ଆସନ୍ତାକାଲି ହେରାପଞ୍ଚମୀ, ମହାଲକ୍ଷ୍ମୀ ଭାଙ୍ଗିବେ ମହାପ୍ରଭୁଙ୍କ ରଥ

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତାକଲି ହେରାପଞ୍ଚମୀ। ଏହା ରଥଯାତ୍ରା ପର୍ବର ୫ମ ଦିନ। ଆଷାଢ଼ ଶୁକ୍ଳ ଷଷ୍ଠୀ। ଭାଇ, ଭଉଣୀଙ୍କୁ ସାଥୀରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିର ବୁଲିବାକୁ ଚାଲିଆସିଥିବା ମହାପ୍ରଭୁଙ୍କର ପୁଣି ଏକ ମାନବୀୟ ଲୀଳା ଦେଖିବାକୁ ମିଳିବ। ରଥଯାତ୍ରାରେ ଆସିବା ବେଳେ ମା’ ମହାଲକ୍ଷ୍ମୀଙ୍କୁ ସେ ସାଥୀରେ ଆଣିନାହାନ୍ତି। ତେଣୁ ଅଭିମାନ କରିଥିବା ମା’ ମହାଲକ୍ଷ୍ମୀ ଆସନ୍ତାକାଲି ଶ୍ରୀମନ୍ଦିରରୁ ବିଜେ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଉପରେ ରାଗ ସୁଝାଇବେ। ରଥ ଭାଙ୍ଗି ପୁଣି ଶ୍ରୀମନ୍ଦିର ଚାଲିଯିବେ। […]

Herapanchami

  • Published: Monday, 04 July 2022
  • , Updated: 05 July 2022, 08:21 AM IST

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତାକଲି ହେରାପଞ୍ଚମୀ। ଏହା ରଥଯାତ୍ରା ପର୍ବର ୫ମ ଦିନ। ଆଷାଢ଼ ଶୁକ୍ଳ ଷଷ୍ଠୀ। ଭାଇ, ଭଉଣୀଙ୍କୁ ସାଥୀରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିର ବୁଲିବାକୁ ଚାଲିଆସିଥିବା ମହାପ୍ରଭୁଙ୍କର ପୁଣି ଏକ ମାନବୀୟ ଲୀଳା ଦେଖିବାକୁ ମିଳିବ। ରଥଯାତ୍ରାରେ ଆସିବା ବେଳେ ମା’ ମହାଲକ୍ଷ୍ମୀଙ୍କୁ ସେ ସାଥୀରେ ଆଣିନାହାନ୍ତି। ତେଣୁ ଅଭିମାନ କରିଥିବା ମା’ ମହାଲକ୍ଷ୍ମୀ ଆସନ୍ତାକାଲି ଶ୍ରୀମନ୍ଦିରରୁ ବିଜେ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଉପରେ ରାଗ ସୁଝାଇବେ। ରଥ ଭାଙ୍ଗି ପୁଣି ଶ୍ରୀମନ୍ଦିର ଚାଲିଯିବେ।

ଆସନ୍ତାକାଲି ଶ୍ରୀମନ୍ଦିର ଭଣ୍ଡାର ଘରେ ବିଜେ ହୋଇଥିବା ଲକ୍ଷ୍ମୀଙ୍କୁ ପାଳିଆ ମହାଜନମାନେ ମାଜଣା କରିବେ। ତାହା ପରେ ମା’ ଲକ୍ଷ୍ମୀଙ୍କ ବନକଲାଗି ହେବ। ମା’ଙ୍କୁ ପାଟ ଓ ଅଳଙ୍କାର ଲାଗି ହେବେ। ପାଳିଆ ମେକାପ, ପ୍ରତିହାରୀ ଓ ମୁଦୁଲି ସେବକମାନେ ଦେଇଥିବା ପନ୍ତି ଭୋଗ ପୂଜାପଣ୍ଡା କରିବେ। ଏହାପରେ ମହାଜନମାନେ ଲକ୍ଷ୍ମୀଙ୍କୁ ନେଇ ବଟ ବୃକ୍ଷ ତଳେ ଥିବା ବିମାନରେ ବିଜେ କରାଇବେ।

