ଘରୋଇ ବ୍ୟାଙ୍କ ସହ ଅଫିସରମାନଙ୍କ ମଉଜ, ତାଗିଦ୍ କଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରଙ୍କ ବାରମ୍ବାର ତାଗିଦ୍ ସତ୍ତେ୍ୱ ଘରୋଇ ବ୍ୟାଙ୍କଗୁଡ଼ିକ ସହ ରାଜକୋଷ ପାଣ୍ଠିର କାରବାରରୁ ସରକାରୀ ଅଫିସରମାନେ ନିଜକୁ ଦୂରେଇ ରଖିପାରୁନାହାନ୍ତି । ସରକାରୀ ପାଣ୍ଠି ହାତେଇବା ପାଇଁ ଘରୋଇ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଅସ୍ୱାଭାବିକ ପ୍ରତିଯୋଗିତା ଚାଲିଛି। ଯାହାକି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଆଞ୍ଚଳିକ ଗ୍ରାମାଞ୍ଚଳ ବ୍ୟାଙ୍କଗୁଡ଼ିକର ବ୍ୟାଙ୍କିଙ୍ଗ୍ କାରବାରକୁ ପ୍ରଭାବିତ କରିବାରେ ଲାଗିଛି। ଏହା ଘରୋଇ ବ୍ୟାଙ୍କଗୁଡ଼ିକ ସହ ମଉଜ କରୁଥିବା ଅଫିସରମାନଙ୍କ ମନ୍ଦ ଉଦ୍ଦେଶ୍ୟକୁ ପଦାରେ ପକାଇଥିବାବେଳେ ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି […]

bank

Manoranjan Sial
  • Published: Friday, 18 October 2019
  • , Updated: 18 October 2019, 08:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରଙ୍କ ବାରମ୍ବାର ତାଗିଦ୍ ସତ୍ତେ୍ୱ ଘରୋଇ ବ୍ୟାଙ୍କଗୁଡ଼ିକ ସହ ରାଜକୋଷ ପାଣ୍ଠିର କାରବାରରୁ ସରକାରୀ ଅଫିସରମାନେ ନିଜକୁ ଦୂରେଇ ରଖିପାରୁନାହାନ୍ତି । ସରକାରୀ ପାଣ୍ଠି ହାତେଇବା ପାଇଁ ଘରୋଇ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଅସ୍ୱାଭାବିକ ପ୍ରତିଯୋଗିତା ଚାଲିଛି। ଯାହାକି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଆଞ୍ଚଳିକ ଗ୍ରାମାଞ୍ଚଳ ବ୍ୟାଙ୍କଗୁଡ଼ିକର ବ୍ୟାଙ୍କିଙ୍ଗ୍ କାରବାରକୁ ପ୍ରଭାବିତ କରିବାରେ ଲାଗିଛି। ଏହା ଘରୋଇ ବ୍ୟାଙ୍କଗୁଡ଼ିକ ସହ ମଉଜ କରୁଥିବା ଅଫିସରମାନଙ୍କ ମନ୍ଦ ଉଦ୍ଦେଶ୍ୟକୁ ପଦାରେ ପକାଇଥିବାବେଳେ ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି କରିଛି, ଯାହାର ତୁରନ୍ତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। ଏଭଳି ଢଙ୍ଗରେ ରାଜ୍ୟ ଅର୍ଥ ସଚିବ ଏକେକେ ମୀନା ସରକାରୀ ଅଫିସରମାନଙ୍କ ଘରୋଇ ବ୍ୟାଙ୍କ ପ୍ରୀତିକୁ ପଦାରେ ପକାଇଛନ୍ତି।

ଅର୍ଥ ସଚିବ ଶ୍ରୀ ମୀନା ସରକାରୀ ପାଣ୍ଠି ଜମାକୁ ନେଇ ଘରୋଇ ବ୍ୟାଙ୍କଗୁଡ଼ିକ ସହ ଅଫିସରମାନଙ୍କ କାରବାର ଆଡ଼କୁ ସିଧାସଳଖ ଅଙ୍ଗୁଳି ନିର୍ଦ୍ଦେଶ କରି ୨୦୧୪ ନଭେମ୍ବର ୨୧ ଓ ୨୦୧୯ ମାର୍ଚ୍ଚ ୧୨ତାରିଖରେ ଅର୍ଥ ବିଭାଗର ନିର୍ଦ୍ଦେଶନାମାକୁ ପାଳନ ପାଇଁ ପରାମର୍ଶ ଦେଇଛନ୍ତି। ବିନା କାରଣରେ ଗୋଟିଏ ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କକୁ ପାଣ୍ଠି ସ୍ଥାନାନ୍ତର କରାଯାଉଥିବା ଯୋଗୁ ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକର କାରବାର ପ୍ରଭାବିତ ହେଉଛି। ତେଣୁ ଜିଲ୍ଲା ଓ ସବଡିଭିଜନସ୍ତରରେ କାର୍ଯ୍ୟ କରୁଥିବା ଯେକୌଣସି ବିଭାଗ ଅବା ସଂସ୍ଥାକୁ ଏଣିକି ସରକାରୀ ପାଣ୍ଠି ଅନ୍ୟ ବ୍ୟାଙ୍କକୁ ସ୍ଥାନାନ୍ତର କରିବା ନିମନ୍ତେ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ପଡ଼ିବ।

ଏହାସହିତ କାହିଁକି ସେମାନେ ପାଣ୍ଠି ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି ତା’ର କାରଣ ମଧ୍ୟ ଦର୍ଶାଇବେ। ସେହିପରି ରାଜ୍ୟସ୍ତରୀୟ ଉଦ୍ୟୋଗ ଓ ଅନ୍ୟାନ୍ୟ ସଂସ୍ଥାକୁ ମଧ୍ୟ ସେମାନଙ୍କର ପରିଚାଳନା ବୋର୍ଡଠୁ ଏଭଳି ଅନୁମତି ନେବାକୁ ପଡ଼ିବ। ଅବଶ୍ୟ ଏହି ନିର୍ଦ୍ଦେଶନାମାକୁ ଖୁବ୍ କମ୍ ପରିମାଣରେ ପାଳନ କରାଯାଉଥିବା ଦେଖିବାକୁ ମିଳିଛି । ତେବେ ବିଭିନ୍ନ ବିଭାଗ ଓ ସରକାରୀ ସଂସ୍ଥାର ପାଣ୍ଠିକୁ ହାତେଇ ନିଜ ବ୍ୟାଙ୍କରେ ରଖିବା ପାଇଁ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଅସ୍ୱାଭାବିକ ପ୍ରତିଯୋଗିତା ଚାଲିଛି । ସରକାରୀ ଅଫିସରମାନେ ମନ୍ଦ ଉଦ୍ଦେଶ୍ୟ ରଖି ଏଭଳି କରୁଥିବା ନେଇ ମଧ୍ୟ ଅଭିଯୋଗମାନ ସରକାରଙ୍କୁ ମିଳୁଛି । ଯାହାକି ଖରାପ ପରିସ୍ଥିତି ସୃଷ୍ଟି କରୁଛି ଓ ଏଭଳି ପରମ୍ପରା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ହୋଇପଡ଼ିଛି ।

ଏପଟେ ସିଏଜି ୨୦୧୯ ଅଗଷ୍ଟ ୨୧ତାରିଖରେ ଜାରି କରିଥିବା ସର୍କୁଲାର ଅନୁସାରେ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ଓ ଜିଲ୍ଲାସ୍ତରରେ କାର୍ଯ୍ୟକାରୀ କରୁଥିବା ସଂସ୍ଥାମାନେ ବାଧ୍ୟତାମୂଳକ ଭାବେ ସେହି କେନ୍ଦ୍ରୀୟ ପାଣ୍ଠିକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କରେ ଜମା ରଖିବେ । ସେହିପରି ରାଜ୍ୟ ସରକାରଙ୍କ ପାଣ୍ଠିଗୁଡ଼ିକ ମଧ୍ୟ କୌଣସି ପରିସ୍ଥିତିରେ ବ୍ୟାଙ୍କରେ ଜମା ରଖିବା ଗ୍ରହଣୀୟ ନୁହେଁ । ଟ୍ରେଜେରୀରୁ ପାଣ୍ଠି ନେଇ ବ୍ୟାଙ୍କରେ ଜମା କରିବାକୁ ଅନୁମତି ଦିଆଯାଇ ନାହିଁ କିମ୍ବା ଏହା ଗ୍ରହଣୀୟ ବି ନୁହେଁ। ଯେଉଁ ପାଣ୍ଠି ମାସକ ମଧ୍ୟରେ ଖର୍ଚ୍ଚ ହେବ ବା ଜରୁରୀ ଥିବ ତାକୁ ହିଁ କେବଳ ଟ୍ରେଜେରୀରୁ ଉଠାଣ କରାଯାଇ ପାରିବ।

କିନ୍ତୁ ଅଫିସରମାନେ ଉଦ୍ଦେଶ୍ୟମୂଳକ ଭାବେ ବିନା ଆବଶ୍ୟକରେ ଟ୍ରେଜେରୀରୁ ପାଣ୍ଠି ଉଠାଣ କରି ତାକୁ ବିଭିନ୍ନ ବ୍ୟାଙ୍କରେ ଜମା କରୁଥିବା ଦେଖିବାକୁ ମିଳୁଛି। ଏଥିଯୋଗୁ ରାଜ୍ୟ ରାଜକୋଷକୁ କ୍ଷତି ସହିବାକୁ ପଡ଼ୁଥିବାରୁ ଏହାକୁ ଆର୍ଥିକ ଅନିମୟିତତା ଭାବେ ବିବେଚନା କରାଯାଇ ସମ୍ପୃକ୍ତ ଅଫିସରଙ୍କୁ ଦାୟୀ କରାଯିବ। ଏହାସହିତ ପର୍ଯ୍ୟାପ୍ତ କାରଣ ନଥାଇ ଯଦି କୌଣସି ବ୍ୟାଙ୍କରୁ ପାଣ୍ଠି ସ୍ଥାନାନ୍ତର କରାଯାଏ ତା’ହେଲେ ତାକୁ ମଧ୍ୟ ଆର୍ଥିକ ଅନିୟମିତତା ଭାବେ ବିବେଚନା କରାଯିବ। ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ। ବିଭାଗୀୟ ଆର୍ଥିକ ଅଫିସରମାନେ କୌଣସି ପାଣ୍ଠିକୁ ଅନୁମୋଦନ କଲାବେଳେ ଏଥିପ୍ରତି ସତର୍କତାର ସହ ଦୃଷ୍ଟି ଦେବାକୁ ଅର୍ଥ ବିଭାଗ ନିର୍ଦ୍ଦେଶ ଦେଇଛି।

ଉଲ୍ଲେଖଯୋଗ୍ୟ, ଅର୍ଥ ବିଭାଗର ଏହି ଚିଠି ହିଁ ସରକାରୀ ପାଣ୍ଠିକୁ ନେଇ ଘରୋଇ ବ୍ୟାଙ୍କଗୁଡ଼ିକ ସହ ଅଫିସରମାନଙ୍କ ମଉଜକୁ ପଦାରେ ପକାଇଛି। ଅଫିସରମାନଙ୍କୁ ଘରୋଇ ବ୍ୟାଙ୍କଗୁଡ଼ିକ ବିଭିନ୍ନ ଆକର୍ଷଣୀୟ ହଲିଡେ ପ୍ୟାକେଜ୍ ଓ ଉପହାର ଦେଉଥିବା ଚର୍ଚ୍ଚାକୁ ମଧ୍ୟ ସତ ପ୍ରମାଣିତ କରିଥିବା ସାଧାରଣରେ ଆଲୋଚନା ହେଉଛି।

Related story