ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନେ ପ୍ରେମକୁ ଭଲ କରି ବୁଝିବା ଆଗରୁ ପ୍ରତିଶୋଧ ନିଆଁରେ ଜଳିଥିଲେ ପ୍ରମୋଦିନୀ। ଏକପାଖିଆ ଭଲ ପାଇବାର କରୁଣ ପରିଣତିରେ ଶିକାର ହୋଇ ଏସିଡ ମାଡ଼ରେ ସର୍ବଶ୍ୱ ହରାଇ ଥିଲେ ସେ । ତରଳ ନିଆଁରେ ଜଳି ଯାଇଥିଲା ଦେହ, ମନ ଏବଂ ସ୍ୱପ୍ନ । ସବୁ କିଛି ହୋଇଯାଇ ଥିଲା ଛାରଖାର। ହେଲେ ସେହି ପ୍ରେମ ଆଜି ପ୍ରଳୟ ନୁହଁ ବରଂ ମଳୟର ଛୁଆଁ ନେଇ ପ୍ରମୋଦିନୀଙ୍କ ଜୀବନକୁ କରିଦେଇଛି ରଙ୍ଗିନ୍। ତାଙ୍କ ବିକୃତ ଏବଂ ବୀଦିର୍ଣ୍ଣ ଚେହେରାରେ ଆଉ ଜଣେ ଭରିଦେଇଛନ୍ତି ଭଲ ପାଇବାର ବାସ୍ନା। ପ୍ରେମର ଫଗୁଣ ଛୁଆଁରେ ରଙ୍ଗିନ ହୋଇଛି ପ୍ରମୋଦିନୀଙ୍କ ପ୍ରେମ କାହାଣୀ। ଗୋଟିଏ ନୁହେଁ ପ୍ରମୋଦିନୀଙ୍କ ସହ ସାତ ଜନ୍ମର ସାଥୀ ହୋଇ ଚାଲିବାକୁ ରାଣ ଖାଇଛନ୍ତି ସେ। ତା’ର ସବୁତକ ଦୁଃଖ, ଦୁର୍ଦ୍ଦଶା ଯନ୍ତ୍ରଣାର ଗରଳକୁ ନୀଳକଣ୍ଠ ସାଜି ପିଇବାକୁ କଥା ଦେଇଛନ୍ତି ସରୋଜ। ସେଇ ବହୁପ୍ରତିକ୍ଷୀତ ଦିନ ଆଜି ଉପନୀତ ହୋଇଛି। ଆଜି ପ୍ରମୋଦିନୀ ନିଜର ବନ୍ଧୁ ସରୋଜଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରିବେ । ପ୍ରମୋଦିନୀଙ୍କ ଜୀବନ ସଂଗ୍ରାମରେ ସହଯୋଗର ହାତ ବାଇଛନ୍ତି ସରୋଜ । ଦୀର୍ଘ ୫ ବର୍ଷର ପ୍ରେମ ସମ୍ପର୍କ ପରେ ଉଭୟ ପରିବାରର ସହମତି କ୍ରମେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ନିଆରା ଯୋଡ଼ି। ୨୦୧୮ ମସିହା ଲକ୍ଷ୍ନୌର ଶିରୋଜ କାଫେରେ ଏକ ସମାରୋହରେ ଉଭୟଙ୍କର ର୍ନିବନ୍ଧ ହୋଇଥିଲା। ଜଗତସିଂହପୁରସ୍ଥିତ ପ୍ରମୋଦିନୀଙ୍କ ବାସଭବନରେ ଉଭୟଙ୍କର ବିବାହ ସମ୍ପନ୍ନ ହେବ ଏବଂ ଏକ ନିଆରା ପ୍ରେମର ନିଦର୍ଶନ ଦେଖିବାକୁ ମିଳିବ।
[caption id="attachment_623672" align="alignnone" width="700"] ସରୋଜ ଏବଂ ପ୍ରମୋଦିନୀ ରାଉଳ।[/caption]
