ସାରା ରାଜ୍ୟରେ ବର୍ଷାର ତାଣ୍ଡବ: କଳାହାଣ୍ଡିରେ ବନ୍ୟା ପରିସ୍ଥିତି

ଧର୍ମଗଡ଼/ରାୟଗଡ଼ା(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଫଳରେ କଳାହାଣ୍ଡିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷାରେ ଜିଲ୍ଲାର ବହୁ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ଗୋପାଳପୁର-ରାୟପୁର ରାସ୍ତାର ମଦନପୁରଠାରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି। ସେହିପରି ଭବାନୀପାଟଣା-ଥୁ.ରାମପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଥୁ.ରାମପୁର-କଲମପୁର ରାସ୍ତା ମଝିରେ ଭୂସ୍ଖଳନ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

କଲମପୁର ବ୍ଲକ୍‌ର ୩ଟି ଗାଁ ସମ୍ପୂର୍ଣ୍ଣ ଭାବେ ପାଣି ଘେରରେ ରହିଛି।  ବାଲିଛଡ଼ା, ବିରିପୁର ଓ ମାଟିଖାଲ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି।  ଇନ୍ଦ୍ରାବତୀ ପ୍ରକଳ୍ପର ହାତୀ ବ୍ୟାରେଜ୍‌ର ୫ଟି ଗେଟ୍ ଖୋଲାଯାଇଛି। ଫଳରେ ହାତୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ରାୟଗଡ଼ା ଜିଲ୍ଲାରେ ମଧ୍ୟ ଲଗାଣ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି।  ନାଗାବଳୀ ଓ ବଂଶଧାରା ନଦୀ ଫୁଲିବାରେ ଲାଗିଛି।  ଗୁଣପୁର ନିକଟରେ ବଂଶଧାରା ବିପଦ ସଂକେତର ନିକଟତର ହୋଇଛି।  ବଂଶଧାରାରେ ବିପଦ ସଂକେତ ୮୪ ମିଟର ଥିବାବେଳେ ବର୍ତ୍ତମାନ ସେଠାରେ ୮୨.୩୨ ମିଟର ଉଚ୍ଚରେ ପାଣି ପ୍ରବାହିତ ହେଉଛି।