କଟକ(ଓଡ଼ିଶା ରିପୋର୍ଟର) ମହାନତା ଦେଖାଇଲେ ହିରୋ ବାବୁସାନ୍ । ନିଜର ଜଣେ ଫ୍ୟାନ୍ଙ୍କ ଇଛା ପୂରଣ କରିବା ପାଇଁ ପହଞ୍ଚି ଗଲେ ମେଡିକାଲରେ । ଆଉ ନିଜର ପ୍ରିୟ ହିରୋକୁ ରୋଗ ଶଯ୍ୟା ନିକଟରେ ଦେଖି ବେଶ ଆନନ୍ଦିତ ହୋଇଛନ୍ତି ୧୪ ବର୍ଷିୟ ଚିଣ୍ଟୁ । କାମାକ୍ଷାନଗର ଅଞ୍ଚଳର ଚିଣ୍ଟୁ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ । ଦୁଇ ଗୋଡ଼ ଦୁଇ ହାତରେ କରେଣ୍ଟ ଲାଗି ଜଳି ଯାଇଥିଲା ।
ପ୍ରଥମେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ନିରାଶ ହେବା ପରେ କଟକ ଏସସିବି ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ମେଡ଼ିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଡାକ୍ତରମାନଙ୍କ ଚେଷ୍ଟା ପରେ ଚିଣ୍ଟୁର ଜୀବନ ବଂଚିଯାଇଛି ସତ, କିନ୍ତୁ ଦୁଇ ହାତ ଓ ଗୋଟେ ଗୋଡ଼ କାଟିବାକୁ ପଡିଛି ଡାକ୍ତରଙ୍କୁ । ତେବେ ମେଡିକାଲରେ ଚିକିତ୍ସିତ ହେଉଥିବା ଚିଣ୍ଟୁ ନିଜ ପ୍ରିୟ ହିରୋ ବାବୁସାନଙ୍କୁ ଦେଖିବା ପାଇଁ ତା ଭାଇକୁ କହିଥିଲା ।
ଏହି ଖବର ବାବୁସାନଙ୍କ ପାଖରେ ପହଂଚିବା ପରେ ଚିଣ୍ଟୁକୁ ଭେଟିବା ପାଇଁ ମେଡିକାଲ ଯାଇଥିଲେ । ଆଉ ଏମିତି ହଠାତ୍ ବାବୁସାନଙ୍କୁ ମେଡିକାଲରେ ଦେଖି ଚିଣ୍ଟୁର ଆନନ୍ଦ କାହିଁରେ କଣ । ବାବୁସାନଙ୍କ ସହ ଫଟୋ ଉଠାଇଥିଲା ଚିଣ୍ଟୁ। ତେବେ ତାର ଚିକିତ୍ସା ପାଇଁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ କରିବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବାବୁସାନ୍ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।