ବରଗଡ଼ ଧନୁଯାତ୍ରା: ଏଥର କଂସ ମୁକୁଟ ପିନ୍ଧିବେ ହୃଷିକେଶ

ବରଗଡ଼(ଦୀପକ ଶର୍ମା) : ‘ଏଇଟା ଧନୁ ଯାତ୍ରା ନୁହେଁ, ଏହା କପଟ ଯାତ୍ରା । ଏଥିରେ ବଳି ପଡ଼ିବେ କୃଷ୍ଣ ଓ ବଳରାମ । ତା’ ପରେ ଶାନ୍ତ ହେବ ମୋର କ୍ରୋଧାନ୍ୱିତ ଶରୀର । ଏକଛତ୍ର ଶାସନ କରିବି ଏହି ଧରାଧାମେ । ସମସ୍ତେ ଉଚ୍ଚାରଣ କରିବେ ଓମ୍‌ ନମଃ କଂସାୟ ।’  ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ମୁକ୍ତକାଶ ମଞ୍ଚରେ ପରିବେଶିତ ବରଗଡ଼ ଧନୁ ଯାତ୍ରାରେ କଂସ ଭୂମିକାରେ ଏପରି ଗମ୍ଭୀର ସଂଳାପ କହି […]

hrusikesa

hrusikesa

Niharika Rout
  • Published: Friday, 11 November 2022
  • Updated: 11 November 2022, 09:03 AM IST

Sports

Latest News

ବରଗଡ଼(ଦୀପକ ଶର୍ମା) : ‘ଏଇଟା ଧନୁ ଯାତ୍ରା ନୁହେଁ, ଏହା କପଟ ଯାତ୍ରା । ଏଥିରେ ବଳି ପଡ଼ିବେ କୃଷ୍ଣ ଓ ବଳରାମ । ତା’ ପରେ ଶାନ୍ତ ହେବ ମୋର କ୍ରୋଧାନ୍ୱିତ ଶରୀର । ଏକଛତ୍ର ଶାସନ କରିବି ଏହି ଧରାଧାମେ । ସମସ୍ତେ ଉଚ୍ଚାରଣ କରିବେ ଓମ୍‌ ନମଃ କଂସାୟ ।’  ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ମୁକ୍ତକାଶ ମଞ୍ଚରେ ପରିବେଶିତ ବରଗଡ଼ ଧନୁ ଯାତ୍ରାରେ କଂସ ଭୂମିକାରେ ଏପରି ଗମ୍ଭୀର ସଂଳାପ କହି ଦର୍ଶକଙ୍କୁ ବାନ୍ଧି ରଖିବେ ହୃଷିକେଶ ଭୋଇ ।

ଚଳିତ ବର୍ଷ ବରଗଡ଼ ଧନୁଯାତ୍ରାର ୭୫ ବର୍ଷ ପୂର୍ତ୍ତି ହେଉଥିବା ବେଳେ ଏହି ଅବସରରେ କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ ଭୋଇ। ଗତକାଲି ବିଳମ୍ବିତ ରାତିରେ କଂସ ଭୂମିକା ପାଇଁ ହୃଷିକେଶଙ୍କ ନାଁରେ ମୋହର ମାରିଛନ୍ତି ଚୟନ କମିଟି ସଭାପତି ବରଗଡ ଏଡିଏମ ମିର୍ଦ୍ଧା ଟପୋ।

ଧନୁ ଯାତ୍ରା ମଞ୍ଚ ହୃଷିକେଶଙ୍କ ପାଇଁ ନୂଆ ନୁହେଁ । ପୂର୍ବରୁ କଂସ ଭୂମିକାରେ ହୃଷିକେଶଙ୍କ ଅଭିନୟକୁ ୯ ବର୍ଷ ଦେଖିଛି ସାରା ଓଡ଼ିଶା। ହେଲେ ମଝିରେ ୩ ବର୍ଷ କଂସ ଭୂମିକା ହାତେଇବାରେ ପଛେଇ ଯାଇଥିବା  ହୃଷିକେଶ କିନ୍ତୁ ଏଥର ପୁଣି ଥରେ ପିନ୍ଧିବେ କଂସର ମୁକୁଟ । ମୁହଁରେ ରଙ୍ଗ ବୋଳି, ପାଉଡର ମାଖି, କଂସ କଷ୍ଟୁମରେ ୧୦ କିମି ପରିଧୀର ଖୋଲା ମଞ୍ଚରେ ନିଜ ରାଜତ୍ୱ ଚଲାଇବେ।  ହୃଷିକେଶଙ୍କ ବଳିଷ୍ଠ ଅଭିନୟ ସାଙ୍ଗକୁ ତାଙ୍କ ବିକଟାଳ ଅଟ୍ଟହାସ୍ୟରେ  କମ୍ପିବ ଖୋଲା ମଞ୍ଚ ।

