକ୍ଷ କୋଟି ଟଙ୍କା ଆଣିବା ପରେ ବ୍ୟାଙ୍କର କିଛି ଗଚ୍ଛିତ ସୁନା ବିକ୍ରି ପାଇଁ ମଧ୍ୟ ଚିନ୍ତା ପ୍ରକଟ ପାଇଛି। ୨୦୧୮ ମସିହାରେ ଅନ୍ତର୍ଜତୀୟ ମୁଦ୍ରାପାଣ୍ଠିରୁ ରିଜର୍ଭ ବ୍ୟାଙ୍କ ପ୍ରାୟ ୮୦୦ ଟନ୍‌ ସୁନା କିଣିଥିଲା। ଏବେ ତାହାକୁ ବିକ୍ରି କରିବାର ମସୁଧା ଚାଲିଛି। ସେପରି ହେଲେ ଅନ୍ତର୍ଜାତୀୟ ବଜାରରେ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ଘଟିବ ଓ ବଜାରରେ ମୁଦ୍ରାସ୍ଫୀତି ବଢ଼ିବ। ସରକାର ଦେଶର କେତେକ କ୍ଷତିକାରୀ ସରକାରୀ କମ୍ପାନୀ ସହିତ କେତେକ ଲାଭକାରୀ କମ୍ପାନୀକୁ ମଧ୍ୟ ବିକ୍ରି କରିବାକୁ ଉଦ୍ଦେଶ୍ୟ ଘୋଷଣା କରିଛନ୍ତି। ସରକାରୀ କମ୍ପାନୀ ବିକ୍ରି କରି ସରକାର ୧.୦୫ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଥିଲେ। ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ଏହି ସୂତ୍ରରୁ ମାତ୍ର ୧୨ ହଜାର କୋଟି ଟଙ୍କା ମିଳିଛି। ଏବେ ସରକାର କହିଲେଣି ଯେ ବିପିସିଏଲ ପରି ଲାଭଜନକ ତୈଳ କମ୍ପାନୀ ଓ ଏୟାର ଇଣ୍ଡିଆ ଅଂଶଧନ ବିକ୍ରି କରିବେ। ବିଏସଏନଏଲ ଓ ଏମଟିଏନଏଲ ମିଶ୍ରଣ ଏବଂ କର୍ମଚାରୀଙ୍କୁ ଭିଆରଏସ ଦେଇ ସରକାର କିଛି ଖର୍ଚ୍ଚ କମେଇବା ସହିତ କିଛି ଆୟ କରିବାକୁ ଚିନ୍ତା କରୁଛନ୍ତି। ସେହିପରି ନୂଆ କୋଇଲା ଖଣି ଓ ଅନ୍ୟାନ୍ୟ ଖଣି ନିଲାମରୁ ମଧ୍ୟ ସରକାର କିଛି ଆୟ କରି ନିଅଣ୍ଟ ଭରଣା କରିବାକୁ ଚାହୁଁଛନ୍ତି।

ଏସବୁ ଭାରତର ସେହି ସାଧାରଣ ଲୋକର ଆର୍ଥିକ ଚିନ୍ତା ପରି ବୋଧ ହେଉନାହିଁ?