ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଐତିହାସିକ ବୌଦ୍ଧ ଗୁମ୍ଫାକୁ ସିମେଣ୍ଟ କମ୍ପାନୀକୁ ଟେକି ଦେଇଛନ୍ତି। ଏପରି ଅଭିଯୋଗ ଆସିଛି କଟକ ଚୌଦ୍ୱାର ଅଞ୍ଚଳରୁ। ମେକ୍ ଇନ୍ ଓଡ଼ିଶାକୁ ଚମକପ୍ରଦ କରିବା ପାଇଁ ରାଜ୍ୟ ସରକାର ଏହି ଐତିହ୍ୟ ସ୍ଥଳକୁ ସିମେଣ୍ଟ କାରଖାନାକୁ ହସ୍ତାନ୍ତର କରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି।
ଚୌଦ୍ୱାର ଇନ୍ଦ୍ରାଣୀପାଟଣା ଗାଁକୁ ଲାଗିଥିବା ଇନ୍ଦ୍ରାଣୀ ପାହାଡ଼। ଏହି ପାହାଡ଼ରେ ରହିଛି ‘ଅସୁର ବିହାର ଗୁମ୍ଫା’। ଇନ୍ଟାକ୍ ମହାନଦୀ ଐତିହ୍ୟ ପ୍ରକଳ୍ପ ସଂଯୋଜକ ଅନୀଲ ଧିରଙ୍କ କହିବା ଅନୁସାରେ ଏହି ଗୁମ୍ଫା ଜୈନ ମୁନୀଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଗୁମ୍ଫାକୁ ବୁଦ୍ଧ ମୁନୀମାନେ ବ୍ୟବହାର କରୁଥିଲେ।
କିମ୍ୱଦନ୍ତୀ ଅନୁସାରେ ମହାଭାରତ ଯୁଗର ବିରାଟର ରାଜବଂଶ ଅଧୀନରେ ଚୌଦ୍ୱାର ଅଞ୍ଚଳ ଥିଲା। ଏହି ସ୍ଥାନରେ ପାଣ୍ଡବଙ୍କ ଅଜ୍ଞାତବାସ ଥିବାର ବିଶ୍ୱାସ କରାଯାଏ। ଯେଉଁଥିପାଇଁ ଲୋକମାନେ ଆଜି ମଧ୍ୟ ସେଠାରେ ପୂଜା ପାର୍ବଣ କରନ୍ତି। ପୁରାଣ ବର୍ଣ୍ଣିତ ମଣ୍ଡାଖିଆ ଅସୁରକୁ ଦ୍ୱିତୀୟ ପାଣ୍ଡବ ଭୀମ ଏହିଠାରେ ବଧ କରିଥିଲେ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ସ୍ଥାନୀୟ ଲୋକେ ପ୍ରତିବର୍ଷ ଏଠାରେ ଏକ ବଡ଼ ମେଳା ଆୟୋଜନ କରନ୍ତି। ସ୍ଥାନୀୟ ଲୋକେ ଏହି ସ୍ଥାନକୁ ସୁନ୍ଦର ଭାବେ ରକ୍ଷଣାବେକ୍ଷଣ କରୁଥିଲେ। ହେଲେ ରାଜ୍ୟ ସରକାର ଏହି ଐତିହାସିକ ସ୍ଥଳକୁ ସିମେଣ୍ଟ କମ୍ପାନୀ କମ୍ପାନୀ ହାତକୁ ଟେକିଦେଲେ। କମ୍ପାନୀର ପାଚେରୀ ନିର୍ମାଣକୁ ସ୍ଥାନୀୟ ବିରୋଧ କରିଥିଲେ। ଯାହାକୁ ନେଇ ହୋଇଥିଲା ସଂଘର୍ଷ। ଯେଉଁଥିପାଇଁ ମେଳା ବନ୍ଦ ହୋଇଗଲା। ଏହା ପରେ ଏଠାରେ ସିମେଣ୍ଟ କାରଖାନା ପ୍ରତିଷ୍ଠା କରାଗଲା। ୨୦୧୮ ମସିହା ମଇ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ତୋଷାଳୀ ସିମେଣ୍ଟ କମ୍ପାନୀର ଉଦ୍ଘାଟନ କରିଥିଲେ।
ମେକ୍ଇନ୍ ଓଡ଼ିଶାକୁ ଚମକପ୍ରଦ କରିବା ପାଇଁ ସ୍ଥାନଟିର ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱ ଭୁଲିଯାଇ କାରଖାନାକୁ ହସ୍ତାନ୍ତର କରିଦେଲେ ରାଜ୍ୟ ସରକାର। ରାଜ୍ୟ ବା କେନ୍ଦ୍ର ପ୍ରତ୍ନତାତ୍ତ୍ୱିକ ବିଭାଗ ମଧ୍ୟ ଏହି ଐତିହ୍ୟ ସମ୍ପନ୍ନ ସ୍ଥାନଟିକୁ କିଭଳି ସୂଚିତ କଲେ ନାହିଁ ତାକୁ ନେଇ ଶ୍ରୀ ଧିର ବିସ୍ମୟ ପ୍ରକାଶ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।