ହାଟ ମଝିରେ ସ୍ତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ

ଯାଜପୁର (ଯନ୍ମେଜୟ ଦାଶ): ହାଟ ମଝିରେ ସ୍ତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ। ଆଜି ଏପରି ଘଟଣା ଯାଜପୁର ଜିଲ୍ଲା ଦାନଗଦି ହାଟରେ ଦେଖିବାକୁ ମିଳିଛି। ଗୁରୁତର ଆହତ ହୋଇଥିବା ମହିଳାଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଚମ୍ପଟ ମାରିଛି।

ଟମକା ଅଞ୍ଚଳର ମୁନ୍ନା ପାତ୍ର ଦାନଗଦି ଅଞ୍ଚଳର ସୁଭଦ୍ରା ପାତ୍ରଙ୍କୁ ବିବାହ କରିଥିଲା। ବାହାଘର ପରେ ଉଭୟ କାମଦାମ କରି ଚଳୁଥିଲେ। ତେବେ ଏହାରି ଭିତରେ ମୁନ୍ନା ଅନ୍ୟ ଜଣେ ମହିଳା ସଂସ୍ପର୍ଶରେ ଆସିଲା। ପରେ ତାଙ୍କୁ ବିବାହ କରିଥିଲା। ମୁନ୍ନା ଦ୍ୱିତୀୟ ବିବାହ କରିବାରୁ ସୁଭଦ୍ରା ବାପଘରକୁ ପଳାଇ ଯାଇଥିଲେ। ସେଠାରେ ଏକାକୀ ରହୁଥିଲେ। ମୂଲ ମଜୁରୀ ଲାଗି ଚଳୁଥିଲେ।

ଦ୍ୱିତୀୟ ବିବାହ କରିଥିଲେ ମଧ୍ୟ ମୁନ୍ନା ମଝିରେ ମଝିରେ ପ୍ରଥମ ସ୍ତ୍ରୀ ସୁଭଦ୍ରାଙ୍କ ପାଖକୁ ଆସୁଥିଲେ। ତାଙ୍କୁ ଟଙ୍କା ମାଗୁଥିଲେ। ଟଙ୍କା ନଦେଲେ ମାଡ଼ ମାରୁଥିବା ଅଭିଯୋଗ ହୋଇଥିଲା। ଶୁକ୍ରବାର ଦାନଗଦି ହାଟ ଥିବାରୁ ସୁଭଦ୍ରା ହାଟ କରିବା ପାଇଁ ଯାଇଥିଲେ। ଏଠାରେ ସୁଭଦ୍ରାଙ୍କୁ ଏକୁଟିଆ ପାଇ ମୁନ୍ନା ଏକ କଟୁରୀରେ ଆକ୍ରମଣ କରିଥିଲେ। ଚୋଟ ପରେ ଚୋଟ ଦେଇଥିଲେ। ସୁଭଦ୍ରାଙ୍କୁ ଉଦ୍ଧାର କରିବାକୁ ଯାଇ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦାନଗଦି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ତେବେ ସୁଭଦ୍ରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ଅନ୍ୟପକ୍ଷରେ ଆକ୍ରମଣ କରି ମୁନ୍ନା ଚମ୍ପଟ ମାରିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏପର୍ଯ୍ୟନ୍ତ ଅଭିଯୁକ୍ତ ସ୍ୱାମୀ ମୁନ୍ନାକୁ ପୁଲିସ ଗିରଫ କରି ପାରିନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।