ଅବିଶ୍ରାନ୍ତ ବର୍ଷାରେ ବେହାଲ୍ ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କେଉଁଠି ତୁହାକୁ ତୁହା ତ’ କେଉଁଠି ଲଗାଣ ବର୍ଷା। ୱେଲମାର୍କ ଲୋ ପ୍ରେସର୍ ପ୍ରଭାବରେ ଗତକାଲିଠାରୁ ଅବିଶ୍ରାନ୍ତ ବର୍ଷାରେ  ବେହାଲ ହୋଇଛି ସାରା ରାଜ୍ୟ। ଉପକୂଳରୁ ଦକ୍ଷିଣ, ଉତ୍ତରରୁ  ଆଭ୍ୟନ୍ତରୀଣ ଓଡ଼ିଶା, ସବୁଠି ଜନଜୀବନ ବେହାଲ୍। ତେବେ ବର୍ଷା  ଅଧିକ ବିତ୍ପାତ ଘଟାଇଛି ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ।  କେଉଁଠି ପାହାଡ଼ ଧସିଛି ତ’ ଆଉ କେଉଁଠି ରାସ୍ତା ଭସାଇ ନେବାରୁ  ବହୁ ସ୍ଥାନକୁ ଯାତାୟାତ ଠପ୍ ରହିଛି। କେନ୍ଦୁଝରରେ କାନ୍ଥ ପଡି ଓ  […]

2345

Tapas Behera
  • Published: Thursday, 24 October 2019
  • , Updated: 24 October 2019, 08:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କେଉଁଠି ତୁହାକୁ ତୁହା ତ’ କେଉଁଠି ଲଗାଣ ବର୍ଷା। ୱେଲମାର୍କ ଲୋ ପ୍ରେସର୍ ପ୍ରଭାବରେ ଗତକାଲିଠାରୁ ଅବିଶ୍ରାନ୍ତ ବର୍ଷାରେ  ବେହାଲ ହୋଇଛି ସାରା ରାଜ୍ୟ। ଉପକୂଳରୁ ଦକ୍ଷିଣ, ଉତ୍ତରରୁ  ଆଭ୍ୟନ୍ତରୀଣ ଓଡ଼ିଶା, ସବୁଠି ଜନଜୀବନ ବେହାଲ୍। ତେବେ ବର୍ଷା  ଅଧିକ ବିତ୍ପାତ ଘଟାଇଛି ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ।  କେଉଁଠି ପାହାଡ଼ ଧସିଛି ତ’ ଆଉ କେଉଁଠି ରାସ୍ତା ଭସାଇ ନେବାରୁ  ବହୁ ସ୍ଥାନକୁ ଯାତାୟାତ ଠପ୍ ରହିଛି।

କେନ୍ଦୁଝରରେ କାନ୍ଥ ପଡି ଓ  କନ୍ଧମାଳରେ ଗଛପଡ଼ି ୨ ଜଣଙ୍କର ମୃତ୍ୟୁ ଘଟିଛି। ଆଭ୍ୟନ୍ତରୀଣ ଓଡ଼ିଶା, ସବୁଠି  ବେହାଲ କରିଛି ଲଘୁଚାପ ଜନିତ ଅବିଶ୍ରାନ୍ତ ବର୍ଷା।  ଦିଗପହଣ୍ଡି ମୁଖ୍ୟରାସ୍ତାର ବୁଧେଶ୍ୱର ନିକଟସ୍ଥ ପୋଚକା ନାଳ ଉପର ରାସ୍ତାକୁ ଭସାଇ ସୁଅ  କାଟି ଚାଲିଛି ପାଣି। ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍‌ର ତିପିସିଂ-କୁଲମ୍  ମଧ୍ୟରେ ପାହାଡ଼ ଧସି ୨୦ଟି ଘର ମାଟିରେ ମିଶିଛି। ପି.ଅନ୍ତରଡ଼ା  ନିକଟରେ ରାସ୍ତା ଉପରେ ମାଟି ଧସିବାରୁ ନୂଆଗଡ଼-ମୋହନା  ମଧ୍ୟରେ ଗମନାଗମନ ବନ୍ଦ ରହିଛି। ମୋହନା ଦେଇ ପ୍ରବାହିତ  ହରଭାଙ୍ଗି ନଦୀ ଓ ଅଠର ନଳାରେ ଜଳସ୍ତର ବଢ଼ିବାରେ ଲାଗିଛି।  ସେହିପରି ଗୁଣପୁର ଜଗନ୍ନାଥପୁର ନାଳ ନିକଟ ଆପ୍ରୋଚରୋଡ  ଉପରେ ବି ବର୍ଷା ପାଣି ଚାଲିଛି। ଫଳରେ ଶ୍ରୀକାକୁଲମକୁ  ଯୋଗାଯୋଗ ବିଛିନ୍ନ ହୋଇଛି।

