ଇଚ୍ଛାଧୀନ କୋଟା: ରଦ୍ଦ ହେବନି ଆବଣ୍ଟନ, ୮ବର୍ଷ ପୂର୍ବର ନିଜ ନିଷ୍ପତ୍ତିକୁ ବଦଳାଇଲେ କ୍ୟାବିନେଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ଇଚ୍ଛାଧୀନ କୋଟାରେ ଆବଂଟିତ ଘର ଓ ପ୍ଲଟକୁ ରଦ୍ଦ କରିବା ନିମନ୍ତେ ତାରା ଦତ୍ତ କମିଟିର ସୁପାରିଶକୁ ଗ୍ରହଣ କରିଥିବା ରାଜ୍ୟ କ୍ୟାବିନେଟ ପ୍ରାୟ ୮ବର୍ଷ ପରେ ନିଜର ନିଷ୍ପତ୍ତିରୁ ଓହରି ଯାଇଛନ୍ତି । ଆଉ ଇଚ୍ଛାଧୀନ କୋଟାରେ ସମସ୍ତ ପ୍ଲଟ୍ ଓ ଘରର ସିଙ୍ଗଲ ଆବଂଟନ ବୈଧ ରହିବ ତଥା ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଆଜି କ୍ୟାବିନେଟ ଅନୁମୋଦନ କରିଛନ୍ତି […]

Suresh Mohapatra

Suresh Mohapatra

Ordigital Desk
  • Published: Friday, 18 November 2022
  • Updated: 18 November 2022, 09:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ଇଚ୍ଛାଧୀନ କୋଟାରେ ଆବଂଟିତ ଘର ଓ ପ୍ଲଟକୁ ରଦ୍ଦ କରିବା ନିମନ୍ତେ ତାରା ଦତ୍ତ କମିଟିର ସୁପାରିଶକୁ ଗ୍ରହଣ କରିଥିବା ରାଜ୍ୟ କ୍ୟାବିନେଟ ପ୍ରାୟ ୮ବର୍ଷ ପରେ ନିଜର ନିଷ୍ପତ୍ତିରୁ ଓହରି ଯାଇଛନ୍ତି । ଆଉ ଇଚ୍ଛାଧୀନ କୋଟାରେ ସମସ୍ତ ପ୍ଲଟ୍ ଓ ଘରର ସିଙ୍ଗଲ ଆବଂଟନ ବୈଧ ରହିବ ତଥା ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଆଜି କ୍ୟାବିନେଟ ଅନୁମୋଦନ କରିଛନ୍ତି । ଅର୍ଥାତ୍ ତାରା ଦତ୍ତ କମିଟି ସୁପାରିଶ ଅନୁସାରେ ଇଚ୍ଛାଧୀନ କୋଟାରେ ଆବଂଟିତ ସମସ୍ତ ଘର ଓ ପ୍ଲଟକୁ ରଦ୍ଦ କରାଯିବ ନାହିଁ ବରଂ କେବଳ ଏହି କୋଟାରେ ଏକାଧିକ ଘର ଅବା ପ୍ଲଟ୍ ନେଇଥିବା ବ୍ୟକ୍ତିଙ୍କ ଆବଂଟନକୁ ରଦ୍ଦ କରାଯିବ । ତାରା ଦତ୍ତ ଟାସ୍କଫୋର୍ସର ସୁପାରିଶକୁ ପ୍ରାୟ ୮ ବର୍ଷରେ ଡଷ୍ଟବିନକୁ ପକାଇ ଇଚ୍ଛାଧୀନ କୋଟାକୁ ଆଇନସମ୍ମତ ଓ ବୈଧ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୋଟ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଇଚ୍ଛାଧୀନ କୋଟାରେ ବିଡିଏ, ସିଡିଏ ଓ ରାଜ୍ୟ ଗୃହ ନିର୍ମାଣ ବୋର୍ଡ ଦ୍ୱାରା ସେତେବେଳର ନିୟମ ବା ବ୍ରୋଚର ଅନୁସାରେ ଯେଉଁମାନଙ୍କୁ ଗୋଟିଏ ପ୍ଲଟ୍ ଅବା କୋଠା ଆବଂଟନ ହୋଇଥିଲା ସେମାନଙ୍କୁ ତାରା ଦତ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଟାସ୍କଫୋର୍ସ ରିପୋର୍ଟରୁ ବାଦ୍ ଦିଆଯିବାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଟାସ୍କଫୋର୍ସ ରିପୋର୍ଟର ଅନୁଚ୍ଛେଦ ୪୮(୭)ର ଅନୁମୋଦନ ଅନୁସାରେ,ବିଡିଏ, ସିଡିଏ ଓ ରାଜ୍ୟ ଗୃହ ନିର୍ମାଣ ବୋର୍ଡ ଦ୍ୱାରା ଯେଉଁ ସବୁ ଏକକ ଆବଂଟନ ରହିଛି ତାକୁ ରାଜ୍ୟ କ୍ୟାବିନେଟ ୮ବର୍ଷ ତଳର ଟାସ୍କଫୋର୍ସ ରିପୋର୍ଟରୁ ବାଦ୍ ଦେବା ପାଇଁ ମଞ୍ଜୁର କରିଛନ୍ତି । ତେବେ ରାଜ୍ୟ କ୍ୟାବିନେଟର ଏଭଳି ନିଷ୍ପତ୍ତି ପରୋକ୍ଷରେ ନିଜର କ୍ଷମତାର ଅପବ୍ୟବହାର କରି ଘର ଓ ପ୍ଲଟ୍ ହାତେଇଥିବା ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ସୁହାଇବା ନିମନ୍ତେ ଉଦ୍ଦିଷ୍ଟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ତତକାଳୀନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଇଚ୍ଛାଧୀନ କୋଟାରେ ୨ଟି ଘର ହାତେଇଥିବାକୁ ନେଇ ବାଦବିବାଦ ବଢ଼ିବା ପରେ ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଚ୍ଛାଧୀନ କୋଟାକୁ ସମ୍ପୂର୍ଣ୍ଣ ରଦ୍ଦ କରିଦେଇଥିଲେ । ଆଉ ଆଇଏଏସ୍ ତାରା ଦତ୍ତଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରିଥିଲେ । ଏହି ଟାସ୍କଫୋର୍ସ ନିଜର ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲା, ଯାହାକୁ ୨୦୧୪ ଡିସେମ୍ବର ୧୮ତାରିଖରେ ରାଜ୍ୟ କ୍ୟାବିନେଟ୍ ମଧ୍ୟ ଅନୁମୋଦନ କରିଥିଲେ । ଟାସ୍କଫୋର୍ସ ରିପୋର୍ଟର ଅନୁଚ୍ଛେଦ ୪୮(୭)ରେ ସୁପାରିଶ କରାଯାଇଛି ଯେ, ଇଚ୍ଛାଧୀନ କୋଟାରେ ପ୍ରଥମେ ପ୍ଲଟ ଓ ଘର ପାଇ ତାକୁୁ ଅନ୍ୟ ନାଁକୁ ଟ୍ରାନ୍ସଫର କରି ପୁଣିଥରେ ଦ୍ୱିତୀୟ ଥର ଇଚ୍ଛାଧୀନ କୋଟାରେ ପ୍ଲଟ୍ ଅବା ଘର ପାଇଥିବା ହିତାଧିକାରୀଙ୍କ ପୂର୍ବ ହସ୍ତାନ୍ତରଣକୁ ରଦ୍ଦ କରାଯିବା ସହ ଏସବୁ ପାଇଁ ଅନୁମତି ଦେଇଥିବା ସିଡିଏ, ବିଡିଏ ଓ ଗୃହ ନିର୍ମାଣ ବୋର୍ଡର ଅଧିକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଛି । ଇଚ୍ଛାଧୀନ କୋଟାରେ ଆବଂଟିତ ଘର ଓ ପ୍ଲଟର ଏଭଳି ବେଆଇନ ହସ୍ତାନ୍ତର ଓ ଏକାଧିକ ପ୍ଲଟ୍ ଅବା ଘର ଆବଂଟନକୁ ସମ୍ପୂର୍ଣ୍ଣ ରଦ୍ଦ କରାଯିବା ଉଚିତ୍ । ତେବେ ସରକାରୀ ନୀତିନିୟମ ପାଳନ କରି ହିତାଧିକାରୀ ପାଇଥିବା ଗୋଟିଏ ଘର ଅବା ପ୍ଲଟ୍‌ର ଟ୍ରାନ୍ସଫର ହୋଇଥିଲେ, ସେଗୁଡ଼ିକର ଆବଂଟନ ରଦ୍ଦ ନକରିବାକୁ ଟାସ୍କଫୋର୍ସ ରିପୋର୍ଟରେ ଉଲ୍ଲେଖ ରହିଛି ।

