ପୁରୀରେ ଅନର କିଲିଂ; ପ୍ରେମ କରିବାରୁ ଭୋଗିବାକୁ ପଡ଼ିଲା ଏପରି ଦଶା

ପୁରୀ(ଓଡ଼ିଶା ରିପୋର୍ଟର): ପରିବାର ପସନ୍ଦରୁ ବାହାରକୁ ଯାଇ ପ୍ରେମ କଲେ। ଶେଷରେ ଯାହାକୁ ମନ ଦେଲେ, ତା ସହ ସୁଖର ସଂସାର ଗଢ଼ିବାକୁ ସ୍ୱପ୍ନ ଦେଖି ଘରୁ ଗୋଡ଼ କାଢ଼ି ପଳାଇ ବି ଗଲେ। ହେଲେ ଏହା ପରିବାର ଲୋକଙ୍କ ହଜମ ହେଲା ନାହିଁ। ଘରର ଝିଅ ମାନସମ୍ମାନ ପଦାରେ ପକାଇଲା ଭାବି ହିଂସ୍ର ହୋଇଯାଇଥିବା ପରିବାର ଲୋକ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜିଲେ। ଶେଷରେ ଗାଁର ଏକ ଜାଗାରୁ ମାଟି ଖୋଳି କିଛି ହାଡ଼ ଉଦ୍ଧାର ପରେ  ଝିଅକୁ ହତ୍ୟା କରି ପୋଡ଼ି ଦିଅଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭାବନୀୟ ଘଟଣା କୌଣସି ବାହାର ରାଜ୍ୟରେ ନୁହେଁ ପୁରୀରେ ହୋଇଛି।  ପୁରୀ ଜିଲ୍ଲା ଚନ୍ଦନପୁରର ତଳଜଙ୍ଘ ନଈକୂଳ ସାହିରେ ଅନର କିଲିଂ ହୋଇଥିବା ଅଭିଯୋଗ  ହୋଇଛି।

ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,  ଯୁବତୀଜଣକ ଗାଁର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ପରେ ଦୁହେଁ ଫେରାର ହୋଇ ଯାଇଥିଲେ । ଥାନାରେ ଏତଲା ଦିଆଯିବା ପରେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ଏହି ଘଟଣାକୁ ନେଇ ପରିବାର ଲୋକେ ଯୁବତୀଙ୍କୁ ମାରପିଟ୍ କରିବା ସହ ନିର୍ଯାତନା ଦେଉଥିଲେ ବୋଲି ଗାଁ ଲୋକ ଅଭିଯୋଗ କରିଛନ୍ତି।

ଏହାପରେ ଗତ ଶନିବାର ପରିବାର ଲୋକ ଝିଅକୁ ହତ୍ୟା କରି ପୋଡ଼ିବା ପରେ ତରବରିଆ ଭାବେ ପୋତି ଦେଇଥିବା ଜଣାଯାଇଛି। ତେବେ ଗାଁ ଲୋକେ ଓ ଶବ ପୋଡ଼ା ଯାଇଥିବା ପ୍ଲଟ୍ ମାଲିକ ଥାନାରେ ଅଭିଯୋଗ କରିବା ପରେ ଏସ୍‌ଡିପିଓ କିଶୋର ମୁଣ୍ଡଙ୍କ ତତ୍ତ୍ୱାବଧାନରେ ପୁଲିସ୍‌ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘଟଣାସ୍ଥଳରୁ ମାଟି ଖୋଳି ହାଡ଼ ଉଦ୍ଧାର କରାଯାଇଛି । ଆବଶ୍ୟକ ପଡ଼ିଲେ ଜବତ ହାଡ଼ର ଡିଏନ୍ଏ ଟେଷ୍ଟ କରାଯିବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି ।

ଘଟଣାକୁ ଚପାଇ ଦେଇଥିବା ଓ ପୁଲିସ୍‌କୁ ସୂଚନା ଦେଇନଥିବା ଅଭିଯୋଗରେ ୫ରୁ ୬ ଜଣଙ୍କୁ ଅଟକ ରଖାଯାଇ ତଦନ୍ତ କରାଯାଉଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।