କୃଷ୍ଣପ୍ରସାଦ ଅଞ୍ଚଳର ଶହ ଶହ ଏକର ଧାନ ଜମିରେ  ବର୍ଷା ପାଣିରେ ଭାସୁଛି ପାଚିଲା ଫସଲ। ସେହିପରି ଖୋର୍ଦ୍ଧା ସହର  ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ବି ଜୀବନଯାତ୍ରା ବେହାଲ କରିଛି  ଲଗାଣ ବର୍ଷା। କେନ୍ଦୁଝର ଜିଲ୍ଲାରେ ବି ଲାଗି ରହିଛି ପ୍ରବଳ ବର୍ଷା।  ହରିଚନ୍ଦନପୁର ବ୍ଲକ୍ ମିଶ୍ରମାଳ ଗାଁରେ କାନ୍ଥ ଭୁଶୁଡ଼ି ମକରା ମୁଣ୍ଡା  ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। କନ୍ଧମାଳ ବାଲିଗୁଡ଼ାରେ ଅଟୋ ଉପରେ ଗଛ  ପଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ସେପଟେ ଉପରମୁଣ୍ଡରେ  ବି ବର୍ଷା ଲାଗି ରହିଥିବାରୁ ହୀରାକୁଦ ଜଳଭଣ୍ଡାରରେ ଜଳପତ୍ତନ  ବୃଦ୍ଧି ଯୋଗୁଁ ୮ଟି ଗେଟ୍ ଖୋଲାଯାଇଛି।

ଅନ୍ୟପକ୍ଷରେ ଲଘୁଚାପ ବର୍ଷା ଆସନ୍ତାକାଲି ଯାଏଁ ଲାଗି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ଢେଙ୍କାନାଳ, କେନ୍ଦୁଝର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଆସନ୍ତା ୧୨ ଘଣ୍ଟା  ଭିତରେ ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ଦେଖି ଏହି ୫ ଜିଲ୍ଲାକୁ ରେଡ୍  ୱାର୍ଣ୍ଣିଂ ଜାରି କରାଯାଇଛି ।

ଏଥିସହ ପ୍ରବଳ ବର୍ଷା ସମ୍ଭାବନା ଥିବା  ଅନ୍ୟ ୧୦ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେସବୁ ଜିଲ୍ଲା ହେଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଂଜାମ, ନୟାଗଡ଼,  ଦେବଗଡ଼ ଓ ଅନୁଗୁଳ। ଅନ୍ୟ ୫ଟି ଜିଲ୍ଲା ସୁନ୍ଦରଗଡ଼, ସମ୍ବଲପୁର,  ବୌଦ୍ଧ, କନ୍ଧମାଳ ଓ ଗଜପତିକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।  ତେବେ ଆସନ୍ତା ଶନିବାର ଯାଏଁ ଉତ୍ତର ଓ ଦକ୍ଷିଣ ଉପକୂଳବର୍ତ୍ତୀ  ଜିଲ୍ଲା ମାନଙ୍କରେ ମଧ୍ୟମ ଧରଣର ବର୍ଷା ହୋଇ ପାରେ ।

Related story