ବିମାନ, ରେଳ ଯାତ୍ରୀଙ୍କ ପାଇଁ ଗାଇଡ୍‌ଲାଇନ୍‌, ପଢ଼ନ୍ତୁ ପୂରା ରିପୋର୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରବାସୀଙ୍କୁ ଆଣିବା ପାଇଁ ଆମେରିକା, ଦୁବାଇ ଓ ମାଲେସିଆରୁ ଭୁବନେଶ୍ୱର ବିମାନ ଆସିବ। ଠିକ୍‌ ସେହିପରି ଭୁବନେଶ୍ୱରରୁ ଦିଲ୍ଲୀ ଦୈନିକ ଯାତ୍ରୀବାହୀ ଟ୍ରେନ ଯା’ଆସ କରୁଛି। ସ୍ୱତନ୍ତ୍ର ବିମାନ ଓ ରେଳ ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ କରିଛନ୍ତି। ଆସିବାକୁ ଥିବା ଲୋକମାନେ ସରକାରଙ୍କ ପୋର୍ଟାଲରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ। ଏନେଇ ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା। ସେ କହିଛନ୍ତି-“ବିମାନରେ ଆସିବାକୁଥିବା ପ୍ରବାସୀମାନେ ପ୍ରଥମେ କୋଭିଡ୍‌ ୱେବସାଇଟ୍‌ରେ ପଞ୍ଜୀକରଣ କରିବେ। […]

train

Manoranjan Sial
  • Published: Wednesday, 13 May 2020
  • , Updated: 13 May 2020, 06:33 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରବାସୀଙ୍କୁ ଆଣିବା ପାଇଁ ଆମେରିକା, ଦୁବାଇ ଓ ମାଲେସିଆରୁ ଭୁବନେଶ୍ୱର ବିମାନ ଆସିବ। ଠିକ୍‌ ସେହିପରି ଭୁବନେଶ୍ୱରରୁ ଦିଲ୍ଲୀ ଦୈନିକ ଯାତ୍ରୀବାହୀ ଟ୍ରେନ ଯା’ଆସ କରୁଛି। ସ୍ୱତନ୍ତ୍ର ବିମାନ ଓ ରେଳ ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ କରିଛନ୍ତି। ଆସିବାକୁ ଥିବା ଲୋକମାନେ ସରକାରଙ୍କ ପୋର୍ଟାଲରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ। ଏନେଇ ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା।

ସେ କହିଛନ୍ତି-“ବିମାନରେ ଆସିବାକୁଥିବା ପ୍ରବାସୀମାନେ ପ୍ରଥମେ କୋଭିଡ୍‌ ୱେବସାଇଟ୍‌ରେ ପଞ୍ଜୀକରଣ କରିବେ। ସେହି ତଥ୍ୟକୁ ପ୍ରଥମେ ଯାଞ୍ଚ କରାଯିବ। ଯଦି ଠିକ୍‌ ତଥ୍ୟା ନଥିବ, ତାହାହେଲେ ସେମାନଙ୍କୁ ଫୋନ୍‌ କରାଯାଇ ସମ୍ପୂର୍ଣ୍ଣ ତଥ୍ୟ ମଗାଯିବ। ତା’ପରେ ସେହି ତଥ୍ୟକୁ ସମ୍ପୃକ୍ତ ଜିଲ୍ଲା ଓ ପଞ୍ଚାୟତକୁ ପଠାଯିବ। ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ବିମାନବନ୍ଦରରେ ବିମାନ ପହଞ୍ଚିବା ପରେ ଥରକେ ୨୦ ଜଣିଆ ଗ୍ରୁପରେ ଯାତ୍ରୀଙ୍କୁ ଓହ୍ଲାଯିବ। ସେମାନଙ୍କୁ ଟର୍ମିନାଲ ବାହାରେ ସ୍କ୍ରିନିଂ କରାଯିବ। ସେମାନଙ୍କ ହାତରେ ଅଲିଭା କାଳିରେ ଷ୍ଟାମ୍ପ ଲଗାଯିବ। କାହା ଦେହରେ ‘କରୋନା’ ଲକ୍ଷଣ ଦେଖାଦେଲେ କୋଭିଡ ହସ୍ପିଟାଲ ପଠାଯିବ। ଲକ୍ଷଣ ନଥିବା ଯାତ୍ରୀମାନେ ନିଜ ଗାଡ଼ିରେ ଯିବେ। କଟକ ଓ ଭୁବନେଶ୍ୱର ଯାତ୍ରୀମାନେ ଓବେର ଏବଂ ଓଲା ଗାଡ଼ିରେ ଘରକୁ ଯାଇପାରିବେ। ଏହାଛଡ଼ା ଦୁଇ ସହର ଭିତରେ ଚାଲୁଥିବା ମୋ’ ବସ୍‌ରେ ମଧ୍ୟ ଯାଇପାରିବେ।”

ଶ୍ରୀ ଜେନା ଆହୁରି କହିଛନ୍ତି-“ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀମାନେ ଘରେ ପହଞ୍ଚି ହୋମ୍‌ ବା ପେଡ୍‌ କ୍ୱାରେଣ୍ଟାଇନରେ ରହିପାରିବେ। କ୍ୱାରେଣ୍ଟାଇନ ନିୟମ ଭାଙ୍ଗିଲେ ଏପିଡେମିକ ଆକ୍ଟରେ କାର୍ଯ୍ୟାନୁଷ୍ଠାନ ହେବ। କ୍ୱାରେଣ୍ଟାଇନରେ ଥିବା ଲୋକଙ୍କ ଘର ଆଗରେ ଷ୍ଟିକର ଲଗାଯିବ। କାହାରି ଦେହ ଖରାପ ହେଲେ ନିଜେ ହସ୍ପିଟାଲ ଯିବେନି, ୧୦୪କୁ କହିବେ।”

ସେ ଆହୁରି କହିଛନ୍ତି-“ପ୍ରବାସୀଙ୍କୁ ଆଣିବା ପାଇଁ ପ୍ରତିଦିନ ଭୁବନେଶ୍ୱରରୁ ଦିଲ୍ଲୀ ଓ ଦିଲ୍ଲୀରୁ ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌ ଚାଲୁଛି। ବିମାନ ଯାତ୍ରୀଙ୍କ ପରି ରେଳ ଯାତ୍ରୀମାନେ ମଧ୍ୟ ଆସିବା ପୂର୍ବରୁ ପଞ୍ଜୀକରଣ କରିବେ। ତା’ପରେ ସେହି ତଥ୍ୟକୁ ରାଜ୍ୟ ସରକାର ଯାଞ୍ଚ କରିବେ। ସେଥିରେ କୌଣସି ତଥ୍ୟ ଅଭାବ ଥିଲେ, ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫୋନ୍‌ କରାଯାଇ ତଥ୍ୟ ପୂରଣ କରାଯିବ। ତା’ପରେ ସେହି ତଥ୍ୟକୁ ସମ୍ପୃକ୍ତ ଜିଲ୍ଲା ଓ ପଞ୍ଚାୟତକୁ ପଠାଇ ଦିଆଯିବ। ତେବେ ଦିଲ୍ଲୀରୁ ଆସିଥିବା ସ୍ୱତନ୍ତ୍ର ଟ୍ରେନ୍‌ ଓଡ଼ିଶାରେ ପ୍ରଥମେ ବାଲେଶ୍ୱର ଷ୍ଟେସନ୍‌ରେ ଅଟକିବ। ସେଥିପାଇଁ ପୂରା ଷ୍ଟେସନ୍‌କୁ ସିଲ୍‌ କରାଯିବ। ସୁରକ୍ଷା ଦାୟିତ୍ୱରେ ଓଡ଼ିଶା ଓ ରେଲୱେ ପୁଲିସ ମୁତୟନ ରହିବେ। ବିମାନ ଯାତ୍ରୀଙ୍କ ପରି ସେମାନଙ୍କ ହାତରେ ଅଲିଭା କାଳିର ଷ୍ଟାମ୍ପ ଲାଗିବ। ପରେ ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଯଦି କୌଣସି ବ୍ୟକ୍ତିଙ୍କଠାରେ କରୋନା ଲକ୍ଷଣ ଦେଖାଯିଏ, ସେମାନଙ୍କୁ କୋଭିଡ୍‌ ହସ୍ପିଟାଲ୍‌କୁ ପଠାଇ ଦିଆଯିବ। ଅନ୍ୟମାନେ ନିଜ ନିଜ ଗାଡ଼ିରେ ଘରକୁ ଫେରି ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବେ। ଠିକ୍‌ ସେମିତି ଦିଲ୍ଲୀରୁ ଆସୁଥିବା ଭୁବନେଶ୍ୱରରେ ପହଞ୍ଚିବା ପରେ ପୂରା ଷ୍ଟେସନ୍‌କୁ ସିଲ୍‌ କରାଯିବ। ଯାତ୍ରୀମାନେ ଓହ୍ଲାଇବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ତା’ପରେ ସେମାନେ ଘରକୁ ଯିବେ।”

Related story