ପୁରୀ(ଓଡ଼ିଶଶ ରିପୋର୍ଟର): “ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ବିସ୍ଥାପିତ ହୋଇଥିବା ୭ ଜଣଙ୍କୁ ନିର୍ବିବାଦୀୟ ଜମି ଯୋଗାଇ ଦିଅ।” ପୁରୀ ବାସେଲୀ ସାହିର ବିସ୍ଥାପିତ କୃଷ୍ଣଚନ୍ଦ୍ର ଲେଙ୍କା ଏବଂ ଅନ୍ୟମାନଙ୍କ ଆବେଦନର ଶୁଣାଣି ଶେଷ କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ୬ ସପ୍ତାହ ମଧ୍ୟରେ ସମସ୍ତ ପ୍ରକ୍ରିୟା ସାରିବାକୁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ସୂଚନାଯୋଗ୍ୟ, ଶ୍ରୀମନ୍ଦିରର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ପାଇଁ ଏହାର ୭୫ ମିଟର ପରିଧି ମଧ୍ୟରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି । ଜମି ହରାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କ୍ଷତିପୂରଣ ସହ ଉପଯୁକ୍ତ ବାସୋପଯୋଗି ଜମି ଯୋଗାଇ ଦିଆଯାଉଛି । ସେହି ପ୍ରକ୍ରିୟା ଅନୁଯାୟୀ କୃଷ୍ଣଚନ୍ଦ୍ର ଓ ଅନ୍ୟ ୬ ଜଣଙ୍କୁ ମଙ୍ଗଳା ହାଟ ମୌଜାରେ ଜମି ଯୋଗାଇ ଦିଆଯାଇଥିଲା । କିନ୍ତୁ ସଂପୃକ୍ତ ଜମି ବିବାଦୀୟ ବୋଲି ଜଣାପଡିଥିଲା । ଏହାକୁ ନେଇ ସମ୍ପୃକ୍ତ ବିସ୍ଥାପିତମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।