ଗାଁ ଛାଡ଼ି ଯାଇଥିଲେ, ଫେରିଲା ବେଳକୁ ଘରଦ୍ୱାର ନାହିଁ

ପାରଳାଖେମୁଣ୍ଡି(ଆଦର୍ଶ ଦାସ):ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୂସ୍ଖଳନ ଯୋଗୁ ଗଜପତି ଜିଲ୍ଲା  ଗୁମ୍ମା ବ୍ଲକ୍‌ର ଭଡ଼କୋଳାକୋଟ ପଞ୍ଚାୟତର କୁଲଙ୍ଗ ଗାଁର ସ୍ଥିତି ସମ୍ପୂର୍ଣ୍ଣ ବେହାଲ ହୋଇଯାଇଛି। ୨୦ରୁ ଅଧିକ ଘର ସମ୍ପୂର୍ଣ୍ଣ ମାଟି ତଳେ ଚାପି ହୋଇ ଯାଇଛି। ଯଦି ବା ଲୋକେ ମରଣ ମୁହଁରୁ ବଞ୍ଚିଯାଇଛନ୍ତି, ହେଲେ ମାଟି ଅତଡ଼ା ଧସି ସେମାନଙ୍କ ସବୁକିଛି ସମ୍ପତ୍ତି ମାଟିରେ ମିଶିଯାଇଛି। ଶୁକ୍ରବାର ବର୍ଷା ଛାଡ଼ିବା ପରେ ଲୋକେ ଗାଁକୁ ଫେରିଥିଲେ। ଆଉ ମାଟିରେ ମିଶିଯାଇଥିବା ନିଜ ଆସବାବପତ୍ରକୁ […]

palakhmundi

Jyoshna Pradhan
  • Published: Saturday, 26 October 2019
  • , Updated: 26 October 2019, 03:35 PM IST

ପାରଳାଖେମୁଣ୍ଡି(ଆଦର୍ଶ ଦାସ):ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୂସ୍ଖଳନ ଯୋଗୁ ଗଜପତି ଜିଲ୍ଲା  ଗୁମ୍ମା ବ୍ଲକ୍‌ର ଭଡ଼କୋଳାକୋଟ ପଞ୍ଚାୟତର କୁଲଙ୍ଗ ଗାଁର ସ୍ଥିତି ସମ୍ପୂର୍ଣ୍ଣ ବେହାଲ ହୋଇଯାଇଛି। ୨୦ରୁ ଅଧିକ ଘର ସମ୍ପୂର୍ଣ୍ଣ ମାଟି ତଳେ ଚାପି ହୋଇ ଯାଇଛି। ଯଦି ବା ଲୋକେ ମରଣ ମୁହଁରୁ ବଞ୍ଚିଯାଇଛନ୍ତି, ହେଲେ ମାଟି ଅତଡ଼ା ଧସି ସେମାନଙ୍କ ସବୁକିଛି ସମ୍ପତ୍ତି ମାଟିରେ ମିଶିଯାଇଛି। ଶୁକ୍ରବାର ବର୍ଷା ଛାଡ଼ିବା ପରେ ଲୋକେ ଗାଁକୁ ଫେରିଥିଲେ। ଆଉ ମାଟିରେ ମିଶିଯାଇଥିବା ନିଜ ଆସବାବପତ୍ରକୁ ଖୋଜି ବାହାର କରିଥିଲେ। ସବୁକିଛି ହରାଇଥିବା ଲୋକେ ପୁଣି ଥରେ ଅଣ୍ଟା ସଳଖି ଛିଡା ହେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ଗତ ୨୪ ତାରିଖରେ କୁଲଙ୍ଗ ଗାଁରେ ପ୍ରବଳ ବର୍ଷା ହେବା ସହ ଭୂସ୍ଖଳନ ହୋଇଥିଲା। ଏହି ଘଟଣା ପରେ ସେହି ଦିନ ଜିଲ୍ଲା ପ୍ରଶାସନ ଗାଁରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲା। ଏହାସହ ସମସ୍ତଙ୍କୁ ୨ଟି ରିଲିଫ କ୍ୟାମ୍ପରେ ରଖି ରନ୍ଧା ଖାଦ୍ୟ ସହ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିଥିଲା। ଶୁକ୍ରବାର ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଓ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ। ପରେ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରି ଖୁବଶୀଘ୍ର ସରକାରୀ ସହାୟତା ପ୍ରଦାନ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି।

ଜଣେ ବିପନ୍ନ ସୁନିତା ରାଇତ କହିଛନ୍ତି,“ ଭାଙ୍ଗିଯାଇଥିବା ଘର ଭିତରେ ଥିବା ଜିନିଷ ମାଟିତଳୁ ଖୋଜୁଛୁ। ଘର ଭିତରେ ଧାନ, ଲୁଗାପଟା, ରୋଷେଇ ସାମଗ୍ରୀ ସବୁ ଥିଲା।  ଏହାସବୁ ନଷ୍ଟ ହୋଇଗଲା। ଏବେ କୋଉଠି ରଖିବୁ  କଣ କରିବୁ ଚିନ୍ତାରେ ଅଛୁ।”

ଆଦିବାସୀ କଲ୍ୟାଣ ମନ୍ତ୍ରୀ  ଜଗନ୍ନାଥ ସାରକା କହିଛନ୍ତି,“ ଏହା ଏକ ପ୍ରାକୃତିକ ବିପଦ। ଏଥିପାଇଁ ଆମେ ସମସ୍ତେ ଦୁଃଖି। ବିପନ୍ନଙ୍କୁ ବିଜୁ ପକ୍କା ଘର ମାଧ୍ୟମରେ ଘର ଦିଆଯିବ। ରିଲିଫ୍ କୋଡ ମାଧ୍ୟମରେ ଲକ୍ଷେ ଟଙ୍କା ଦେବାକୁ ମଧ୍ୟ ବ୍ୟବସ୍ଥା କରାଯାଉଛି। ଏହାବାଦ୍‌ ଲୋକଙ୍କୁ ବେଡ୍‌ ସିଟ୍‌ ସହ ଅନ୍ୟାନ୍ୟ ଜିନିଷ ଦେବାକୁ ପାର୍ଟି ପକ୍ଷରୁ ଆରେଞ୍ଜ କରି ଦେଇଛୁ।”

ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ କହିଛନ୍ତି,“ଯେଉଁମାନଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଲକ୍ଷେ ଟଙ୍କା ଦିଆଯିବ। ସରକାର ସେମାନଙ୍କୁ ସବୁ ପ୍ରକାର ସାହାଯ୍ୟ କରିବେ।”

କେବଳ କୁଲଙ୍ଗ ଗାଁ ନୁହେଁ ଲଗାଣ ବର୍ଷାରେ ଜିଲ୍ଲାରେ ଅନେକ କ୍ଷତି ହୋଇଛି  ରାୟଗଡ଼ ବ୍ଲକର ଲାଇଲାଇ ପଞ୍ଚାୟତରେ ପାହାଡ଼ ଧସି  ଚାଷ ଜମି ନଷ୍ଟ ହୋଇଛି । ଜଲାଙ୍ଗ ପଞ୍ଚାୟତର କଡମ୍ବlତାଲରେ ପାହାଡ଼ ଧସି ଯାତାୟତ ପ୍ରଭାବିତ ହୋଇଛି।

Related story