ବିମାନବଡୁମାନେ ବିମାନ କାନ୍ଧେଇ ଘଣ୍ଟ, କାହାଳି, ବାଜା ସହ ସିଂହଦ୍ୱାର ଦେଇ ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ପହଞ୍ଚିବେ। ସେଠାରେ ଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ପାଖରେ ଠିଆ ହେବା ପରେ ପତି ମହାପାତ୍ର ପ୍ରସାଦ ଲାଗି ବନ୍ଦାପନା ଓ ଚାମର ଆଲଟ କରିବେ। ଘଷା ବିଡ଼ିଆ ଓ ଦହିପଟି ମଣୋହି କରିବେ।

ଏହି ସମୟ ମଧ୍ୟରେ ଶ୍ରୀଗୁଣ୍ଡିଚା ଘରେ ମହାପ୍ରଭୁଙ୍କ ତିନିବାଡ଼ରେ ସର୍ବାଙ୍ଗ ପରେ ବେଶ ହୋଇ ଓ ସନ୍ଧ୍ୟାଧୂପ ଉଠିବ। ପୂଜାପଣ୍ଡା ପୂଜାରେ ବସିଥିବା ବେଳେ ମା’ ଲକ୍ଷ୍ମୀ ରଥ ପାଖରୁ ଜଗମୋହନ ଜୟବିଜୟ ଦ୍ୱାର ନିକଟକୁ ଆସିବେ। ମା’ଙ୍କ ଆଗମନ ସୂଚନା ଜଣାଇବା ପରେ ପତି ମହାପାତ୍ର ସିଂହାସନ ଉପରକୁ ଉଠି ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆଣି ମା’ ଲକ୍ଷ୍ମୀଙ୍କୁ ଦେବେ। ଏହା ପରେ ପୂଜାପଣ୍ଡା ପୂଜା ବଢ଼ାଇ ଧୂପଦୀପ ଦେଇ ଟେରା ପକାଇବେ।

ଏହି ସମୟରେ ମା’ ଲକ୍ଷ୍ମୀଙ୍କ ବିମାନକୁ ଜଗମୋହନରୁ ନାକଚଣା ଦ୍ୱାର ଦେଇ ଆଣିବା ପରେ ତେନ୍ତୁଳିଗଛ ପାଖରେ ରଖାଯିବ। ସେଠାରେ ଭିତରଚ୍ଛ ମହାପାତ୍ର ଗରାବଡ଼ୁ ଠାରୁ ହାତୁଆଣି ନେଇ ବନ୍ଦାପନା ଓ ଦହିପଟି ମଣୋହି କରିବେ। ଏହାପରେ ମା’ ଲକ୍ଷ୍ମୀଙ୍କ ବିମାନକୁ ଶ୍ରୀଜଗନ୍ନାଥଙ୍କ ରଥ ପାଖକୁ ନିଆଯିବ। ମା’ ଲକ୍ଷ୍ମୀ ରଥ ଉପରେ ରାଗ ସୁଝାଇବେ। ସେବକଙ୍କ ଭିତରୁ ଜଣେ ରଥର କାଠ ଖଣ୍ଡିଏ ଭାଙ୍ଗି ଦେବେ। ପରେ ମା’ ଲକ୍ଷ୍ମୀ ହରଗୌରୀ ସାହି ଦେଇ ବଡ଼ଦେଉଳକୁ ବିଜେ କରିବେ। ମା’ ଲକ୍ଷ୍ମୀ ଅଭିମାନ କରି ଚାଲିଯିବା ଦେଖି ମହାପ୍ରଭୁ ଶ୍ରୀମନ୍ଦିରକୁ ବାହାରିବା ନିମନ୍ତେ ପ୍ରସ୍ତୁତ ହେବେ।

Related story