ସୋନିଆ ଗାନ୍ଧିଙ୍କୁ ଇଡିର ସମନ୍ ନେଇ ରାଜ୍ୟ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ୍ ପ୍ରତିବାଦରେ ଭୁବନେଶ୍ୱରରେ ରାଜ୍ୟ କଂଗ୍ରେସର ନେତା ଓ କର୍ମୀମାନେ ବିକ୍ଷୋଭ କରିଛନ୍ତି। ଶତାଧିକ ରାଜ୍ୟ କଂଗ୍ରେସର ନେତା ଓ କର୍ମୀ ରାଜ୍ୟ କଂଗ୍ରେସ ଭବନରୁ ପଦଯାତ୍ରାରେ ବାହାରି ଥିଲେ।  ସେଠାରୁ ଇଡି ଅଫିସ ଘେରାଉ ପାଇଁ ଗଲାବେଳେ ରାଜମହଲ ଛକରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଏହି ସମୟରେ ପୁଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ। ଏହି ବିକ୍ଷୋଭରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ […]

congress

Tapaswini Nayak
  • Published: Thursday, 21 July 2022
  • , Updated: 21 July 2022, 01:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ୍ ପ୍ରତିବାଦରେ ଭୁବନେଶ୍ୱରରେ ରାଜ୍ୟ କଂଗ୍ରେସର ନେତା ଓ କର୍ମୀମାନେ ବିକ୍ଷୋଭ କରିଛନ୍ତି। ଶତାଧିକ ରାଜ୍ୟ କଂଗ୍ରେସର ନେତା ଓ କର୍ମୀ ରାଜ୍ୟ କଂଗ୍ରେସ ଭବନରୁ ପଦଯାତ୍ରାରେ ବାହାରି ଥିଲେ।  ସେଠାରୁ ଇଡି ଅଫିସ ଘେରାଉ ପାଇଁ ଗଲାବେଳେ ରାଜମହଲ ଛକରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଏହି ସମୟରେ ପୁଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ।

ଏହି ବିକ୍ଷୋଭରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବିଧାୟକ ସୁରେଶ ରାଉତରାୟ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ଜୟଦେବ ଜେନା, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ ବିଧାୟକ ସୁର ରାଉତରାୟ ପ୍ରମୁଖ ସାମିଲ ହୋଇଥିଲେ। ଏହାସହ ଛାତ୍ର ଓ ଯୁବ କଂଗ୍ରେସର ଶହ ଶହ କର୍ମୀ ଏହି ବିକ୍ଷୋଭରେ ସାମିଲ ହୋଇ ନାରାବାଜି କରିଥିଲେ।

ଏହି ପ୍ରସଙ୍ଗକୁ ନେଇ ଆଜି ବିଧାନସଭାର କଂଗ୍ରେସ ସଦସ୍ୟମାନେ ହୋହାଲ୍ଲା କରିଥିଲେ। ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସମେତ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ କରିଥିଲେ। ଫଳରେ ବାଚସ୍ପତି ପ୍ରଥମେ ଗୃହକୁ ୧୦ ମିନିଟ୍ ଓ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ। ଆଜିର ଦିନକୁ ଦେଶର କଳା ଦିବସ ବୋଲି ତାରାପ୍ରସାଦ ବାହିନୀପତି କହିଛନ୍ତି।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ଅଯଥାରେ ହଇରାଣ କରାଯାଉଛି। ଏହାର ପ୍ରତିବାଦରେ ଆମେ ରାଜ ରାସ୍ତାକୁ ଓହ୍ଳାଇଛୁ।  ଏହି ବିକ୍ଷୋଭ ଆଗକୁ ମଧ୍ୟ ଜାରି ରହିବ।

ସୂଚନାଯୋଗ୍ୟ, ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧି ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଜର ହୋଇଛନ୍ତି।

 

Related story