ଚଳିତ ବର୍ଷ କଂସ ଭୂମିକା ହାତେଇ ବେଶ୍‌ ଖୁସି ଥିବା ହୃଷିକେଶ ଭୋଇ ନିଜ  ଜୀବନ ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିବେ ବୋଲି ବେଶ୍‌ ଆଶବାଦୀ ଅଛନ୍ତି। ଗତ ୩ ଦିନ ଧରି ଧନୁ ଯାତ୍ରା କଳାକାର ଚୟନ ପ୍ରକ୍ରିୟା ଚାଲିଥିବା ବେଳେ ଗତକାଲି ଥିଲା କଂସ ଚୟନ । ଏଥର କଂସ ପାଇଁ ୪୨ ଜଣ କଳାକାର ଅଡିସନ୍‌ରେ ସାମିଲ ହୋଇଥିଲେ ।

କଂସ ଭୂମିକା ପାଇଁ ଯୋଗ୍ୟ ବିବେଚିତ ହୋଇ ବେଶ୍‌ ଖୁସି ଥିବା ହୃଷିକେଶ କହିଛନ୍ତି, ଅଡିସନ ବେଳେ ଭୟ ରହୁଥିଲା। ତଥାପି ବହୁ ଜାଗାରେ କଂସ ଭୂମିକାରେ ଅଭିନୟ କରି ସାରିଛି। ତେଣୁ ନିଜ ଉପରେ ବିଶ୍ୱାସ ଥିଲା। ବହୁ ସୁନ୍ଦର ଭାବେ ଅଡ଼ିସନ ଦେଇଥିଲି । ନାଟ୍ୟ ସଂଳାପ  ମଧ୍ୟ ଭଲ ଭାବେ କହିଥିଲି।

ବିଚାରକ ମଣ୍ଡଳୀ ଦ୍ୱାରା ମୋତେ ଦିଆଯାଇଥିବା ଅଡିସନ ବିନା ଡାଏଲଗରେ ନୃତ୍ୟ ନାଟିକାରେ ପ୍ରଦର୍ଶୀତ କରିଥିଲି। କୃଷ୍ଣ ମୋ ହୃଦୟରେ ଅଛନ୍ତି। ହେଲେ ତାଙ୍କୁ ଖୋଜିଖୋଜି ମୁଁ ପାଗଳ ହୋଇଯାଇଥିବାର ଅଭିନୟ ବିଚାରକ ମଣ୍ଡଳୀ ମଧ୍ୟରେ ବେଶ୍‌ ଆଦୃତି ଲାଭ କରିଥିଲା।   ଉକ୍ତ ନାଟକରେ ଏତେ ମଜ୍ଜି ଯାଇଥିଲି ଯେ, ଲାଗୁଥିଲା ସତେ ଯେପରି ମୋ’ ସାମନାରେ ବିଚାରକ ନୁହନ୍ତି, ସାଧାରଣ ଦର୍ଶକ ବସିଛନ୍ତି ବୋଲି କହିଛନ୍ତି ହୃଷିକେଶ ।

ଭୁବନେଶ୍ୱର ପ୍ରଧାନଙ୍କୁ ପଛରେ ପକାଇ ହୃଷିକେଶ ଭୋଇ ଏଥି କଂସ ମୁକୁଟ ହାତେଇ ନେଇଛନ୍ତି।  ୩ ବର୍ଷର ବିରତି ପରେ ଏଥର କଂସ ମୁକୁଟ ହାତେଇଥିବା ହୃଷିକେଶଙ୍କ ଖୁସି ବନ୍ଧବାଡ଼ ମାନୁନି ।  ଏନେଇ ସେ  କହିଛନ୍ତି, ୯ ବର୍ଷ ଧରି ଧନୁ ଯାତ୍ରାରେ ଅଭିନୟ କରି ସାରିଛି। ତେଣୁ ୧୧ ଦିନ ଧରି ଚାଲିବାକୁ ଥିବା ଧନୁ ଯାତ୍ରାକୁ ସୁଚାରୂ ରୂପେ କରି ଦର୍ଶକଙ୍କୁ ବାନ୍ଧି ରଖି ପାରିବି ବୋଲି ଆଶା ରଖିଛି।

କଂସ ବ୍ୟତିତ ଅନ୍ୟ ୧୦ଟି ଚରିତ୍ର ପାଇଁ ବି ଚୂଡ଼ାନ୍ତ ହୋଇଛନ୍ତି କଳାକାର । ମହାମନ୍ତ୍ରୀ ପାଇଁ ଗୋଲାପ ଚନ୍ଦ୍ର ଦାସ, ସାର୍ତକୀ ପାଇଁ ସେବାନନ୍ଦ ନାୟକ, ସେନାପତି ପାଇଁ ଦୟାନନ୍ଦ ମାଝୀ, ଚାଣୂର ପାଇଁ ମୁନେଶ ଚନ୍ଦ୍ର  ଆଚାର୍ଯ୍ୟ ଭଳି କଳାକାରଙ୍କୁ ଚୟନ କରାଯାଇଛି ।  ଅକ୍ରୁର ଓ ନାରଦ ଚରିତ୍ର ପାଇଁ ଜଗନ୍ନାଥ ସାହୁଙ୍କୁ ଚୟନ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos