ବ୍ଲାଙ୍କ ଚେକ୍‌ ବୟାନକୁ ନେଇ ଅଡୁଆରେ ହେମନ୍ତ ଶର୍ମା!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟ ବା କେନ୍ଦ୍ର ସରକାର ନାହାନ୍ତି, ଯେଉଁଠି ଜଣେ ଅଧିକାରୀ ସପ୍ଲାଏର ପାଖକୁ ବ୍ଲାଙ୍କ ଚେକ୍‌ ପଠାଇଛି।” ଗତ ୨୮ ତାରିଖରେ ପର୍ଚେଜ କମିଟି ମୁଖ୍ୟ ହେମନ୍ତ ଶର୍ମା ଏହା କହିଥିଲେ। ଏହା ପରେ ମାସ୍କ, ପିପିଇ ଓ ଟେଷ୍ଟିଂ କିଟ୍‌ କିଣାରେ ବାହାରିଥିଲା ଘୋଟାଲାର ଗନ୍ଧ। ଆଉ ସନ୍ଦେହ ଘରକୁ ଆସିଥିଲା ରାଜ୍ୟ ଔଷଧ ନିଗମର ଭୂମିକା। ‘କରୋନା’ ମହାବିପତ୍ତି ସମୟରେ କୋଟି କୋଟିର ଖେଳ ହୋଇଥିବା ଅଭିଯୋଗ […]

ppt

Manoranjan Sial
  • Published: Friday, 05 June 2020
  • , Updated: 05 June 2020, 08:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟ ବା କେନ୍ଦ୍ର ସରକାର ନାହାନ୍ତି, ଯେଉଁଠି ଜଣେ ଅଧିକାରୀ ସପ୍ଲାଏର ପାଖକୁ ବ୍ଲାଙ୍କ ଚେକ୍‌ ପଠାଇଛି।” ଗତ ୨୮ ତାରିଖରେ ପର୍ଚେଜ କମିଟି ମୁଖ୍ୟ ହେମନ୍ତ ଶର୍ମା ଏହା କହିଥିଲେ। ଏହା ପରେ ମାସ୍କ, ପିପିଇ ଓ ଟେଷ୍ଟିଂ କିଟ୍‌ କିଣାରେ ବାହାରିଥିଲା ଘୋଟାଲାର ଗନ୍ଧ। ଆଉ ସନ୍ଦେହ ଘରକୁ ଆସିଥିଲା ରାଜ୍ୟ ଔଷଧ ନିଗମର ଭୂମିକା। ‘କରୋନା’ ମହାବିପତ୍ତି ସମୟରେ କୋଟି କୋଟିର ଖେଳ ହୋଇଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ ଆଜି ପର୍ଚେଜ କମିଟି ମୁଖ୍ୟ ହେମନ୍ତ ଶର୍ମାଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଥିବା ଆଲୋଚନା ହେଉଛି।

‘କରୋନା’ ମୁକାବିଲା ପାଇଁ ମନଇଚ୍ଛା ସରଞ୍ଜାମ କିଣିବା ପାଇଁ କମିଟି ମୁଖ୍ୟଙ୍କ ହାତରେ ସରକାର ଧରାଇ ଦେଇଥିଲେ ବ୍ଲାଙ୍କଚେକ୍। ଆଉ ତା’ର ପରିଣାମର ଚିତ୍ର ଦେଖିବାକୁ ମିଳିଥିଲା ୩୧ ତାରିଖରେ। ଔଷଧ ନିଗମ କାର୍ଯ୍ୟାଳୟ ଆଗରେ ଲାଇନ୍‌ ଲାଗିଥିଲା ପିପିଇ କିଟ୍, ମାସ୍କ ଓ ଭେଣ୍ଟିଲେଟର ଭର୍ତ୍ତି ୩୦ରୁ ଅଧିକ ଟ୍ରକ୍‌। ୪ରୁ ୫ ଦିନ ରାସ୍ତାରେ ଠିଆ ହେବା ପରେ ଗଣମାଧ୍ୟମର ନଜର ଏଡ଼ାଇବାକୁ କେତେକ ଟ୍ରକକୁ ରସୁଲଗଡ଼ ଶିଳ୍ପାଞ୍ଚଳରେ ଲୁଚାଇ ରଖାଯିବାର ଚେଷ୍ଟା ହୋଇଥିଲା। ହେଲେ ଏନେଇ ଓଟିଭି ଲୋକଲୋଚନକୁ ଆଣିବା ପରେ ସୃଷ୍ଟି ହୋଇଥିଲା ହଇଚଇ। ତେଣୁ ସରକାର ବାଧ୍ୟ ହୋଇ ଅର୍ଡର ବାତିଲ ସତ୍ତ୍ୱେ ମଧ୍ୟ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ ୨୯ ଟ୍ରକ୍ ପିପିଇ କିଟ୍। କେବଳ ସେତିକି ନୁହେଁ, ବ୍ଲାଙ୍କଚେକ୍‌ ସ୍ୱାଧୀନତାର ଏମିତି ଉପଯୋଗ ହୋଇଥିଲା ଯେ, ପର୍ଚେଜ୍ କମିଟି ନିର୍ଦ୍ଦେଶରେ ମାତ୍ର ଦୁଇ ଦିନରେ ପାଖାପାଖି ଦୁଇଗୁଣା ଚଢା ଦରରେ ମାସ୍କ କିଣା ହୋଇଥିଲା। ବିଳମ୍ବରେ ଅର୍ଡର ଦେଇ ଶୀଘ୍ର ଡେଲିଭଲି ଲାଗି ସପ୍ଲାୟର ୫୦ ପ୍ରତିଶତର ପ୍ରୋତ୍ସାହନ ଲୋଭ ଦେଇ କୋଟି କୋଟି ହରିଲୁଟ୍‌ର ବାଟ ଖୋଲାଯାଇଥିଲା। ସେହିପରି ଟେଷ୍ଟକିଟ୍ ପର୍ଚେଜରେ ମଧ୍ୟ ସାମ୍ନାକୁ ଆସିଥିଲା ବଡ଼ଧରଣର ହେର୍‌ଫେର୍‌ର ଅଭିଯୋଗ। ଆଉ ଏତେ ସବୁ ହେବା ପରେ ଅଣ୍ଟି ପୋଡ଼ିଯିବା ଭୟରେ ଚେତିଲେ ସରକାର। ପର୍ଚେଜ କମିଟି ମୁଖ୍ୟ ପଦରୁ ବିଦା ହେଲେ ହେମନ୍ତ ଶର୍ମା।

ହେଲେ ଏଠି ପ୍ରଶ୍ନ ଉଠୁଛି କୋଭିଡ୍‌ କିଟ୍‌ କେଳେଙ୍କାରୀ ପାଇଁ କେବଳ ପର୍ଚେଜ କମିଟି ମୁଖ୍ୟଙ୍କ ଭୂମିକା ନା ପ୍ରଚ୍ଛଦ ପଟରେ ଅଛନ୍ତି ଆଉ କେହି? ବିପତ୍ତି ବେଳେ କୋଟି କୋଟିର ଖେଳ କରି କାହାର ଥିଲା ମଉଜ ଉଦ୍ଦେଶ୍ୟ? ଯେହେତୁ ମନ୍ତ୍ରିସ୍ତରୀୟ କମିଟିର ଅନୁମୋଦନରେ ସରଞ୍ଜାମ କିଣାଯାଉଥିଲା, ସେମାନେ ତଦନ୍ତର ପରିସରକୁ ଆସିବେ କି? ଏପରିକି କୋଭିଡ୍‌ ସରଞ୍ଜାମ କିଣାଯିବା ନିଷ୍ପତ୍ତି ସମୟରେ ହିଁ ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କୁ ବଦଳି କରାଯିବା ପଛରେ କିଛି ବଡ଼ ରହସ୍ୟ ଥିଲା କି? ଏ ତମାମ ପ୍ରଶ୍ନ ଉଠାଇ ସରକାରଙ୍କୁ ଘେରିବା ସହ ଦୁର୍ନୀତିର ମୂଳ ଖୋଜିବାକୁ ସିବିଆଇ ତଦନ୍ତ ଦାବି କରିଛନ୍ତି ବିରୋଧୀ।

ରାଜ୍ୟ ବିଜେପି ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି-“କରୋନା ମହାମାରୀ ସମୟରେ ମାକ୍ସ, ପିପିଇ କିଟ୍‌ କିଣାରେ ବ୍ୟାପକ ଦୁର୍ନୀତି ହୋଇଛି। ଏହା ଅତ୍ୟନ୍ତ ଘୃଣ୍ୟ ଓ ନିନ୍ଦନୀୟ। ଏହି ସରକାରର ଗୋଟିଏ ଡାଳ କାଟିଲେ ୬ଟି ବାହାରୁଛି। ଯେତେଦିନ ପର୍ଯ୍ୟନ୍ତ ଏହି ସରକାରକୁ ମୂଳରୁ ନିପାତ କରାଯିବନି, ସେତେ ଦିନ ପର୍ଯ୍ୟନ୍ତ ଦୁର୍ନୀତିର ବେମାରୀ ଛାଡ଼ିବ ନାହିଁ।”

ଏଆସିସି ସାଧାରଣ ସଂପାଦକ ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି-“କରୋନା ଭଳି ଏକ ଭୟଙ୍କର ବିପତ୍ତି ସମୟରେ ଯାହା ବିରୋଧରେ ଦୁର୍ନୀତିର ଅଭିଯୋଗ ଆସୁଛି, ତାହା ହେଉଛି ସବୁଠାରୁ ଗୁରୁତର ଅପରାଧ। ଏ ସମ୍ପର୍କରେ ବିଚାର ବିଭାଗୀୟ ବା ସିବିଆଇ ତଦନ୍ତ କରାଯାଉ।”

ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି-“ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ସରକାର କୌଣସି ପ୍ରକାର ଦୁର୍ନୀତିକୁ ପ୍ରଶ୍ରୟ ଦିଆଯାଇନି। ଯଦି କିଛି ଦୁର୍ନୀତି ଆସିବ, ତାହା ହେଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ହେଲେ ଏହି ପ୍ରସଙ୍ଗ ଉପରେ ହେମନ୍ତ ଶର୍ମାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ମହାମାରୀ ବିପତ୍ତି ବେଳେ କୋଭିଡ୍ ସରଞ୍ଜାମ କେଳେଙ୍କାରୀର ଧୁଳି ଝାଡ଼ିବାକୁ କେବଳ ପର୍ଚେଜ୍ କମିଟି ମୁଖ୍ୟଙ୍କୁ ଅବ୍ୟାହତି ଦେଇ ସରକାର ଚୁପ୍ ବସିବେ ନା ତଦନ୍ତକୁ ଆଗକୁ ନେବେ ତା’ ଉପରେ ଏବେ ସାରା ରାଜ୍ୟବାସୀଙ୍କ ନଜର।

Related story