ପ୍ରମୋଦିନୀ ରାଉଳଙ୍କ ଘର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର କନକପୁର ଅଞ୍ଚଳରେ। ୨୦୦୯ ଏପ୍ରିଲ ୧୮ ତାରିଖ। ସେତେବେଳେ ନିକଟସ୍ଥ ଆଦିକବି ସାରଳା ଦାସ ମହିବିଦ୍ୟାଳୟରେ ପଢୁଥିଲେ ୧୬ ବର୍ଷୀୟା ପ୍ରମୋଦିନୀ। ଏତଲାରେ ଥିବା ଅଭିଯୋଗ ଅନୁଯାୟୀ ପ୍ରମୋଦିନୀଙ୍କୁ ଏକପାଖିଆ ପ୍ରେମ କରୁଥିଲେ ନିକଟସ୍ଥ ଏକ ପାରା ମିଲିଟାରି କ୍ୟାମ୍ପର ଯବାନ ସନ୍ତୋଷ କୁମାର ବେଦାନ୍ତ। ପ୍ରାୟ ବର୍ଷଟିଏ ଧରି ସନ୍ତୋଷ, ପ୍ରମୋଦିନୀ ଓ ତାଙ୍କ ପରିବାରକୁ ଧମକେଇବା ପରେ କିଛି ଫଳ ନ ପାଇବାରୁ ହିଂସ୍ର ହୋଇପଡ଼ିଥିଲେସେ ।
ଶେଷରେ ଦିନ ଦିପହରେ ବିଚ୍ ରାସ୍ତା ଉପରେ ସମସ୍ତଙ୍କ ସାମ୍ନାରେ ପ୍ରମୋଦିନୀଙ୍କ ଉପରେ ସେ ଏସିଡ୍ ପକାଇ ଦେଇଥିଲେ। ହେଲେ ଜୀବନ ଯନ୍ତ୍ରଣା ଲଢେଇରେ ହାରି ଯାଇ ନଥିଲେ ପ୍ରମୋଦିନୀ। ଅତ୍ୟନ୍ତ ସାହସର ସହ ଲଢେଇ କରି ଦୀର୍ଘ ୮ ବର୍ଷ ପରେ ନ୍ୟାୟ ପାଇଥିଲେ ପ୍ରମୋଦିନୀ। ଶେଷରେ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ସନ୍ତୋଷ କୁମାର ବେଦାନ୍ତ(୩୬) ଓ ତା’ର ସହଯୋଗୀ ନୟାଗଡ଼ ଜିଲ୍ଲା ରଣପୁର ଥାନା ଚମ୍ପାଗଡ଼ର ବିଶ୍ୱଜିତ ଦଳସିଂ ରାୟ ଓରଫ ଅନିଲକୁ ପୋଲିସ ଗିରଫ କରିଥିଲା।
୨୦୦୯ ମସିହାରେ ଏସିଡ୍ ଆକ୍ରମଣର ଶିକାର ହୋଇ ସେତେବେଳକୁ ୫ବର୍ଷ ଯନ୍ତ୍ରଣାମୟ ଜୀବନ ଜିଇଁସାରିଥିଲେ ପ୍ରମୋଦିନୀ । ଯେତେବେଳେ ଏକ ନର୍ସିଂହୋମ୍ରେ ସଂଯୋଗବଶତଃ ଦେଖାହୁଏ କଟକର ସରୋଜଙ୍କ ସହ। ପ୍ରମୋଦିନୀଙ୍କ ଯନ୍ତ୍ରଣାକୁ ବାଣ୍ଟିନେବା ପାଇଁ ତାଙ୍କୁ ବନ୍ଧୁତ୍ୱର ହାତ ବଢ଼ାଇଥିଲେ ସରୋଜ। ଆଉ ୨୦୧୬ ଜାନୁୟାରୀ ୧୪ରେ ଏହାକୁ ଦେଲେ ପ୍ରେମର ନାଁ । ତରଳ ନିଆଁରେ ନିଜ ରୂପ ସୌନ୍ଦର୍ଯ୍ୟକୁ ହରାଇ ସାରିଥିବା ପ୍ରମୋଦିନୀଙ୍କ ପାଇଁ ଜୀବନ ଯେତେବେଳେ ସ୍ୱପ୍ନ ଥିଲା ସେତେବେଳେ ସରୋଜଙ୍କ ପ୍ରେମ ନିବେଦନ ତାଙ୍କୁ ଯୋଗାଇଥିଲା ଅସୀମ ସାହସ। ଦେଖାଇଥିଲା ଅସୁମାରି ସ୍ୱପ୍ନ। ଦୀର୍ଘ ୮ ବର୍ଷର ସଂଘର୍ଷରେ ପ୍ରମୋଦିନୀଙ୍କ ପ୍ରତିଟି ହସରେ ଲୁହରେ ସାଥି ହୋଇ ବାଟ ଚାଲିଛନ୍ତି ସରୋଜ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।