ବ୍ରହ୍ମପୁର(ଅଶୋକ ବ୍ରହ୍ମା): ୨ ଦିନ ହେଲା ଜିଆରଏସ୍ଙ୍କ ମିଳୁନି ପତ୍ତା । ବିଡିଓଙ୍କୁ ଦେଖା କରିବାକୁ ଯାଇ ଗତ ସୋମବାର ରାତିରୁ ଘରୁ ବାହାରକୁ ଗୋଡ଼ କାଢ଼ିଥିବା ଜିଆରଏସ୍ ଏ ଯାଏ ଘରକୁ ଫେରି ନାହାନ୍ତି। ସ୍ୱାମୀଙ୍କ ଫେରିବା ବାଟକୁ ଅନାଇ ଆଖିରୁ ଲୁହ ଗଡ଼ାଉଛନ୍ତି ପତ୍ନୀ । ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ଘଟିଛି। ନିଖୋଜ ବ୍ୟକ୍ତିଜଣକ ହେଲେ ପୁରୁଷୋତ୍ତମପୁର ବ୍ଳକ ସୁନାଥର ଓ ଶୋଳଘର ପଞ୍ଚାୟତରେ ଜିଆରଏସ ସ୍ୱାଗତ ପଣ୍ଡା । ସ୍ୱାମୀଙ୍କୁ ଖୋଜି ବାହାର କରିବାକୁ ପୁଲିସ୍ ନିକଟରେ ଗୁହାରି କରିଛନ୍ତି ସ୍ୱାଗତ ପଣ୍ଡାଙ୍କ ପତ୍ନୀ ।
ସୂଚନା ଅନୁଯାୟୀ, ସ୍ୱାଗତ ପଣ୍ଡା ପ୍ରାୟ ବର୍ଷେ ହେବ ପୁରୁଷୋତ୍ତମପୁର କଂସାରୀ ସାହିରେ ଭଡା ନେଇ ପରିବାର ସହ ରହୁଥିଲେ । ତାଙ୍କ ନିଜ ଘର ଛତ୍ରପୁର ଜେନାପଲ୍ଲୀରେ। ସୋମବାର ରାତି ପ୍ରାୟ ସାଡେ୯ଟାରେ ବିଡିଓଙ୍କୁ ଭେଟିବା ପାଇଁ କହି ଘରୁ ବାହାରିଯାଇଥିଲେ ସ୍ୱାଗତ । ମାତ୍ର ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରି ନ ଥିଲେ। ଏପରିକି ତାଙ୍କ ମୋବାଇଲ ସୁଇଚ୍ ଅପ୍ ଆସିଥିଲା।
ବହୁ ଖୋଜାଖୋଜି ପରେ ଏ ନେଇ ତାଙ୍କ ପତ୍ନୀ ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ଏକ ମିସିଂ ମାମଲା ରୁଜୁ କରି ଖୋଜାଖୋଜି ଜୋରସୋର କରିଛି। ବିଡିଓଙ୍କ ସହ ଯୋଗାଯୋଗ ବି କରିଥିଲେ ସ୍ୱାମୀଙ୍କର କୌଣସି ଖୋଜ୍ ଖବର ମିଳିନଥିବା କୋହଭରା କଣ୍ଠରେ କହିଛନ୍ତି ତାଙ୍କ ପତ୍ନୀ ।
ପୁରୁଷୋତ୍ତମପୁର ଗଡସାହି ନିକଟରୁ ତାଙ୍କ ବାଇକ୍ ମିଳିଥିଲା । ମଙ୍ଗଳବାର ସକାଳୁ ସ୍ଥାନୀୟ ହରିଜନ ସାହି ଛକ ଠାରେ ତାଙ୍କର ମୋବାଇଲଟି ପଡିଥିବା ବେଳେ ଜଣେ ବ୍ୟକ୍ତି ପାଇଥିଲେ । ହେଲେ ୨ ଦିନ ପରେ ବି ସ୍ୱାଗତଙ୍କ ଖୋଜଖବର ମିଳିପାରିନି।
ସ୍ୱାଗତ କୁଆଡ଼େ ଚାଲିଯାଇଛନ୍ତି ନା ତାଙ୍କୁ ଅପହରଣ କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ଏହା ପଛରେ ପାରିବାରିକ ବିବାଦ ନା କାମ ଚାପ ଥିଲା ତାହା ସ୍ପଷ୍ଟ ହୋଇନାହିଁ। ସ୍ୱାଗତଙ୍କର ପୂର୍ବରୁ କାହା ସହ ଶତ୍ରୁତା ଥିବା ନେଇ ବି କିଛି ସୂଚନା ମିଳିନି। ତେବେ ପୁଲିସ୍ ନିଜ ଖୋଳତାଡ଼ ଜାରି ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।