ଶ୍ୱଶୁର ଘରେ ଜ୍ୱାଇଁର ନାରକୀୟ କାଣ୍ଡ; ପତ୍ନୀ ପେଟରେ ଭୁଶି ଦେଲା କଇଁଚି

ଉଦଳା (ମାନସ ପାଣି): ଶ୍ୱଶୁର ଘର ବୁଲିବାକୁ ଆସି ଜ୍ୱାଇଁ ଘଟାଇଲେ ନୃଶଂସ କାଣ୍ଡ । ସାମାନ୍ୟ ପାରିବାରିକ କଳହରୁ ସାତ ଜନ୍ମ ପାଇଁ ଯାହା ହାତ ଧରିବାକୁ ଶପଥ ନେଇଥିଲେ ତାର ହିଁ ଜୀବନ ନେଇଗଲେ। ସମସ୍ତେ ଶୋଇ ପଡ଼ିବା ପରେ ଏକ କଇଁଚିରେ ଭୁଶି ପତ୍ନୀକୁ ହତ୍ୟା କଲେ ସ୍ୱାମୀ ।

ଏପରି ନାରକୀୟ କାଣ୍ଡ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଅଧୀନ ହିଞ୍ଜିଳିଗଡ଼ିଆ ଗାଁରେ ଘଟିଛି। ମୃତ ମହିଳା ଜଣକ ହେଲେ ସୁହାଗୀ ମୁର୍ମୁ । ପତ୍ନୀ ହତ୍ୟା ଅଭିଯୋଗରେ ପୁଲିସ୍‌ ତାଙ୍କ ସ୍ୱାମୀ ମଧୁସୂଦନ ମୁର୍ମୁଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମଧୁସୂଦନ ଓ ସୁହାଗୀଙ୍କ ମଧ୍ୟରେ ଅଧିକାଂଶ ସମୟରେ କଳି ଝଗଡ଼ା ଲାଗି ରହୁଥିଲା। ଗତକାଲି ଉଭୟ ସୁହାଗୀଙ୍କ ବାପଘରକୁ ବୁଲି ଯାଇଥିଲେ। ସେଠାରେ ଥିବା ବେଳେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।

ଏହାପରେ ରାତିରେ ସମସ୍ତେ ଶୋଇ ପଡ଼ିବା ପରେ ଉତ୍ତ୍ୟକ୍ତ ମଧୁସୂଦନ ଘଟାଇଲେ ନାରକୀୟ କାଣ୍ଡ । ଏକ କଇଁଚିରେ ପତ୍ନୀଙ୍କ ଶରୀରର ବିଭିନ୍ନ ସ୍ଥାନକୁ ଭୁଶିଦେଲେ । ଝିଅର ଚିତ୍କାର ଶୁଣି ପରିବାର ଲୋକେ ଉଠି ତାଙ୍କ ଶରୀରରେ ଗଭୀର କ୍ଷତ ଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ଡୁକୁରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ୍‌ ପହଞ୍ଚି ତଦନ୍ତ କରିବା ସହ ମଧୁସୂଦନଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।