ଯାଜପୁର(ଜନ୍ମେଜୟ ଦାସ): ‘୨୦୦ ଟଙ୍କା ଦେଲେ ମିଳିବ ମାଟ୍ରିକ ସାର୍ଟିଫିକେଟ। ଟଙ୍କା ନାହିଁ ତ ସାର୍ଟିଫିକେଟ ନାହିଁ ।’ ମାଟ୍ରିକ୍ ପାସ୍ ପରେ ସାର୍ଟିଫିକେଟ ଆଣିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଏପରି ରୋକଠୋକ ଶୁଣାଉଛନ୍ତି ଯାଜପୁର ଜିଲ୍ଲା ଦାନଗଦି ବ୍ଲକର ଶାଳିଜଙ୍ଗା ହାଇସ୍କୁଲର ପ୍ରଧାନଶିକ୍ଷକ ବସନ୍ତ କୁମାର ବାରିକ । ପ୍ରଧାନଶିକ୍ଷକଜଣକ ପିଲାଙ୍କ ନିକଟରୁ ଟଙ୍କା ନେବାର ଦୃଶ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଶାଳିଜଙ୍ଗା ହାଇସ୍କୁଲରେ ଚଳିତ ବର୍ଷ ପ୍ରାୟ ୬୦ ପିଲା ମାଟ୍ରିକ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ। ଏବେ ସେମାନେ ସାର୍ଟିଫିକେଟ ଆଣିବାକୁ ସ୍କୁଲକୁ ଯାଉଥିବା ବେଳେ ସେମାନଙ୍କ ନିକଟରୁ ୨ଶହ ଟଙ୍କା ଲେଖାଏ ଆଦାୟ କରିବାକୁ ଅଣ୍ଟା ଭିଡ଼ିଛନ୍ତି ପ୍ରଧାନଶିକ୍ଷକ । ଏପରିକି ଟଙ୍କା ନ ଦେଲେ ସାର୍ଟିଫିକେଟ ମିଳିପାରିବନି ବୋଲି ରୋକଠୋକ ଶୁଣାଇ ଦେଉଛନ୍ତି। ଫଳରେ ବହୁ ଛାତ୍ର ନିରାଶ ହୋଇ ଘରକୁ ଫେରୁଛନ୍ତି। ଏହାପରେ ପୁଣି ଥରେ ଟଙ୍କା ଯୋଗାଡ଼ କରି ପ୍ରଧାନଶିକ୍ଷକଙ୍କୁ ଦେଲେ ସାର୍ଟିଫିକେଟ ପାଇପାରୁଛନ୍ତି। ତେବେ ଜୋରଜବରଦସ୍ତ ଟଙ୍କା ଆଦାୟ ଅଭିଯୋଗକୁ ପ୍ରଧାନଶିକ୍ଷକଜଣକ ଖଣ୍ଡନ କରିଛନ୍ତି।
ଏନେଇ ପ୍ରଧାନଶିକ୍ଷକ କହିଛନ୍ତି, କାହାକୁ ଜୋରଜବରଦସ୍ତି କରାଯାଉନି। ପିଲାମାନେ ନିଜ ଇଚ୍ଛାରେ ଟଙ୍କା ଦେଉଛନ୍ତି। ସ୍କୁଲର ଉନ୍ନତୀକରଣ ପାଇଁ ଏହି ଟଙ୍କା ନିଆଯାଉଛି। ସ୍କୁଲ ପରିଚାଳନା କମିଟିର ନିର୍ଦ୍ଦେଶରେ ବିଦ୍ୟାଳୟର ଆବଶ୍ୟକୀୟ ଜିନିଷ କିଣିବା ଲାଗି ଟଙ୍କା ଆଦାୟ ହେଉଥିବା ସେ କହିଛନ୍ତି।
ଏପରିକି ସେ କହିଛନ୍ତି, ପଇସା ନେବାର ନିୟମ ଅଛି। ସ୍କୁଲର ଉନ୍ନତି ପାଇଁ ସରକାର କିଛି ପଇସା ଦେଉ ନାହାନ୍ତି। ସ୍କୁଲର ସବୁ ଖର୍ଚ୍ଚ ଆମେ ଆମ ପକେଟରୁ ଦେଉଛୁ। ଅନ୍ୟ ସ୍କୁଲରେ ୩ଶହରୁ ୫ଶହ ନେଉଛନ୍ତି, ଆମେ ତ ୨ଶହ ନେଉଛୁ।
ଏନେଇ ଜଣେ ଛାତ୍ର ଅଭିଯୋଗ କରିଛନ୍ତି, ସାର୍ଟିଫିକେଟ ପାଇଁ ଯାଇଥିଲି। ସେଠାରେ ସାର୍ ଟଙ୍କା ପାଇଁ କହିବାରୁ ଦେବାକୁ ବାଧ୍ୟ ହେଉଛୁ। ନଚେତ ସାର୍ଟିଫିକେଟ ନ ବେବେ ବୋଲି ଧମକ ଦେଉଛନ୍ତି । ରସିଦ ମାଗିବାରୁ ୨୦୨୦ ମସିହାର ରସିଦ ହାତରେ ଧରାଇ ଦେଉଛନ୍ତି।
ସରକାରୀ ସ୍କୁଲରେ ମାଗଣା ଶିକ୍ଷାଦାନର ବ୍ୟବସ୍ଥା ରହିଛି। ରାଜ୍ୟ ସରକାର ସଭିଏଁ ପଢ଼ନ୍ତୁ, ସଭିଏଁ ପଢ଼ନ୍ତୁ ବୋଲି ନାରା ଦେଉଥିବା ବେଳେ ଏଠାରେ କିନ୍ତ ଦେଖିବାକୁ ମିଳୁଛି ଓଲଟା ଚିତ୍ର । ନିଜ ସାର୍ଟିଫିକେଟ ପାଇଁ ଯାଉଥିବା ଛାତ୍ରଙ୍କ ନିକଟରୁ ଜୋରଜବରଦସ୍ତି ଟଙ୍କା ଆଦାୟ କରାଯାଉଛି।
ଏନେଇ ଜିଲ୍ଲା ଶିକ୍ଷାଧିକାରର ରଞ୍ଜନ କୁମାର ଗିରିଙ୍କୁ ପଚାରିବାରୁ ଛାତ୍ରଛାତ୍ରୀଙ୍କଠାରୁ ଟଙ୍କା ନେବାର କିଛି ନିୟମ ନାହିଁ। ପ୍ରମାଣ ପାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।