ଭୁବନେଶ୍ୱର: ୫ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଶୁକ୍ରବାର ଭେଟିଛନ୍ତି। ଦିନ ପ୍ରାୟ ସାଢେ଼ ୧୧ଟାରେ ନବୀନ ନର୍ଥ ବ୍ଲକ ସ୍ଥିତ ରାଜନାଥ ସିଂହଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ସମୟରେ ନବୀନ ରାଜନାଥଙ୍କୁ ରାଜ୍ୟରେ ମାଓବାଦୀ ମୁକାବିଲା ଅଭିଯାନ ପାଇଁ ଆଉ ୨ଟି ହେଲିକପ୍ଟର ଯୋଗାଇ ଦେବାକୁ ଦାବି କରିଛନ୍ତି । ଏହାସହ ଗୁରୁପ୍ରିୟା ସେତୁ ପାଇଁ ବକେୟା ୧୪୨ କୋଟି ଟଙ୍କା ଅର୍ଥ ପ୍ରଦାନ, ସେଣ୍ଟ୍ରାଲ ଆର୍ମଡ ଫୋର୍ସରେ ଆଉ ଏକ ବାଟାଲିୟନ ଦାବି କରିଛନ୍ତି । ସେହିପରି ଏସଆରଇରେ ଅଧିକ ସହାୟତା ଯୋଗାଇ ଦେବା, ମାଓବାଦୀ ପ୍ରବଣ ଅଞ୍ଚଳରେ ଟେଲି ଯୋଗାଯୋଗ ବ୍ୟବସ୍ଥା ବୃଦ୍ଧି ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନବୀନ ରାଜନାଥଙ୍କ ସହ ଆଲୋଚନା କରିଛନ୍ତି ।