ତେବେ ପ୍ରଶ୍ନ ଉଠୁଛି, ଟାସ୍କଫୋର୍ସ ରିପୋର୍ଟରେ ଇଚ୍ଛାଧୀନ କୋଟାରେ ଘର ଓ ପ୍ଲଟକୁ ବେଆଇନ ଭାବେ ଟ୍ରାନ୍ସଫର କରାଯିବା ଓ ସମ୍ପୃକ୍ତ ହିତାଧିକାରୀ ଦ୍ୱିତୀୟଥର ପୁଣି ଇଚ୍ଛାଧୀନ କୋଟାରେ ଘର ଓ ପ୍ଲଟ ହାତେଇବା ଆଦିରେ ସାମିଲ ଥିବା ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ପାଇଁ ସୁପାରିଶ ହୋଇଥିଲେ ମଧ୍ୟ ସରକାର ଏହା ଉପରେ ପଦକ୍ଷେପ ନନେଇ ସମସ୍ତ ଇଚ୍ଛାଧୀନ କୋଟାକୁ ବୈଧ କରିବା ଏବେ ସରକାରଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସାଧାରଣ ପ୍ରଶାସନ ବିଭାଗର ସୂଚନା ଅନୁସାରେ, ୧୯୯୫ରୁ ୨୦୧୧ ମସିହା ମଧ୍ୟରେ ବିଡିଏ, ସିଡିଏ ଓ ଗୃହ ନିର୍ମାଣ ବୋର୍ଡ ପକ୍ଷରୁ ଇଚ୍ଛାଧୀନ କୋଟାରେ ମୋଟ ୧୭୯୧ଟି ପ୍ଲଟ ଓ କୋଠା ଆବଂଟିତ ହୋଇଛି । ବିଡିଏରେ ୮୦୩, ସିଡିଏରେ ୯୨୧ଟି ଓ ଗୃହ ନିର୍ମାଣ ବୋର୍ଡରେ ୬୭ଟି ଆବଂଟନ ରହିଛି । ସେଥିରୁ ମାତ୍ର ୫୪ଟି ଏକାଧିକ ଆବଂଟନ ଚିହ୍ନଟ ହୋଇଛି । ଯେଉଁଥିରେ ବିଡିଏର ୧୮ଟି, ସିଡିଏର ୩୨ଟି ଓ ଗୃହ ନିର୍ମାଣ ବୋର୍ଡର ୪ଟି ଆବଂଟନ ରହିଛି । ଇଚ୍ଛାଧୀନ କୋଟାରେ ଏକାଧିକ ପ୍ଲଟ୍ ଓ ଘର ନେଇଥିବା ବ୍ୟକ୍ତିଙ୍କୁ ରାଜ୍ୟ ସରକାର ନୋଟିସ୍ ଜାରି କରି ସେମାନଙ୍କୁ ଅତିରିକ୍ତ ଘର ଓ ପ୍ଲଟ୍ ଫେରାଇବା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ନିଜର ପ୍ରଭାବ ବିସ୍ତାର କରି ଏସବୁ ଏକାଧିକ ଘର ଓ ପ୍ଲଟ୍ ହାତେଇଥିବା କୌଣସି ବ୍ୟକ୍ତି କିମ୍ବା ସରକାରୀ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ସରକାର ଆଜି ଟାସ୍କଫୋର୍ସ ରିପୋର୍ଟରୁ ଏହି ପ୍ରାବଧାନକୁ ହଟାଇ ସମସ୍ତ ଇଚ୍ଛାଧୀନ କୋଟାକୁ ପୁଣିଥରେ ବୈଧ କରିଦେଇଛି । ଅର୍ଥାତ୍ ଏହି ଅବଧି ମଧ୍ୟରେ ଇଚ୍ଛାଧୀନ କୋଟାରେ ଆବଂଟିତ ମୋଟ ୧୭୩୭ଟି ପ୍ଲଟ୍ ଓ ଘର ଆଇନତଃ ବୈଧ ରହିବ । ଯାହାଫଳରେ ଏଣିକି ଆବଣ୍ଟନକାରୀଙ୍କ ଉତ୍ତରାଧିକାରୀଙ୍କ ସପକ୍ଷରେ ଦାଖଲ ଖାରଜ ଓ ଆବଂଟନ ପରବର୍ତ୍ତୀ କାର୍ଯ୍ୟକଳାପ ସରକାରୀ ଭାବେ ସମ୍ଭବପର ହୋଇପାରିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos